ରାସ୍ତାକୁ ଓହ୍ଲାଇ‌େବ ଆୟୁଷ ଡାକ୍ତର

ଭୁବନେଶ୍ବର : ଆମକୁ ସ୍ଥାୟୀ ନିଯୁକ୍ତି ଦିଅ। ଅନ୍ୟ ରାଜ୍ୟ ଭଳି ସ୍ଥାୟୀ ନିଯୁକ୍ତି ନ ପାଇବା ପର୍ଯ୍ୟନ୍ତ ଡାକ୍ତରଙ୍କ ଭଳି ସମ୍ମାନ ଓ ମାସିକ ୫୦ ହଜାର ଟଙ୍କା ଦରମା ଦିଅ। ନଚେତ୍‌ ସଂଘ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ। ନେହରୁ ଯୁବ ପ୍ରତିଷ୍ଠାନଠାରେ ଆୟୋଜିତ ଏକ ବୈଠକରେ ଆଜି ଆୟୁଷ ଡାକ୍ତର ସଂଘ ଏପରି ଚେତାବନୀ ଦେଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ ଦୀର୍ଘ ୧୧ବର୍ଷ ତଳେ ଆୟୁଷ ଡାକ୍ତରମାନେ ମାର୍କ ଆଧାରରେ ନିଯୁକ୍ତି ପାଇଥିଲେ। ସେ‌ତେବେ‌ଳେ ଏହି ପଦ ଗ୍ରୁପ୍‌-ସି ଅନ୍ତର୍ଭୁକ୍ତ ଥିଲା। ବର୍ତ୍ତମାନ ଏହି ପଦକୁ ଗ୍ରୁପ-ବି ଅନ୍ତର୍ଭୁକ୍ତ କରାଯାଇଛି। ଯାହାଦ୍ବାରା ଆମର ପଦୋନ୍ନତି କରାଯାଉ ନାହିଁ କି ନିଯୁକ୍ତି ସ୍ଥାୟୀ କରାଯାଉନାହିଁ। ଗ୍ରୁପ୍‌-ବି ପଦ ପାଇଁ ଓପିଏସ୍‌ସି ପରୀକ୍ଷା ଦେବାକୁ ପଡ଼ିବ ବୋଲି ସରକାରୀ ଅଧିକାରୀମାନେ କହୁଛନ୍ତି। ସରକାର ଯେଉଁ ଆଧାରରେ ଡାକ୍ତରମାନଙ୍କୁ ନିଯୁକ୍ତ ଦେଇଥିଲେ, ଆୟୁଷ ଡାକ୍ତରମାନେ ନିଯୁକ୍ତି ପାଇଥିଲେ। ତେବେ ଏଥିରେ ଆମର ଦୋଷ କ’ଣ ବୋଲି ସଂଘ ପ୍ରଶ୍ନ କରିଛି।

୨୦୧୫ ମସିହାରେ ବିଧାନସଭା ଷ୍ଟାଣ୍ଡିଂ କମିଟି ଆୟୁଷ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ସୁପାରିସ୍‌ କରିଥିଲା। ଏହାଛଡ଼ା ସ୍ଥାୟୀ ନିଯୁକ୍ତି ନେଇ ଡାକ୍ତରମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବି ମଧ୍ୟ କରିଛନ୍ତି। ଏହା ସତ୍ତ୍ବେ ମଧ୍ୟ ସରକାର ଏଯାଏଁ କୌଣସି ପଦକ୍ଷେପ ନେଇନାହାନ୍ତି। ତେଣୁ ଏହାର ପ୍ରତିବାଦରେ ଡାକ୍ତରମାନେ ଆନ୍ଦୋଳନ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି। ଦାବି ପୂରଣ ନ ହେଲେ ଆସନ୍ତା ଜାନୁଆରିରେ ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ସଭାପତି ଜ୍ୟୋତି ରଂଜନ ଗାହାଣ, ଆବାହକ ବିଶ୍ବରଂଜନ ଜେନା, ଉମାକାନ୍ତ ସାହୁ, ମମତା ମହାନ୍ତି, ଦିବ୍ୟଜୀବନ ସାହୁ, ପ୍ରଭାକର ଦାସ, ସୁବ୍ରତ ମହାପାତ୍ର, କିଶୋର ପ୍ରଧାନଙ୍କ ସମେତ ବହୁ ଡାକ୍ତର ଯୋଗଦେଇ ସହମତି ଜଣାଇଛନ୍ତି।

ସମ୍ବନ୍ଧିତ ଖବର