ବି.ଏଡ୍‌ ଶିକ୍ଷଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ

ଭୁବନେଶ୍ୱର : ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୬୦ ହଜାରରୁ ଅଧିକ ବି.ଏଡ୍‌. ତାଲିମପ୍ରାପ୍ତ ଶିକ୍ଷକ ବିଭିନ୍ନ ଦାବି ନେଇ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରୁଥିଲେ। ୧୦ ଦିନ ଧରି ଆନ୍ଦୋଳନ ଚାଲିଥିଲେ ମଧ୍ୟ ଦାବି ପୂରଣ ହୋଇ ନାହିଁ। ଆଜି ବିଧାନସଭା ଅଧିବେଶନ ଶେଷ ହୋଇଥିବାରୁ ତାହାକୁ ଦୃଷ୍ଟିରେ ରଖି ମିଳିତ ବି.ଏଡ୍‌. ଶିକ୍ଷକ ମହାସଂଘର ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ସରକାରଙ୍କଠାରୁ ପ୍ରତାରିତ ହେବା ପରେ ବୁଦ୍ଧିଜୀବୀ, ସମାଜସେବୀ, ସଚେତନ ନାଗରିକମାନଙ୍କୁ ନେଇ ସାରା ରାଜ୍ୟରେ ଆଲୋଚନାଚକ୍ର କରାଯାଇ ଚାପ ପକାଇବାକୁ ଚେଷ୍ଟା କରାଯିବ। ଏଥିସହ ହକ୍‌ ପାଇବା ପାଇଁ ମହାସଂଘ ଆଇନର ଆଶ୍ରୟ ନେବ। ପଞ୍ଚାୟତସ୍ତରରୁ ଲୋକଙ୍କୁ ସଚେତନ କରାଯିବ। ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀରୁ ପଞ୍ଚାୟତସ୍ତରରୁ ‘ଗାଁକୁ ଚାଲ, ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି। ଯଦି ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଶିକ୍ଷକଙ୍କ ପରିବାର ୨୦୧୯ ସାଧାରଣ ନିର୍ବାଚନକୁ ବର୍ଜର୍ନ କରିବେ ବୋଲି ମହାସଂଘର ବରିଷ୍ଠ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଲକ୍ଷ୍ମଣ କୁମାର ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର