ବି.ଟେକ୍‌ ନାମଲେଖା : ୧୦,୩୩୬ ଛାତ୍ରଛାତ୍ରୀଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ

ଭୁବନେଶ୍ୱର : ବି.ଟେକ୍‌ ଓ ବି.ପ୍ଲାନ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ ହୋଇଛି। ଚଳିତବର୍ଷ ମୋଟ ୧୧ ହଜାର ୪୧୧ ଜଣ ଛାତ୍ରଛାତ୍ରୀ ଚଏସ୍‌ ଲକିଂ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦ ହଜାର ୩୩୬ ଛାତ୍ରଛାତ୍ରୀଙ୍କୁ ସିଟ୍‌ ଆବଣ୍ଟନ କରାଯାଇଛି। ସରକାରୀ କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଛି। ତେଣୁ ଅଧିକାଂଶ ସରକାରୀ ଇଞ୍ଜିନିୟରିଂ କଲେଜର ସିଟ୍‌ ପୂରଣ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ କିଛି ଘରୋଇ କଲେଜରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିନାହାନ୍ତି। ପ୍ରଥମ ପର୍ଯ୍ୟାୟ ସିଟ୍‌ ଆଲଟମେଣ୍ଟରେ ଦେଖିବାକୁ ମିଳିଛି ଯେ ୭ଟି କଲେଜ ପାଇଁ ଜଣେ ବି ପିଲା ଆବେଦନ କରିନାହାନ୍ତି। କିଛି କଲେଜରେ ୧୦ ଜଣରୁ କମ୍‌ ଛାତ୍ରଛାତ୍ରୀ ରହିଛନ୍ତି। ଯେଉଁ ଛାତ୍ରଛାତ୍ରୀଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ ହୋଇଛି ସେମାନେ ଜୁଲାଇ ୫ରୁ ୧୧ ତାରିଖ ମଧ୍ୟରେ ଡକ୍ୟୁମେଣ୍ଟ ଯାଞ୍ଚ କରିପାରିବେ।

ଏଥିପାଇଁ ଓଡ଼ିଶାର ୨୭ଟି ନୋଡାଲ୍‌ ସେଣ୍ଟର୍‌ ହୋଇଛି। ସେଗୁଡ଼ିକ ହେଲା ବଲାଙ୍ଗୀର ସରକାରୀ ପଲିଟେକ୍‌ନିକ୍‌, ବାଲେଶ୍ୱରର ଆଇଟିଆଇ ଓ ସିପେଟ୍‌, ବାରିପଦାର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁରସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ବ୍ରହ୍ମପୁର ସରକାରୀ ଆଇଟିଆଇ, ଭବାନୀପାଟଣା ସରକାରୀ କଲେଜ ଅଫ୍‌ ଇଞ୍ଜିନିୟରିଂ, ଭୁବନେଶ୍ୱରର ରାଜଧାନୀ କଲେଜ, ସିପେଟ୍‌, ସରକାରୀ ପଲିଟେକ୍‌ନିକ୍‌, ଓୟୁଏଟି, ସିଆଇଏମ୍‌ଇ ଓ ସିଇଟିରେ ନୋଡାଲ ସେଣ୍ଟର୍‌ କରାଯାଇଛି। ସେହିପରି ବୁର୍ଲାସ୍ଥିତ ଭିଏସ୍‌ଏସ୍‌ୟୁଟି, କଟକର ବୋସ୍‌, ସରକାରୀ ଆଇଟିଆଇ, ମଧୁସୂଦନ ଆଇଟିଆଇ, ଆଇଏମ୍‌ଆଇଟି, ଢେଙ୍କାନାଳ ସ୍ୱୟଂଶାସିତ କଲେଜ, ଆଇଜିଆଇଟି ସାରଙ୍ଗ, ଜୟପୁରସ୍ଥିତ ବିକ୍ରମ ଦେବ ସ୍ୱୟଂଶାସିତ କଲେଜ, କେନ୍ଦୁଝରସ୍ଥିତ ସରକାରୀ କଲେଜ ଅଫ୍‌ ଇଞ୍ଜିନିୟରିଂ, ରାଉରକେଲା ସରକାରୀ ଆଇଟିଆଇ, ୟୁଜିଆଇଇ, ଏସ୍‌କେ ଡିଏଭି ମହିଳା ପଲିଟେକ୍‌ନିକ୍‌୍‌, ବିପିୟୁଟି କ୍ୟାମ୍ପସର ସିଏପିଜିଏସ୍‌ରେ ନୋଡାଲ ସେଣ୍ଟର୍‌ ହୋଇଛି। କେଉଁ ଜିଲ୍ଲାର ପିଲାମାନେ କେଉଁ ନୋଡାଲ ସେଣ୍ଟର୍‌କୁ କେତେ ତାରିଖରେ ଯିବେ ତାହାର ତାଲିକା ବି ଉଲ୍ଲେଖ କରାଯାଇଛି। ଜୁଲାଇ ୧୧ ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଚାଲିବ।

ଜୁଲାଇ ୧୩ରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍‌ ଆଲଟମେଣ୍ଟ ହେବ। ଏଥିପାଇଁ ୧୫ରୁ ୧୭ ତାରିଖ ମଧ୍ୟରେ ନାମଲେଖା ହେବ। ଜୁଲାଇ ୬ରୁ ୧୧ ଓ ୧୫ରୁ ୧୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ। ଜୁଲାଇ ୧୯ରେ ଚୂଡ଼ାନ୍ତ ସିଟ୍‌ ଆଲଟମେଣ୍ଟ ହେବ। ଏଥିପାଇଁ ୨୧ରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ।

ଅନ୍ୟପକ୍ଷରେ ଲାଟେରାଲ ଏଣ୍ଟ୍ରି ଇଞ୍ଜିନିୟରିଂ ପାଇଁ ଆଜିଠାରୁ ନାମ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ ଆରମ୍ଭ ହୋଇଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ୯ ଓ ୧୦ ତାରିଖରେ ଚଲସ୍‌ ଲକିଂ କରାଯିବ। ୧୨ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆଲଟମେଣ୍ଟ ହେବ। ଏଥିପାଇଁ ୧୫ରୁ ୧୯ ତାରିଖ ଯାଏ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ।

ସମ୍ବନ୍ଧିତ ଖବର