କନ୍ଧମାଳରେ ପୁଣି କୁମାରୀ ମାତୃତ୍ବ : ଆଲୋକ ଦେଖିପାରିଲାନି ନବଜାତକ

ଘୁ.ଉଦୟଗିରି : କନ୍ଧମାଳରେ ପୁଣି ଲଜ୍ଜା! ଗଲା ୮ ଦିନରେ ଜିଲ୍ଲାରେ କୁମାରୀ ମାଆ ହେବା ପଞ୍ଚମ ଘଟଣା ପଦାକୁ ଆସିଛି। ଦାରିଙ୍ଗବାଡି ତାତି ଥମି ନଥିବାବେଳେ ଏବେ ପୁଣି ଆଉ ଜଣେ ନାବାଳିକା ଏକ ଶିଶୁପୁତ୍ର ଜନ୍ମ ଦେଇଥିବା ଜଣାପଡିଛି। ତେବେ ଜନ୍ମ ପରେ ନବଜାତ ଶିଶୁଟିର ମୃତ୍ୟୁ ହୋଇଯାଇଛି। ଗତକାଲିର ଏହି ଘଟଣା ଘଟିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ନାବାଳିକା ଜଣକ ଦଶମଶ୍ରେଣୀ ଫେଲ୍‌ ହୋଇ ଘରେ ରହୁଥିଲେ। ଗତବର୍ଷ ମାର୍ଚ୍ଚ ମାସରେ ନିଜର ଭାଇର ସାଙ୍ଗ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ବଢିଥିଲା। ଗତ ଜୁଲାଇ ମାସରେ ନାବାଳିକା ଗର୍ଭବତୀ ହୋଇଥିଲେ। ଏ ସମ୍ପର୍କରେ ସେ ସମ୍ପୃକ୍ତ ଜଣାଇବା ସହିତ ବାହା ହେବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର, ଯୁବକ ଜଣକ ଶୁଣିନଥିଲେ। ଏପରିକି ଗର୍ଭ ନଷ୍ଟ ଉଦ୍ୟମ ମଧ୍ୟ ବ୍ୟର୍ଥ ଯାଇଥିଲା।

ଆଜି ଭୋର୍‌ରୁ ନାବାଳିକାର ପ୍ରସବ ଯନ୍ତ୍ରଣା ହେବାପରେ ତାଙ୍କ ଘର ଲୋକ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ନାବାଳିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ମା’ ଓ ଶିଶୁଙ୍କୁ ଅବସ୍ଥା ଭଲ ନଥିବାରୁ ଦୁହିଁଙ୍କୁ ଫୁଲବାଣୀ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ହେଲେ ସେଠାରେ ନବଜାତକର ମୃତ୍ୟୁ ହୋଇଯାଇଛି।

ପୁଲିସ୍‌ ଏହି ଘଟଣାରେ ଦୁଇଟି ମାମଲା ରୁ୍ଜୁ କରି ତଦନ୍ତ ଚଳାଇଛି। ନବଜାତ ଶିଶୁର ମୃତ୍ୟୁ ପରେ ଥାନାରେ ଏକ ଅପମୃତ୍ୟୁ ମାମଲା କେସ ନଂ ୩/୧୮ ରୁଜୁ କରାଯାଇଛି। ସେହିପରି ପୁଲିସ ନାବାଳିକା ପାଖରେ ପହଞ୍ଚି ଘଟଣା ବିଷୟରେ ପଚରାଉଚରା କରିବା ସହ କେସ ନଂ ୧୨/୧୮ରେ ଆଉ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର