କୂଅରୁ ହାତୀଛୁଆର ଗଳିତ ଶବ ଉଦ୍ଧାର

କିଶୋରନଗର : ମାଧପୁର ରେଂଜ ଅନ୍ତର୍ଗତ କିଶୋରନଗର ବ୍ଲକ୍‌ ସଂଜାମୁରା ପଞ୍ଚାୟତ କରଡ଼ାଦାଦର ଗାଁ ଧାନ କ୍ଷେତରେ ଥିବା ଏକ କୂଅରୁ ଆଜି ଗୋଟିଏ ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର କରାଯାଛି। ଏହା ୨ ବର୍ଷର ଏକ ଅଣ୍ଡିରା ହାତୀଛୁଆ। ପ୍ରାୟ ୨ ଦିନ ହେଲା କୂଅରେ ଖସିପଡ଼ି ଥିଲା ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ସଂଜାମୁରା ପଞ୍ଚାୟତରେ କିଛିଦିନ ହେଲା ହାତୀ ଧାନ ଫସଲ ନଷ୍ଟ କରୁଛନ୍ତି। କରଡ଼ାଦାଦର ଗାଁର ବହୁ ଧାନ କ୍ଷେତ ଉଜାଡ଼ି ଦେଲେଣି। ପାଚିଲା ଧାନ ରକ୍ଷା କରିବା ପାଇଁ ଚାଷୀମାନେ ବାଣ ଫୁଟାଇ, ଘଣ୍ଟ ବଜାଇ ହାତୀ ଘଉଡ଼ିବାକୁ ଉଦ୍ୟମ କରୁଛନ୍ତି। ହାତୀ ପଲରେ ଥିବା ଛୁଆଟି ପ୍ରଭାସିନୀଙ୍କ ଜମି ହୁଡ଼ା ତଳେ ଥିବା କୂଅରେ ଖସିପଡ଼ିଥିଲା। ଆଜି କିଛି ଲୋକ କ୍ଷେତ ଆଡ଼େ ଯାଇଥିବାବେଳେ ଦୁର୍ଗନ୍ଧ ହେବାରୁ କୂଅରେ ହାତୀଛୁଆ ପଡ଼ିଥିବା ଦେଖିଥିଲେ।

ଖବର ପାଇ ଧଣ୍ଡାତୋପା ରେଂଜର ରାହାସ ବିହାରୀ ସାହୁ, ଫରେଷ୍ଟର ପଦ୍ମଚରଣ ସାହୁ, ଦୀପ୍ତିରଂଜନ ବିଶ୍ୱାଳ, ପ୍ରୀତୀଶ ରଂଜନ, ଦୀପ୍ତିରଂଜନ ବିଶ୍ୱାଳ, ଫରେଷ୍ଟ ଗାର୍ଡ଼ ରବୀନ୍ଦ୍ର ନାଏକ, ଉଦୟ ନାଥ ପ୍ରଧାନ, ଗଣେଶ୍ୱର ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏକ ଜେସିବି ଦ୍ୱାରା ଦିନ ୨ଟାବେଳେ କୂଅରୁ ହାତୀଛୁଆର ଶବ ଉଦ୍ଧାର କରାଯାଇଥିଲା। କିଶୋରନଗର ପ୍ରାଣୀ ଚିକିତ୍ସାଧିକାରୀ ଡା. ବିପ୍ର ଚରଣ ବେହେରା ଶବ ବ୍ୟବଚ୍ଛେଦ କରିବା ପରେ ତାହା ପୋତିି ଦିଆଯାଇଥିଲା। ମୃତ ହାତୀଛୁଆ ଦେଖିବାକୁ ବହୁ ଲୋକ ରୁଣ୍ଡ ହୋଇଥିଲେ।

ସମ୍ବନ୍ଧିତ ଖବର