ଜନ୍ମ ପରେ ଶିଶୁକୁ ମଇଳାକୁଣ୍ଡରେ ଫିଙ୍ଗିଦେଲେ, ଶିଶୁଭବନରେ ଜୀବନ ଚାଲିଗଲା

ଯାଜପୁରସଦର/ଟାଉନ/ଯୋକଡ଼ିଆ : ଏତେ ସଚେତନତା, ସଭାସମିତି, ବିଜ୍ଞାପନ ପରେ ବି ଶିଶୁ କନ୍ୟା ଅଲୋଡ଼ା। କେହି ଜଣେ ମା’ ତାର ସଦ୍ୟଜାତ ଶିଶୁ କନ୍ୟାକୁ ମଧୁବନ ଡାକ୍ତରଖାନା ମଇଳାକୁଣ୍ଡରେ ଫିଙ୍ଗି ଦେଇଛି। ଡାକ୍ତରଖାନା କର୍ତ୍ତୃପକ୍ଷ ଶିଶୁଟିକୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପରେ ଅଧିକ ଚିକିତ୍ସା ପାଇଁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ଅପରାହ୍ଣ ପ୍ରାୟ ସାଢ଼େ ୧ଟା ବେଳେ ମୃତ୍ୟୁ ଘଟିଛି। ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି।

ଆଜି ଭୋର ପାଖାପାଖି ୫ଟା ହେବ। ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସଫେଇ କର୍ମଚାରୀ ମେଡିକାଲ ପଛପଟ ବାୟୋମେଡିକାଲ ଓ୍ବେଷ୍ଟ ମ୍ୟାନେଜମେଣ୍ଟ କୁଣ୍ଡ ନିକଟରେ ସଫେଇ କରୁଥିଲେ। ଅଳିଆକୁଣ୍ଡରେ ଏକ ନବଜାତ ଶିଶୁ କନ୍ୟା ପଡିଥିବା ଦେଖି ସେ ଡାକ୍ତର ବିଶ୍ବରଂଜନ କରଙ୍କୁ ଜଣାଇଥିଲେ। ଡାକ୍ତର କର ଶିଶୁଟିକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ।

ଶିଶୁଟିକୁ ପଠାଇବା ପୂର୍ବରୁ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ରୁଦ୍ରପ୍ରସାଦ କର, କାହ୍ନୁଚରଣ ନାୟକ, ମଧୁବନ ବିପିଏଚ୍ଓ ଡାକ୍ତର ସୁଧୀର କୁମାର ସାହୁ ଓ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁଙ୍କୁ ଜଣାଇଥିଲେ। ଏକତଳା ଗ୍ରାମର ଚୌକିଦାର ବାସୁଦେବ ମଲିକଙ୍କ ହାତରେ ଏକ ଅଭିଯୋଗ ପତ୍ର ଥାନାକୁ ପଠାଇଥିବା ଡାକ୍ତର ଶ୍ରୀ କର କହିଛନ୍ତି।

କେଉଁ ପରିସ୍ଥିତିରେ, କେମିତି ଏବଂ କିଏ ଏଭଳି ଘୃଣ୍ୟ କାର୍ଯ୍ୟ କଲେ ତାହା ଅଦ୍ୟାବଧି ଜଣାପଡିନାହିଁ। ସିସି ଟିଭି ଫୁଟେଜ ଯାଞ୍ଚ କରାଯାଉଛି। ବିଭିନ୍ନ ଦିଗରୁ ଖୋଳତାଡ଼ ଚାଲିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି।

ଅନ୍ୟପଟେ ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଘଟଣା ସଂପର୍କରେ ଜାଣିବା ପରେ ଡାକ୍ତରଙ୍କ ସହ ଶିଶୁର ଅବସ୍ଥା ସଂପର୍କ‌ରେ ଆଲୋଚନା କରିଥିଲେ। ଶିଶୁ ମଙ୍ଗଳ ସମିତି ସଦସ୍ୟ ସୁବାସ ଚନ୍ଦ୍ର ଦେବତା ଚିକିତ୍ସାଳୟରେ ପହଞ୍ଚିଥିଲେ। ଶିଶୁଟି ରାତି ସାରା ଥଣ୍ଡାରେ ପଡି ରହିଥିବାରୁ ତାର ଅବସ୍ଥା ଗୁରୁତର ଥିଲା। ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ପାଇଁ ତାଙ୍କୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ଣ ପ୍ରାୟ ସାଢ଼େ ୧ଟା ବେଳେ ଶିଶୁଟିର ମୃତ୍ୟୁ ଘଟିଥିବା ଶ୍ରୀ ଦେବତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର