ଆସିକା : କନ୍ୟାରତ୍ନର ସୁରକ୍ଷା ପାଇଁ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ପାଳନରେ ସାରା ଗଞ୍ଜାମ ଜିଲ୍ଲା ଗତକାଲି ମସଗୁଲ ଥିଲା। ଜିଲ୍ଲାର ଉଚ୍ଚପଦସ୍ଥ ଅଧିକାରୀଙ୍କଠୁ ଆରମ୍ଭ କରି ଜନପ୍ରତିନିଧି ସଭିଏଁ ଏଥିରେ ସାମିଲ ହୋଇ ନବଜାତ ଶିଶୁକନ୍ୟାକୁ ସମ୍ମାନିତ କରିବା ସହ ସଚେତନତା ସୃଷ୍ଟି କରିବାରେ ବ୍ୟସ୍ତ ଥିଲେ। ହେଲେ ଏେତ ସଚେତନତା ସତ୍ତ୍ବେ କନ୍ୟାରତ୍ନ ଯେମିତି ମା ପାଇଁ ଅଲୋଡ଼ା ପାଲଟି ଯାଇଥିଲା। ଆଉ ଝିଅକୁ ବୋଝ ମନେ କରି ନବଜାତ ଶିଶୁକନ୍ୟାକୁ ନଦୀରେ ଭସାଇଦେଲା ଜନ୍ମଦାତ୍ରୀ ମା’। ହେଲେ ବିଧିର ନିୟମ କିଛି ଅଲଗା ଥିଲା। ନଦୀହୁଡ଼ାରେ ଅଖା ଉପରେ ପଡ଼ି ନବଜାତ ଶିଶୁକନ୍ୟାଟି କାନ୍ଦୁଥିବାବେଳେ ଜଣେ ନିଃସନ୍ତାନ ମା’ର ନଜରରେ ପଡ଼ିଥିଲା। ଭଗବାନ ତା’ର ଡାକ ଶୁଣିଲେ ବୋଲି ଭାବି ଶିଶୁଟିକୁ ଉଦ୍ଧାର କରି ସେ ଏହାର ଲାଳନପାଳନ ଭାର ନେବାକୁ ପ୍ରସ୍ତୁତ ହେଉଥିବା ସମୟରେ ସରକାରୀ ନିୟମ ତା ପାଇଁ ବାଧକ ସାଜିଲା। ନିରୁପାୟ ମହିଳା ଜଣକ ଶିଶୁକନ୍ୟାଟିକୁ ଚାଇଲଡଲାଇନ୍ ହାତକୁ ଟେକିଦେଲେ। ନିମିଷକରେ ସବୁ ଖୁସି ଉଭେଇଗଲା। ଆସିକା ସହରରେ ଘଟିଥିବା ଏଭଳି ଏକ ଘଟଣା ସମଗ୍ର ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
/sambad/media/post_attachments/wp-content/uploads/2019/10/gril-child-copy_2.jpg)
ବୁଧବାର ରାତି ପ୍ରାୟ ସାଢ଼େ ୮ଟା। ସୁନାମ୍ବ ସାହି ପଛପଟ ଋଷିକୁଲ୍ୟା ନଦୀକୁ ସନ୍ତୋଷ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ପରିବାରବର୍ଗ ଓ ମହିଳାମାନେ କୌଣସି କାମରେ ସେଠାକୁ ଯାଇଥିଲେ। ଏହି ସମୟରେ ହୁଡ଼ାରୁ ହଠାତ୍ ଏକ ଶିଶୁର କାନ୍ଦଣା ଶବ୍ଦ ଶୁଭିବାରୁ ସମସ୍ତେ ସେଠାରେ ପହଞ୍ଚି ଯାହା ଦେଖିଥିଲେ ଚକିତ ପାଲଟି ଯାଇଥିଲେ। ନାଭି କଟାଯାଇ ନଥିବା ଏକ ନବଜାତ ଶିଶୁକନ୍ୟାକୁ ଅଖା ଉପରେ ରଖାଯାଇଥିଲା। ତାଙ୍କ ପରିବାରର ଜଣେ ନିଃସନ୍ତାନ ମହିଳା ଶିଶୁଟିକୁ ଦେଖି ଖୁସି ହେବା ସହ ସଂଗେ ସଂଗେ ଆସିକା ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସା ପରେ ତାକୁ ଘରକୁ ନେଇଯାଇଥିଲେ। ଡାକ୍ତର ଏହା ଜାଣିବା ପରେ ସଂଗେ ସଂଗେ ଆସିକା ଥାନାକୁ ସୂଚନା ଦେଇଥିଲେ।
ଆଜି ସକାଳେ ଘଟଣା ସଂପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟର କର୍ମଚାରୀମାନେ ପୁଲିସ ସହାୟତାରେ ଶିଶୁଟିକୁ ସେଠାରୁ ଉଦ୍ଧାର କରିଥିଲେ। ଥାନାରେ ଶିଶୁକନ୍ୟାକୁ ରଖାଯାଇ ଚାଇଲ୍ଡଲାଇନକୁ ଖବର ଦିଆଯାଇଥିଲା। ତେବେ ମହିଳା ଜଣକ ଶିଶୁଟିକୁ ହସ୍ତାନ୍ତର କରିବେନି ବୋଲି କାନ୍ଦି କାନ୍ଦି କହିଥିଲେ। ପୁଲିସ ତାଙ୍କୁ ବୁଝାସୁଝା କରିବା ସହ ଲାଳନପାଳନର ବିଭିନ୍ନ ସରକାରୀ ନିୟମ ଉପରେ ସଚେତନ କରିଥିଲା। ବର୍ତ୍ତମାନ ଶିଶୁଟିକୁ ଚାଇଲ୍ଡଲାଇନ ହେପାଜତରେ ରଖାଯାଇଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Baby-Girl-Found-Woman-in-River_Thumbnail.jpg)