ବ୍ୟାସନଗର : ଦାରିଦ୍ର୍ୟର କଷାଘାତରେ ପଡ଼ି ରାଜ୍ୟରେ ଶିଶୁ ବିକ୍ରି ଘଟଣା ନୂଆ ହୋଇ ନଥିବା ବେଳେ ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଯାଜପୁରରୋଡ଼ରେ। ଜଣେ ଅସହାୟ ମହିଳା ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେବାର କିଛି ସମୟ ପରେ ବିକ୍ରି କରିଦେବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି। ଏଭଳି ସାଂଘାତିକ ଘଟଣା କେତେକ କର୍ମଚାରୀଙ୍କ ନଜରକୁ ଆସିବା ପରେ ଶିଶୁ ସୁରକ୍ଷା କମିଟିକୁ ଖବର ଦିଆଯାଇଥିଲା। ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ମହିଳାଙ୍କୁ ପଚରାଉଚରା କରିବା ସହିତ ଉଭୟ ମା’ ଓ ଶିଶୁଙ୍କୁ ନଜରବନ୍ଦୀରେ ରଖିଛନ୍ତି। ଏହି ଘଟଣା ଆଜି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ରୋଡ଼ ରେଳ ଷ୍ଟେସନ ଅନଲୋଡ଼ିଂ ସାଇଟରେ ଭଦ୍ରକ ଜିଲ୍ଲା ରାହାନ୍ଦିଆରୁ ମାଳତୀ ମାରାଣ୍ଡି(୩୫) ନାମକ ଏହି ମହିଳା ଦୀର୍ଘଦିନ ହେଲା ପଲା ମାରି ରହି ଆସୁଛନ୍ତି। ତାଙ୍କର ସାହାଭରସା କେହି ନଥିବାରୁ ଷ୍ଟେସନରେ ଭିକ ମାଗି ଚଳୁଥିଲେ। ଗତକାଲି ଅପରାହ୍ଣରେ ଗର୍ଭକଷ୍ଟ ଅନୁଭବ କରିଥିଲେ। ସାଙ୍ଗରେ କେହି ଯିବାକୁ ନଥିବାରୁ ସେ ଏକାଏକା ଚାଲିଚାଲି ରେଳ ଷ୍ଟେସନରୁ ପାଖାପାଖି ୧କି.ମି ଦୂରରେ ଥିବା ଯାଜପୁର ରୋଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ। ମେଡ଼ିକାଲ ରେଜିଷ୍ଟରରେ ନାମ ଲେଖାଇବା ବେଳେ ତାଙ୍କ ସ୍ବାମୀ କି କେହି ସଂପର୍କୀୟ ନଥିବା ଜଣାଯାଇଥିଲା।
ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପୁଲକ ମଲିକଙ୍କ କହିବାନୁଯାୟୀ ମହିଳା ଜଣଙ୍କର ଗର୍ଭ ଯନ୍ତ୍ରଣା ଖୁବ ବଢ଼ିଯାଇଥିଲା। ଜଟିଳ ପରିସ୍ଥିତି ଥିବା ଜଣାପଡ଼ିବା ପରେ ତାଙ୍କୁ ଯାଜପୁର ଜିଲ୍ଲା ମେଡିକାଲକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ତା ପୂର୍ବରୁ ଅପରାହ୍ଣରେ ସେ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଶିଶୁ କନ୍ୟାର ଓଜନ ପ୍ରାୟ ୨କି.ଗ୍ରା ୪ଗ୍ରାମ ଥିବାବେଳେ ସେ ସୁସ୍ଥ ଥିବା ଜଣାଯାଇଛି। ଜନ୍ମ ଦେବାର କିଛି ସମୟ ପରେ ଲେବର ରୁମରୁ ମହିଳାଙ୍କୁ ୱାର୍ଡ଼କୁ ଆଣାଯିବା ସହିତ ଆବଶ୍ୟକ ଚିକିତ୍ସାସେବା ଯୋଗାଇ ଦିଆଯାଇଥିଲା। ଅନ୍ୟପଟେ ଶିଶୁ କନ୍ୟାର ଲାଳନପାଳନ ଓ ଭରଣପୋଷଣ କରିବା କ୍ଷମତା ନଥିବାରୁ ମହିଳା ଜଣଙ୍କ ସେଠାରେ କାର୍ଯ୍ୟରତ କେତେକ ନର୍ସଙ୍କ ଆଗରେ ପ୍ରକାଶ କରିଥିଲେ। ଜନ୍ମିତ ଶିଶୁକନ୍ୟାକୁ ବିକ୍ରି କରିଦେବା ପାଇଁ ଆଲୋଚନା କରିଥିଲେ। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଡାକ୍ତରଖାନା ପକ୍ଷରୁ ଶିଶୁ ସୁରକ୍ଷା ବିଭାଗକୁ ଖବର ଦିଆଯାଇଥିଲା। ପିଲା ଜନ୍ମ କରିବା ପରେ ବିକ୍ରି କରିବା ପାଇଁ ମସୁଧା କରୁଥିବା ଖବର ପାଇବା ପରେ ଶିଶୁ ସୁରକ୍ଷା ବିଭାଗର କାର୍ଯ୍ୟରତ କର୍ମଚାରୀ ମିହିର କୁମାର ମହାନ୍ତି, ଶିଶିର କୁମାର ମଲିକ ଡାକ୍ତରଖାନାରେ ପହଞ୍ଚିଥିଲେ। ମାଳତୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଥିଲେ। ପରେ ଉଭୟ ମା ଓ ଶିଶୁ କନ୍ୟାକୁ ନେଇଯିବା ପାଇଁ କହିବାରୁ ମହିଳା ଜଣଙ୍କ ଯିବା ପାଇଁ ମନା କରିଦେଇଥିଲେ। ଡାକ୍ତରଖାନାରେ ୩ ଦିନ ରହିବକୁ ବୋଲି ଡାକ୍ତର କହିବା ପରେ ଶିଶୁ ସୁରକ୍ଷା ବିଭାଗ ସେମାନଙ୍କୁ ନଜରବନ୍ଦୀରେ ରଖିଛି।
ମାଳତୀ କହିବା ଅନୁଯାୟୀ ସେ ଭଦ୍ରକରୁ ଯାଜପୁର ରୋଡ଼ କାମ କରିବାକୁ ଆସିଥିଲେ। ଝାଡ଼ଖଣ୍ଡ ରାଜ୍ୟ ଚାଇଁବସାରୁ ଗଙ୍ଗାଟୁଡୁ ନାମକ ଜଣେ ଯୁବକ ତାଙ୍କୁ ବିବାହ କରି ରଖିଥିଲା। ଯୁବକ ଜଣଙ୍କ ୬ମାସ ହେଲାଣି ମାଳତୀଙ୍କୁ ଛାଡ଼ି କେଉଁ ଆଡ଼େ ପଳାଇଛି ବୋଲି ସେ କହିଛନ୍ତି। କାମ କରି ନପାରିବାରୁ ରେଳଷ୍ଟେସନରେ ଭିକ୍ଷା ବୃତ୍ତି କରି ପେଟ ପୋଷୁଥିଲେ।
ମାଳତୀଙ୍କୁ ଛୁଆ ବିକ୍ରି କରିବା ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ ଶିଶୁ କନ୍ୟାଟି ତାଙ୍କ ପ୍ରଥମ ଗର୍ଭର ପିଲା। ତାକୁ ସେ ବିକ୍ରି କରିବେ ନାହିଁ କି କାହାରିକୁ ଦେବେ ନାହିଁ। ଏମିତିକି ପ୍ରଶାସନ ଚାହିଁଲେ ମଧ୍ୟ ତାକୁ ହସ୍ତାନ୍ତର କରାଯିବ ନାହିଁ। ଭିକ ମାଗି ନିଜେ ଚଳିବା ସହିତ ପିଲାକୁ ପାଳିବେ ବୋଲି ‘ସମ୍ବାଦ’କୁ କହିଛନ୍ତି।