ଭୁବନେଶ୍ବର : ‘ସଂପୂର୍ଣ୍ଣ’ ଯୋଜନାରେ ରାଜ୍ୟ ସରକାର ମା’ଓ ଶିଶୁଙ୍କ ଯତ୍ନ ପାଇଁ ଜନ୍ମ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବେବି କିଟ୍ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ରାଜ୍ୟ ଔଷଧ ନିଗମ ଟେଣ୍ଡର କରିଥିଲା। ଟେଣ୍ଡର ଚୂଡ଼ାନ୍ତ ହେବା ସହିତ ବେବି କିଟ୍ ଯୋଗାଇବା ପାଇଁ କମ୍ପାନି ଆଗେଇ ଆସିଥିଲା। ହେଲେ କମ୍ପାନି ନକଲି କାଗଜପତ୍ର ଜରିଆରେ ଏହି ଟେଣ୍ଡର୍କୁ ହାତେଇଥିବା ଅଭିଯୋଗ ହେଲା। ବାଧ୍ୟହୋଇ ନିଗମ ସଂପୃକ୍ତ କମ୍ପାନିକୁ କଳାତାଲିକାଭୁକ୍ତ କରିବା ସହିତ ଟେଣ୍ଡର୍ ବାତିଲ କରି ଦେଇଥିଲା। ତେବେ ଏହି ଘଟଣା ଯୋଗୁଁ ନୂତନ ଟେଣ୍ଡର୍ ଖୋଲିବା ଓ ବେବି କିଟ୍ ଯୋଗାଣ ଆହୁରି ୫/୬ ମାସ ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ନବଜାତ ଶିଶୁମୃତ୍ୟୁ କମାଇବା ଦିଗରେ ବେବି କିଟ୍ର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି କିଟ୍ରେ ମା’ ଓ ପିଲାର ସଂକ୍ରମଣ କମାଇବା ଆବଶ୍ୟକ ସାମଗ୍ରୀ ରହିବା ସହିତ ଏକ ଖେଳନା ମାଗଣାରେ ମା’ମାନଙ୍କୁ ଉପଲବ୍ଧ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଟେଣ୍ଡର୍ ଜରିଆରେ ଏହି ବେବି କିଟ୍ ଯୋଗାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ନିଗମ ପକ୍ଷରୁ ଟେଣ୍ଡର୍ ଆହ୍ବାନ କରାଯିବା ପରେ ଆସାମର ଗୌହାଟୀ ସହରରେ ଥିବା ଏକ କମ୍ପାନି ବେବି କିଟ୍ ପାଇଁ ଟେଣ୍ଡର୍ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲା। ଚଳିତବର୍ଷ ଜାନୁଆରି ୧୫ତାରିଖରେ ମୂଲ୍ୟାୟନ କମିଟି ଏହାକୁ ଅନୁମତି ଦେଇଥିଲା। ତେବେ ଟେଣ୍ଡର୍ରେ ଏଲ-୨ ହୋଇଥିବା କମ୍ପାନି ଟେଣ୍ଡର୍ ପାଇଥିବା କମ୍ପାନି ବିରୋଧରେ ନକଲି କାଗଜପତ୍ର ଦେଇଥିବା ଅଭିଯୋଗ ଆଣିଥିଲା। ଏଭଳି ଅଭିଯୋଗ ଆସିବା ପରେ ନିଗମ ପକ୍ଷରୁ ଟେଣ୍ଡର୍ ପାଇଥିବା କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଏହାସହ ଇନ୍ଦୋରସ୍ଥିତ ଏକ ଲାବୋରେଟାରିକୁ ପ୍ରଥମ କମ୍ପାନି ଦେଇଥିବା କାଗଜପତ୍ର ନକଲି କି ଅସଲି ଜାଣିବା ପାଇଁ ପଠାଯାଇଥିଲା। ଲାବୋରେଟାରି ପକ୍ଷରୁ ଜାନୁଆରି ୨୫ତାରିଖରେ ଦାଖଲ ରିପୋର୍ଟରେ ଏହା ନକଲି ବୋଲି ସ୍ପଷ୍ଟ ହୋଇଥିଲା। ଏହାସହ ଲାବୋରେଟାରି ମଧ୍ୟ ସଂପୃକ୍ତ କମ୍ପାନି ସହିତ କୌଣସି ପ୍ରକାର ଆର୍ଥିକ, ବୈଷୟିକ ଓ ବ୍ୟାବସାୟିକ ସମ୍ବନ୍ଧ ନ ଥିବା ମଧ୍ୟ ଦର୍ଶାଇଥିଲା। ତେବେ ଫେବ୍ରୁଆରି ୧୧ତାରିଖରେ ସଂପୃକ୍ତ କମ୍ପାନି ଏହା ନକଲି କାଗଜପତ୍ର ବୋଲି ମାନିବା ସହିତ ଉତ୍ପାଦନକାରୀ ସଂସ୍ଥା ବା ମାନୁଫ୍ୟାକଚର ଏଭଳି କାଗଜପତ୍ର ଦାଖଲ କରିଥିବା କହିଥିଲା। ପରବର୍ତୀ ସମୟରେ ନିଗମ ପକ୍ଷରୁ ଏହାର ଯାଞ୍ଚ କରାଯିବା ପରେ ଟେଣ୍ଡର ହାତେଇଥିବା କମ୍ପାନିର ଟେଣ୍ଡର୍ ବାତିଲ କରିବା ସହିତ ଏହାକୁ କଳାତାଲିକାଭୁକ୍ତ କରାଯାଇଛି। ତେବେ ଟେଣ୍ଡର ପ୍ରକ୍ରିୟା ବାତିଲ ହେବା ପରେ ଏବେ ଗର୍ଭବତୀ ମା’ମାନଙ୍କୁ ବେବି କିଟ୍ ଯୋଗାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏବେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କୌଣସି ଟେଣ୍ଡର ହୋଇପାରିବ ନାହିଁ। ଏହାସହ ଟେଣ୍ଡର୍ ପ୍ରକ୍ରିୟାରେ କମ୍ପାନିମାନେ ନକଲି କାଗଜପତ୍ର ଦେଇ ଅଂଶଗ୍ରହଣ କରିବା ମଧ୍ୟ ନିଗମ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।
ଅପରପକ୍ଷରେ ଡାକ୍ତରଖାନାରେ ଦିଆଯାଉଥିବା ଲୋକାଲ ଆନାସ୍ଥେସିଆ ମଧ୍ୟ ନିମ୍ନମାନର ବା ଏନ୍ଏସ୍କ୍ୟୁ ନଜରକୁ ଆସିଛି। ପଞ୍ଜାବର ଏକ କମ୍ପାନି ଲିଗ୍ନୋକେନ୍ ହାଇଡ୍ରୋକ୍ଲୋରାଇଡ୍ ଓ ଆଡ୍ରେନାଲିନ୍ ବିଟାରଟ୍ରେଟ୍ର ଦୁଇଟି ବ୍ୟାଚ୍ ନିମ୍ନମାନର ଥିବା ପରୀକ୍ଷାରେ ଜଣାପଡ଼ିଛି। ନିଗମ ପକ୍ଷରୁ ଧାର୍ଯ୍ୟ ୩ଟି ଏନ୍ଏବିଏଲ୍ ପରୀକ୍ଷାଗାରେ ଏହି କମ୍ପାନିର ୨ଟି ବ୍ୟାଚ୍ର ଇଞ୍ଜେକସନ୍ ଏନ୍ଏସ୍କ୍ୟୁ ଜଣାପଡ଼ିବା ପରେ ସଂପୃକ୍ତ କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ତେବେ ସଂପୃକ୍ତ କମ୍ପାନି ଏ ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ରଖିବାରେ ବିଫଳ ହୋଇଥିଲା। ତେଣୁ ଟେଣ୍ଡର ନିୟମ ଅନୁସାରେ ସଂପୃକ୍ତ କମ୍ପାନିର ଟଙ୍କା ଜବତ କରାଯିବା ସହିତ ଆସନ୍ତା ୩ବର୍ଷ ପାଇଁ କମ୍ପାନି ନିଗମର କୌଣସି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବ ନାହିଁ ବୋଲି ଜଣାଇ ଦିଆଯାଇଛି।