ରାଜପଥ କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ପୁରୀ/ ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ କାଞ୍ଜିଆ ଶଙ୍ଖ ନିକଟସ୍ଥ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଏକ ଅନ୍ଧାରୁଆ ସ୍ଥାନରୁ ଆଜି ରାତି ପ୍ରାୟ ୯ଟାରେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବଡ଼ କାଞ୍ଜିଆ ଗ୍ରାମର ଜେମା ବେହେରା ଏକ ଶିଶୁର କାନ୍ଦ ଶୁଣି ଘଟଣାସ୍ଥଳକୁ ଆସିଥିଲେ। ସେଠାରେ ଶିଶୁକନ୍ୟାଟିକୁ ଏକ କପଡ଼ାରେ ଶୁଆଇ ଦିଆଯାଇଥିବା ସେ ଦେଖିବାକୁ ପାଇଥିଲେ। ସେ ଶିଶୁଟିକୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏ ସଂପର୍କରେ ସତ୍ୟବାଦୀ ଥାନା ଆଇଆଇସି କୃଷ୍ଣଚନ୍ଦ୍ର ସେଠୀ ଚାଇଲ୍‌ଡ ଲାଇନ୍‌କୁ ସୂଚନା ଦେଇଥିଲେ। ଖବର ପାଇ ଚାଇଲ୍‌ଡ ଲାଇନ୍‌ ନିର୍ଦ୍ଦେଶକ ଦେବାଶିଷ ରଥଙ୍କ ନେତୃତ୍ୱରେ ଏକ ଟିମ୍‌ ସତ୍ୟବାଦୀ ପୁଲିସ ଠାରୁ ଶିଶୁକନ୍ୟାଟିକୁ ନିଜ ଜିମାରେ ନେଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରିଥିଲେ। ଶିଶୁକନ୍ୟାଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଓ ଚାଇଲ୍ଡ୍‌ ଲାଇନ୍‌ ତରଫରୁ ଶିଶୁକନ୍ୟାଟିର ଚିକିତ୍ସା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିବା ଶ୍ରୀ ରଥ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର