ଉଚ୍ଚଶିକ୍ଷା ବିଭାଗର ବିପର୍ଯ୍ୟସ୍ତ ସ୍ଥିତି ନେଇ ଚେତିଲେ ସରକାର: ୭ ଦିନ ଭିତରେ ଖର୍ଚ୍ଚ ହିସାବ ଦେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

୮୩୩ ଅଧ୍ୟାପକ ଓ କର୍ମଚାରୀ ପଦବି ଖୁବଶୀଘ୍ର ପୂରଣ ହେବ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ବିକଳ ଚିତ୍ର ନେଇ ସ୍ଥାନୀୟ ପାଣ୍ଠି ନିର୍ଦ୍ଦେଶାଳୟ ଅଡିଟ ରିପୋର୍ଟ ଓ ବିଧାନସଭା ସରକାରୀ ହିସାବ କମିଟି କଡ଼ା ଟିପ୍ପଣୀ କରିବା ପରେ ଚେଇଁ ଉଠିଛନ୍ତି ସରକାର। ଏ ନେଇ ଲଗାତାର ଦୁଇଦିନ ଧରି ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ବିଭାଗୀୟ ସଚିବଙ୍କୁ ଡାକି ତାଗିଦ କରିବା ସହ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟମାନଙ୍କୁ ଚଳିତ ଆର୍ଥିକ ବର୍ଷରେ କେତେ ଅର୍ଥ ଦିଆଯାଇଛି ତାର ବିସ୍ତୃତ ବିବରଣୀ ୭ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ଉଚ୍ଚଶିକ୍ଷା ବିଭାଗ ୨୦୧୯ ଜାନୁଆରି ୩୧ ତାରିଖ ସୁଦ୍ଧା ବିଶ୍ବବିଦ୍ୟାଳୟରେ କେତେ ପରିମାଣର ଅର୍ଥ ଖର୍ଚ୍ଚ କରାଯାଇଛି ଏବଂ ଅବଶିଷ୍ଟ ଅର୍ଥ କିଭଳି ଭାବରେ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବ୍ୟୟ କରାଯିବ ସେ ନେଇ ସମ୍ପୂର୍ଣ୍ଣ ତଥ୍ୟ ବିଭାଗକୁ ମଗାଯାଇଛି। ସେହିପରି ସରକାରୀ ଓ ବେସରକାରୀ ମହାବିଦ୍ୟାଳୟମାନଙ୍କରେ ଅଧ୍ୟାପକ-ଅଧ୍ୟାପିକା ଅଭାବ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ସମୀକ୍ଷାରୁ ଜଣାପଡ଼ିଛି, ମହାବିଦ୍ୟାଳୟମାନଙ୍କରେ ୧୦୩୩ ପଦବି ଖାଲି ରହିଛି। ଉଚ୍ଚଶିକ୍ଷା ବିଭାଗରୁ ଯୁକ୍ତ ଦୁଇ ଅଲଗା ହେବା ପରେ କନିଷ୍ଠ ମହାବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଇଥିବା ୭୭୭ ଜଣ ଅଧ୍ୟାପକ-ଅଧ୍ୟାପିକା ବିଭାଗକୁ ଫେରିଆସିବା ପରେ ଅବଶିଷ୍ଟ ୨୫୬ଟି ଅଧ୍ୟାପକ ପଦବି ଖାଲି ରହିବ। ଚଳିତବର୍ଷ ୭୪ ଜଣ ଅଧ୍ୟାପକ ଅବସର ଗ୍ରହଣ କରୁଛନ୍ତି। ମୋଟ ୩୨୦ଟି ଅଧ୍ୟାପକ ପଦବି ପୂରଣ କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି। ନିୟମିତ ଅଧ୍ୟକ୍ଷ ପଦବି ପୂରଣ ପାଇଁ ୨୧୬ ଜଣ ବରିଷ୍ଠ ଅଧ୍ୟାପକଙ୍କ ନାମ ଓପିଏସକୁ ସୁପାରିସ କରାଯାଇଛି। ବିଗତ ଦୁଇବର୍ଷ ମଧ୍ୟରେ ସରକାରୀ ମହିବିଦ୍ୟାଳୟମାନଙ୍କରେ ୪୦୭ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ୧୨୩ ଜଣ ଅସ୍ଥାୟୀ ଅଧ୍ୟାପକ ଏବଂ ୧୨୨୮ ଜଣ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇ ଶିକ୍ଷାଦାନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରାଯାଇଛି। ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ ପାଇଥିବା ମନ୍ତ୍ରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର