କେନ୍ଦୁଝର : କେନ୍ଦୁଝର ସହର ନିକଟରେ ବିଜୁଳି ଉତ୍ପାଦନ କରୁଥିବା ବଡ଼ଘାଗରା ଜଳବିଦ୍ୟୁତ ପ୍ରକଳ୍ପ ବିକ୍ରି ହେବ! ବର୍ଷବର୍ଷ ଧରି ବିଦ୍ୟୁତ୍ ଉତ୍ପାଦନ କରୁଥିବା ଏହି ପ୍ରକଳ୍ପ ୨ ବର୍ଷ ହେବ ବନ୍ଦ ହୋଇ ପଡ଼ିରହିଥିଲା। କାର୍ଯ୍ୟକ୍ଷମ କରିବା ବଦଳରେ ଏହାକୁ ବିକ୍ରି କରିବା ପାଇଁ ଓରେଡା ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ବାସ୍ତବରେ ରାଜ୍ୟ ସରକାର ଯଦି ଏହି ପ୍ରସ୍ତାବ ଉପରେ ମୋହର ଲଗାନ୍ତି, ଏହା ତଥାକଥିତ ଶିଳ୍ପାୟନ ପ୍ରତି ଶକ୍ତ ଧକ୍ମା ହେବ !!
Sambad is now on WhatsApp
Join and get latest news updates delivered to you via WhatsApp
୧୯୮୭ରେ କେନ୍ଦୁଝର ସହରଠାରୁ ମାତ୍ର କିଛି କିଲୋମିଟର ଦୂରରେ ଥିବା ବଡ଼ଘାଗରାଠାରେ ଏକ ମାଇକ୍ରୋ ହାଇଡ୍ରୋ ପ୍ରୋଜେକ୍ଟ ବା କ୍ଷୁଦ୍ର ଜଳପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା। ଓରେଡା ପକ୍ଷରୁ ବଡ଼ଘାଗରା ଜଳପ୍ରପାତରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏଠାରେ ବଡ଼ଘାଗରାରୁ ତଳ ମୁଣ୍ଡକୁ ପାଇପ୍ ଯୋଗେ ପାଣି ଆଣି ଦୁଇଟି ଟର୍ବାଇନ ମୋଟର ସାହାଯ୍ୟରେ ବିଦ୍ୟୁତ୍ ଉତ୍ପନ୍ନ ହେଉଥିଲା। ଘଣ୍ଟାକୁ ୨୦ କିଲୋଓ୍ଵାଟ ହିସାବରେ ଦୁଇଟି ଟର୍ବାଇନ୍ରେ ମୋଟ ୪୦ କିଲୋଓ୍ଵାଟ ବିଦ୍ୟୁତ୍ ଉତ୍ପନ୍ନ ହେଉଥିଲା। ଏହି କାର୍ଯ୍ୟରେ ମୋଟ ୫ ଜଣ କର୍ମଚାରୀ ନିଯୁକ୍ତ ଥିଲେ। ଏଠାରେ ନିୟମିତ ପ୍ରାୟ ୧୫ରୁ ୧୮ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହେଉଥିଲା। ଏଠାରୁ ବଡ଼ଘାଗରା ନିକଟବର୍ତ୍ତୀ କିଛି ଆଦିବାସୀ ଗ୍ରାମକୁ ବିଦ୍ୟୁତ୍ ଯୋଗାଇ ଦିଆଯିବା ସହିତ ବିଦ୍ୟୁତ୍ ବିଭାଗର ବାଂଶପାଳ ବ୍ଲକର ମୁଖ୍ୟ ଫିଡରକୁ ଯୋଗାଇ ଦିଆଯାଉଥିଲା। ଏଥିପାଇଁ ୟୁନିଟ୍ ପିଛା ମିଳୁଥିଲା ମାତ୍ର ୦.୭୮ ପଇସା। ସବୁଠୁ ବଡ଼ କଥା ହେଉଛି, ବିଦ୍ୟୁତ୍ ବିଭାଗ ଏଠାରୁ ନେଉଥିବା ବିଜୁଳି ବାବଦ ଦେୟ ବର୍ଷ ବର୍ଷ ଧରି ଦେଲାନାହିଁ। ଅତ୍ୟନ୍ତ କମ୍ ଦାମରେ ବିଜୁଳି ନେଇ ମଧ୍ୟ ଦେୟ ଦେଲା ନାହିଁ। ପ୍ରାୟ ୧୦ ବର୍ଷ ଧରି ବକେୟା ପଡ଼ି ରହିଥିବା ସୂଚନା ଦେଇଛନ୍ତି ଓରେଡାର ଉପନିର୍ଦେଶକ ରାମସ୍ୱାର୍ଥ ମୌର୍ଯ୍ୟ।
ଅପରପକ୍ଷରେ ଜଳଭଣ୍ଡାରର ଜଳସ୍ତର ଧୀରେଧୀରେ କମିବାକୁ ଲାଗିଲା। ଏହି ବଡ଼ଘାଗରା ଜଳଭଣ୍ଡାରରୁ ସହରକୁ ପାନୀୟ ଜଳ ଯୋଗାଇ ଦିଆଯାଉଥିବାରୁ ଅଧିକାଂଶ ସମୟରେ ସହରକୁ ପାଣି ମଧ୍ୟ ନିଅଣ୍ଟିଆ ହେଲା। ଫଳରେ ପ୍ରଥମେ ପ୍ରଥମେ ୧୮ ଘଣ୍ଟାରୁ ୧୫ ଘଣ୍ଟା ଓ ପରେ ଏହା ୧୫ ଘଣ୍ଟାରୁ ୫ ଘଣ୍ଟା ଓ ୨ ଘଣ୍ଟା ପର୍ଯ୍ୟନ୍ତ ଖସି ଆସିଲା। ଏଥିସହ ବିଦ୍ୟୁତ୍ ଉତ୍ପାଦନ କରୁଥିବା ଯନ୍ତ୍ରାଂଶ ଖରାପ ହେବାକୁ ଲାଗିଲା। ଶେଷରେ ୨୦୧୬ ଜୁଲାଇରୁ ଏହି ପ୍ରୋଜେକ୍ଟ ସଂପୂର୍ଣ୍ଣ ବନ୍ଦ ହୋଇଗଲା। ଏହା ବନ୍ଦ ହୋଇ ପଡିଥିବାରୁ ୨୦୧୭ରେ ଓରେଡା ପକ୍ଷରୁ କୌଣସି ଘରୋଇ କମ୍ପାନିକୁ ବିକ୍ରି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଓରେଡାର ଉପନିର୍ଦ୍ଦେଶକ ଶ୍ରୀ ମୌର୍ଯ୍ୟଙ୍କୁ ପଚାରିବାରୁ ପ୍ରକଳ୍ପ ବନ୍ଦ ହୋଇ ପଡ଼ିରହିବା ଓ ବିକ୍ରି ପାଇଁ ପ୍ରସ୍ତାବ ଦିଆଯିବା କଥାକୁ ସ୍ୱୀକାର କରିଛନ୍ତି।
ସେ କହିଥିଲେ ଯେ, ସହରକୁ ବଡ଼ଘାଗରାରୁ ପାନୀୟ ଜଳ ଯୋଗାଇ ଦିଆଯାଉଥିବାରୁ ଅଧିକାଂଶ ସମୟରେ ଜଳସଙ୍କଟ ଦେଖାଦେଲା। ଫଳରେ ଏଠାରେ ବିଦ୍ୟୁତ୍ ଉତ୍ପାଦନ କରୁଥିବା ଟର୍ବାଇନ୍ ଓ ଯନ୍ତ୍ରାଂଶ ଅଧିକାଂଶ ସମୟରେ ବନ୍ଦ ରହିଲା। ଦୀର୍ଘଦିନ ଏଭଳି ଚାଲିବା ପରେ ଏବେ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗତବର୍ଷ ଏହି ପ୍ରକଳ୍ପର ଆଧୁନିକୀକରଣ କରିବା କିମ୍ବା ଘରୋଇ କମ୍ପାନି ଅଥବା ବ୍ୟକ୍ତିବିଶେଷଙ୍କୁ ବିକ୍ରି କରିଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଥିଲେ।