ବାହୁଡ଼ିଲେ ମହାବାହୁ : ତିନି ଘଣ୍ଟା ଆଗରୁ ପହଣ୍ଡି-ରଥଟଣା, ସୂର୍ଯ୍ୟାସ୍ତ ପୂର୍ବରୁ ସିଂହଦ୍ବାରରେ ତିନି ରଥ, ପାଞ୍ଚ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

ପୁରୀ : କୋଟି କୈବଲ୍ୟନାଥ, ବିଶ୍ବନିୟନ୍ତା ଚତୁର୍ଦ୍ଧାମୂର୍ତ୍ତି ନିଜର ଜନ୍ମବେଦୀ ତଥା ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଲୀଳାଖେଳା ଶେଷ କରି ଆଜି ଶରଧାବାଲିରୁ ସିଂହଦ୍ବାରକୁ ବାହୁଡ଼ିଛନ୍ତି। ନିର୍ମଳ ଆକାଶ ଓ ବିନା ବର୍ଷା, ବିନା ବାଧାରେ ମହାପ୍ରଭୁଙ୍କ ବାହୁଡ଼ା ନୀତି ସଅଳ ସଂପନ୍ନ ହୋଇଛି। ବେଳ ବୁଡ଼ିବା ଆଗରୁ ଅର୍ଥାତ ସୂର୍ଯ୍ୟାସ୍ତ ପୂର୍ବରୁ ମହାପ୍ରଭୁଙ୍କ ତିନି ରଥ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ବାରରେ ଲାଗିଛନ୍ତି। ଭଲ ପାଗ ‌ଯୋଗୁଁ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ଦର୍ଶନ କରି କୋଟିପୁଣ୍ୟ ଫଳପ୍ରାପ୍ତି ଆଶାରେ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ସମାଗମ ହୋଇଥିଲା। ଶନିବାର ଦ୍ବାଦଶୀ ତିଥିରେ ରଥ ଉପରେ ତିନି ଠାକୁରଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି।

ଲୀଳାମୟ ମହାବାହୁ ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଅପରାହ୍ନ ୫ଟା ୩୦ସୁଦ୍ଧ‌ା ସିଂହଦ୍ବାରରେ ପହଞ୍ଚିଥିଲେ। ଗତ ବର୍ଷ ଭଳି ଏଥର ମଧ୍ୟ ସଅଳ ନୀତି ସଂପନ୍ନ ହୋଇଥିଲା। ଆଜି ନିର୍ଘଣ୍ଟ ନୀତିର ୩ ଘଣ୍ଟା ପୂର୍ବରୁ ପହଣ୍ଡି ଓ ରଥଟଣା ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା୩୦ ସୁଦ୍ଧ‌ା ବାହୁଡ଼ା ପହଣ୍ଡି ଶେଷ ହେବ ବୋଲି ନୀତି ନିର୍ଘଣ୍ଟ କରା‌ଯାଇଥିବା ବେଳେ ୩ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା। ଆଜି ସକାଳ ୯ଟା୧୦ରେ ପହଣ୍ଡି ଆ‌ରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୧୫ ସୁଦ୍ଧା ଏହା ଶେଷ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ଗର୍ଭଗୃହ ଛାଡ଼ି ରଥାରୂଢ ହୋଇଥିଲେ। ରାମକୃଷ୍ଣ ଓ ମଦନମୋହନ ପୂର୍ବାହ୍ନ ୧୧ଟା୩୦ ରଥ ଉପରକୁ ବିଜେ କରିବା ପରେ ମଧ୍ୟାହ୍ନ ୧୨ଟା୧୦ରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା ଆରମ୍ଭ କରିଥିଲେ। ଛେରାପହଁରା ୧୨ଟା ୫୫ ସୁଦ୍ଧା ‌ଶେଷ ହୋଇଥିଲା। ଏହାପରେ ଚାରମାଳ ଫିଟାଯାଇ ଘୋଡ଼ାଯୋଖା ସରିବା ପରେ ଠିକ୍ ଅପରାହ୍ନ ୧ଟା୧୦ ମିନିଟରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଥିଲା। ଅବଶ୍ୟ ରଥଟଣା ପାଇଁ ନିର୍ଘଣ୍ଟ ନୀତି ଅପରାହ୍ନ ୪ଟାରେ ରଖାଯାଇଥିଲା। କିନ୍ତୁ ସଅଳ ନୀତି ଶେ‌ଷ ହେବାରୁ ନିର୍ଦ୍ଧାରିତ ସମୟର ୨ଘଣ୍ଟା ୫୦ ମିନିଟ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା। ଅପରାହ୍ନ ୧ଟା ୫୦ରେ ମା’ ସୁଭଦ୍ରା ଓ ଅପରାହ୍ନ ୨ଟା ୫ ମିନିଟରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା। ଅପରାହ୍ନ ୪ଟା ସୁଦ୍ଧା ସମସ୍ତ ରଥ ମାଉସୀ ମା’ ମନ୍ଦିର ଅତିକ୍ରମ କରିଥିଲା। ପ୍ରଥମେ ବଡ଼ଠାକୁରଙ୍କ ତାଳଧ୍ବଜ ରଥ ଅପରାହ୍ନ ୩ଟା୫୦ରେ ସିଂହଦ୍ବାରରେ ଲାଗିଥିଲେ। ଠିକ୍ ୫ ମିନିଟ ପରେ ଅର୍ଥାତ ଅପରାହ୍ନ ୪ଟା ବେଳେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ସିଂହଦ୍ବାର ସମ୍ମୁଖରେ ପହଞ୍ଚି ଯାଇଥିଲେ। ତେବେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ରାଜନଅର ସମ୍ମୁଖରେ ଅଟକିଥିଲେ।

ଅପରାହ୍ନ ୫ଟା୧୦ରେ ରାଜନଅର ସମ୍ମୁଖ‌ରେ ଲକ୍ଷ୍ମୀ-ନାରାୟଣ ଭେଟ ହୋଇଥିଲା। ଅପରାହ୍ନ ୫ଟା ୩୦ରେ ସୁଦ୍ଧା ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସିଂହଦ୍ବାରରେ ଲାଗିଥିଲେ। ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ ଓ ସେବ‌ାୟତଙ୍କ ମିଳିତ ସହଯୋଗରେ ଆଜି ଏଭଳି ସଅଳ ନୀତି ସଂପନ୍ନ ‌ହୋଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା‌ ପାଇଁ ପାଗ ମଧ୍ୟ ଅନୁକୂଳ ଥିଲା। ତେବେ ପ୍ରବଳ ଗୁଳିଗୁଳି ଯୋଗୁଁ ବହୁ ଭକ୍ତ ଅସୁସ୍ଥ ହୋଇ ପଡ଼ିଥିଲେ। ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ତେବେ ରେକର୍ଡ କରିବା ଓ ବାହାବା ନେବା ପାଇଁ ନିର୍ଘଣ୍ଟ ନୀତିର ୩ ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ କରିବା ଓ ରଥଟଣାକୁ ଭକ୍ତ ସହଜରେ ଗ୍ରହଣ କରିପାରୁନାହାନ୍ତି। ଗତବର୍ଷ ଭଳି ଏ ବର୍ଷ ମଧ୍ୟ ହଜାର ହଜାର ସଂଖ୍ୟାରେ ଭକ୍ତ ରଥଟଣାରୁ ବଞ୍ଚିତ ହୋଇଥିଲେ। ଗତ ବର୍ଷଠାରୁ ଚଳିତ ବର୍ଷ ସଅଳ ନୀତି ହୋଇଛି। ପ୍ରଶାସନର କେବଳ ରଥକୁ ଠିକଣା ସମୟରେ ପହଞ୍ଚାଇବାକୁ ନିଜର ସଫଳତା ବୋଲି ବିବେଚନା କରୁଥିବା ଅଭିଯୋଗ ହୋଇଛି। ପ୍ରଶାସନ ଗଣମାଧ୍ୟମ ଜରିଆରେ ନୀତି ନିର୍ଘଣ୍ଟ ସଂପର୍କରେ ଯେଉଁ ସୂଚନା ଦେଉଛନ୍ତି, ତାକୁ ଦେଖି ଭକ୍ତ ପୁରୀ ଆସୁଥିବା ବେଳେ ଏଭଳି ମାତ୍ରାଧିକ ସଅଳ ନୀତି ଭକ୍ତଙ୍କୁ ଭଗବାନଙ୍କ ଦର୍ଶନରୁ ବଞ୍ଚିତ କରୁଛି ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର