ଆୟକର ପଞ୍ଝାରେ ବୈଜୟନ୍ତ!

ଜାଲ କଂପାନି ଜରିଆରେ କଳାଧନ କାରବାର ଅଭିଯୋଗ, ଖବରକୁ ଖଣ୍ଡନ କଲେ ବୈଜୟନ୍ତ, ମଞ୍ଜୁଳା

ନୂଆଦିଲ୍ଲୀ : ଆୟକର ପଞ୍ଝାରେ ଆଗାମୀ ଦିନରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ଶିଳ୍ପପତି ବୈଜୟନ୍ତ ପଣ୍ଡା ପଡ଼ିବା ସମ୍ଭାବନା ରହିଛି। ବୈଜୟନ୍ତ, ତାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡା ଏବଂ ଅନ୍ୟ ଜଣେ ସହଯୋଗୀଙ୍କ ନାମରେ ଆୟକର ବିଭାଗ ନିକଟରେ କଳା ଟଙ୍କାକୁ ଧଳା କରିବା ଏବଂ ଟିକସ ଠକେଇ ଭଳି ସାଂଘାତିକ ଅଭିଯୋଗ ହୋଇଛି। ଗତ ଜାନୁଆରିରେ ଆୟକର ବିଭାଗ ଏହି ଅଭିଯୋଗକୁ ଗ୍ରହଣ କରିଛନ୍ତି। େଯ କୌଣସି ମୁହୂର୍ତରେ ଆୟକର ଏହା ଉପରେ ପଦକ୍ଷେପ େନଇପାରନ୍ତି।

ଅଭିଯୋଗରେ ଦର୍ଶାଯାଇଛି ଯେ, ବୈଜୟନ୍ତ, ତାଙ୍କ ପତ୍ନୀ ଜଗି ଏବଂ ସହଯୋଗୀ ମଞ୍ଜୁଳା ଦେବୀ ଶ୍ରଫ୍ ଅର୍ଥ ହେରଫେର କରିଥିଲେ। ଜାଲ କମ୍ପାନି ଜରିଆରେ ଅତି ଚତୁରତାର ସହିତ ବିଦେଶରୁ ଅତିକମ୍‌ରେ ୧୭ କୋଟି ୭୨ ଲକ୍ଷ ଟଙ୍କା ଆଣିଥିଲେ। ଏବଂ ପରେ ସେହି ଜାଲ୍‌ କମ୍ପାନିରେ ଥିବା ସେୟାରକୁ ଅତି ନଗଣ୍ୟ ମୂଲ୍ୟରେ ବୈଜୟନ୍ତ ଓ ଜଗିଙ୍କ ମାଲିକାନାରେ ଥିବା ସଂସ୍ଥାକୁ ପଠାଇ ଦିଆଯାଇଥିଲା। ବିଦେଶର ଏକ ଅଜଣା ଉତ୍ସରୁ ସେହି ଅର୍ଥ ଅଣାଯାଇଥିବା ଅଭିଯୋଗ ହୋଇଛି। ଅର୍ଥଶୋଧନ ନିବାରଣ ଆଇନ (ପିଏମଏଲଏ), କଳାଟଙ୍କା ଆଇନ ଏବଂ ଆୟକର ଆଇନ ଅଧୀନରେ ଏହାକୁ ଅପରାଧ ଭାବେ ବିଚାର କରାଯାଉଛି।

ତେବେ ଏଭଳି କୌଣସି ଭୁଲ୍‌ ‌କରି ନାହାନ୍ତି ବୋଲି ବୈଜୟନ୍ତ ଓ ମଞ୍ଜୁଳା ସ୍ପଷ୍ଟୀକରଣ ଦେଇଛନ୍ତି। ଏ ଇ-ମେଲ୍ ଉତ୍ତରରେ ବୈଜୟନ୍ତ ଗଣମାଧ୍ୟମକୁ କହିଛନ୍ତି ଯେ ଯେଉଁ କାରବାର ବିଷୟରେ ଅଭିଯୋଗ ହୋଇଛି ତାହା ପ୍ରାୟ ଦୁଇ ଦଶନ୍ଧି ପୁରୁଣା। ମୋର ଯେତିକି ମନେଅଛି, ସେହି ସମୟର ନିୟମକୁ ପାଳନ କରାଯାଇଥିଲା ଓ ଆବଶ୍ୟକ ମଞ୍ଜୁରି ମଧ୍ୟ ମିଳିଥିଲା। ସେହିପରି ଶ୍ରଫ୍ କହିଛନ୍ତି ଯେ ପାୱାର ଅଫ୍ ଆଟର୍ଣ୍ଣି କ୍ଷମତାର ଅଧିକାରିଣୀ ଭାବେ ଏଠାରେ କୁହାଯାଇଥିବା ସଂସ୍ଥା ଉପରେ ମୋର କୌଣସି ନିୟନ୍ତ୍ରଣ ନଥିଲା ଓ କୌଣସି କାରବାରର ଲାଭ ମୋତେ ମିଳିନାହିଁ।

ମିଳିଥିବା ସୂଚନା ଅନୁସାରେ, ଫିନ୍‌ଲେ କର୍ପୋରେସନ ଲିମିଟେଡ୍, ମେସିନା କର୍ପୋରେସନ ଲିମିଟେଡ ଏବଂ ପିକିକା ଲିମିଟେଡ ନାମରେ କମ୍ପାନି କାରବୀୟ ଅଞ୍ଚଳରେ ସ୍ଥାପନ କରାଯାଇଥିଲା। ୨୦୧୬ରେ ଅନ୍ତର୍ଜାତୀୟ ତଦନ୍ତମୂଳକ ସାମ୍ବାଦିକ ସଂଘ (ଆଇସିଆଇଜେ) ପକ୍ଷରୁ ଜାରି କରାଯାଇଥିବା ବାହାମାସ୍ ଲିକ୍ ରିପୋର୍ଟରେ ଏହି ୩ ସଂସ୍ଥାର ନାମ ଥିଲା।

ବାହାମାସ କମ୍ପାନି ରେଜିଷ୍ଟ୍ରାର୍‌ଙ୍କ କାର୍ଯ୍ୟାଳୟର କାଗଜପତ୍ର ଅନୁଯାୟୀ, ଫିନଲେକୁ ୧୯୯୩ ଜୁନ, ମେସିନାକୁ ୧୯୯୫ ଜାନୁଆରି ଏବଂ ପିକିକାକୁ ୨୦୦୩ ମାର୍ଚରେ କର୍ପୋରେଟ ସର୍ଭିସେସ୍ ଇଣ୍ଟରନ୍ୟାସନାଲ ଲିମିଟେଡ ନାମକ ଏଜେଣ୍ଟ ଜରିଆରେ ସ୍ଥାପନ କରାଯାଇଛି। କମ୍ପାନି ଗୁଡ଼ିକର ଠିକଣା ବାହାମାସର ନାସାଉ ଦର୍ଶାଯାଇଥିଲା।

କାଗଜପତ୍ର ଏହା ମଧ୍ୟ କହୁଛି ଯେ ଦିଲ୍ଲୀ ଠିକଣାରେ ରହୁଥିବା ମଞ୍ଜୁଳାଙ୍କ ନାମରେ ଫିନ୍‌ଲେ ଓ ମେସିନାର ପାୱାର ଅଫ୍ ଆଟର୍ଣ୍ଣି ଯଥାକ୍ରମେ ୧୯୯୪ ଜୁଲାଇ ଓ ୧୯୯୫ ଜାନୁଆରିରୁ ରହିଛି। ଓଡ଼ିଶାର ଏକ ରାଜ ପରିବାର ସହିତ ସମ୍ପର୍କ ଥିବା ମଞ୍ଜୁଳା ହେଉଛନ୍ତି କାଲୋରେକ୍ସ ଗ୍ରୁପର ସିଇଓ। ସେହି ସଂସ୍ଥା ଗୁଜରାଟରେ ସ୍କୁଲ ଚଲାଉଛି। ସେ କ୍ରିଷ୍ଣଗଡ଼ ଏନଭାର୍ଣ୍ଣମେଣ୍ଟାଲ ଡେଭଲପମେଣ୍ଟ ଆକ୍ସନ ପ୍ରାଇଭେଟ ଲିମିଟେଡ ଓ ଓଡ଼ିଶା ଟେଲିଭିଜନ ଲିମିଟେଡର ବୋର୍ଡରେ ସଦସ୍ୟ ଅଛନ୍ତି।

୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ସେ ବୈଜୟନ୍ତ ଓ ଜଗିଙ୍କ ସହିତ ଓରଟେଲ କମ୍ୟୁନିକେସନ ଲିମିଟେଡରେ ନିର୍ଦେଶକଭାବେ କାମ କରୁଥିଲେ। ବର୍ତ୍ତମାନ ସେହି ସଂସ୍ଥା ଦେବାଳିଆ ଆଇନ ଅଧୀନରେ ରହିଛି ଏବଂ ତାହାର ବିଚାର ଚାଲିଛି।

୧୯୯୫ରୁ ୨୦୦୭ ମଧ୍ୟରେ ବାହାମାସରେ ସ୍ଥାପନ କରାଯାଇଥିବା ୩ କମ୍ପାନି ଫିନଲେ, ମେସିନା ଓ ପିକିକା ସେମାନଙ୍କର ଭାରତୀୟ ସହଯୋଗୀ ସଂସ୍ଥା ଏମଏସ ଟେଲିକମ୍ ଲିମିଟେଡ ଓ କାଲୋରେକ୍ସ ହୋଲଡିଂ ଜରିଆରେ ଓରଟେଲରେ ୧୭ କୋଟି ୭୨ ଲକ୍ଷ ଟଙ୍କା ଖଟେଇଥିଲେ। ଇକ୍ବିଟି, ପ୍ରିଫରେନ୍ସିଆଲ ସେୟାର ଓ ଋଣ ପ୍ରଦାନ ଜରିଆରେ ସେହି ନିବେଶ କରାଯାଇଥିଲା। ଉଭୟ ଏମଏସ ଟେଲିକମ୍ ଓ କାଲୋରେକ୍ସର ନିର୍ଦ୍ଦେଶିକା ଭାବେ ମଞ୍ଜୁଳା କାର୍ଯ୍ୟ କରୁଥିଲେ।

ପଣ୍ଡାଙ୍କ ପରିବାର ତରଫରୁ ବାହାମାସର ୩ କମ୍ପାନି ଓ ସେମାନଙ୍କ ଭାରତୀୟ ସହଯୋଗୀ ସଂସ୍ଥା ଜରିଆରେ ଓରଟେଲରେ ନିବେଶ କରାଯାଇଥିବା ୯ କୋଟି ୪୬ ଲକ୍ଷ ଟଙ୍କାର ଇକ୍ବିଟି ସେୟାରକୁ ଏକ ଷଷ୍ଠାଂଶ କମ୍ ମୂଲ୍ୟରେ ଅର୍ଥାତ ୧ କୋଟି ୬୮ ଲକ୍ଷ ଟଙ୍କାରେ ଅଧିଗ୍ରହଣ କରାଯାଇଥିଲା। ପରିବାର ମାଲିକାନାରେ ଥିବା ପଣ୍ଡା ଇନଭେଷ୍ଟମେଣ୍ଟ୍‌ସ୍‌ ଓ ମେଟ୍ରୋ ସ୍କାଏନେଟ୍‌ ଜରିଆରେ ଏହି କାରବାର ହୋଇଥିଲା।

ପୁନଶ୍ଚ, ଫିନ୍‌ଲେରେ ଥିବା ସମସ୍ତ ପ୍ରିଫରେନ୍ସିଆଲ ସେୟାରକୁ ୨୦୧୦ ଡିସେମ୍ବରରେ ଓଡ଼ିଶା ଟେଲିଭିଜନ ନାମରେ ଆବଣ୍ଟନ କରାଯାଇଥିଲା, ଯାହାର ନିର୍ଦ୍ଦେଶକ ହେଉଛନ୍ତି ଉଭୟ ମଞ୍ଜୁଳା ଓ ଜଗି। ୨୦୧୧ ଜୁଲାଇରେ ପିକିକା ଓ ୨୦୧୩ ଫେବ୍ରୁଆରିରେ ମେସିନାକୁ ବନ୍ଦ କରି ଦିଆଯାଇଥିଲା। ୨୦୧୮ ମାର୍ଚ୍ଚରେ ଫିନଲେ ବନ୍ଦ ହୋଇଥିଲା। ଏହାସତ୍ତ୍ବେ କମ୍ପାନି ଦାଖଲ କରିଥିବା ବାର୍ଷିକ ରିଟର୍ଣ୍ଣରେ ଏହା ଏମଏସ ଟେଲିକମକୁ ଦେଇଥିବା ୨.୦୩ କୋଟି ଟଙ୍କାର ଋଣ ଏବଂ ସେହି କମ୍ପାନିରେ ଥିବା ନିଜର ୯୬.୧୩% ଅଂଶଧନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲା।

ବୈଜୟନ୍ତ ଦେଇଥିବା ତାଙ୍କ ପ୍ରତିକ୍ରିୟାରେ ଏହା ମଧ୍ୟ କହିଛନ୍ତି, ମୋ ସହିତ ପରିବାର ନାମରେ ଆସିଥିବା ଅଭିଯୋଗ ମୋତେ ଆଘାତ ଦେଇଛି। ତେବେ ଏହି ଅଭିଯୋଗ କିଏ କରିଛି ତାହା ଉଲ୍ଲେଖ କରାଯାଇନାହିଁ। ଗତ କିଛି ବର୍ଷ ହେଲା ନିର୍ବାଚନ ପୂର୍ବରୁ ଏଭଳି ଅଭିଯୋଗ ଆସିବା ଏକ ଧାରାରେ ପରିଣତ ହୋଇଯାଇଛି। ବିଶେଷକରି ମୋର ମତ ଯେତେବେଳେ କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ବିରୋଧରେ ଯାଉଛି ସେତେବେଳେ ଏଭଳି ଅଭିଯୋଗ ମୋ ‌ବିରୋଧରେ ନିୟମିତ ଭାବେ ଆସୁଛି। ମୋର ଖ୍ୟାତିକୁ ନଷ୍ଟ କରିବା ଲାଗି ଅତୀତରେ କରାଯାଇଥିବା ଏଭଳି ଉଦ୍ୟମକୁ ମୁଁ ମୋ ୱେବସାଇଟ୍ ମାଧ୍ୟମରେ ଖଣ୍ଡନ କରିସାରିଛି। ଏ କ୍ଷେତ୍ରରେ ମଧ୍ୟ ମୁଁ ଦୃଢ଼ଭାବେ ଏସବୁ ଅଭିଯୋଗକୁ ଦୃଢ଼ଭାବେ ଖଣ୍ଡନ କରୁଛି। ମୁଁ ଏଭଳି ଏକ ବ୍ୟବସାୟ ପରିବାରରୁ ଆସିଛି ଯିଏ ଗତ ୬୦ ବର୍ଷ ହେଲା ପବ୍ଲିକ ଓ ପ୍ରାଇଭେଟ କମ୍ପାନି ପରିଚାଳନା କରିବା ସହ ଭାରତରେ ହଜାର ହଜାର ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଛି। ବିଶ୍ବରେ ଏହି କମ୍ପାନି ଆଇନଗତ ଭାବେ ବ୍ୟବସାୟ କରୁଛି। ଏଠାରେ ଯେଉଁ ଓରଟେଲ କମ୍ପାନି ବିଷୟରେ କୁହାଯାଇଛି ତାହା ମଧ୍ୟ ଗତ ୨୫ ବର୍ଷ ହେଲା ବ୍ୟବସାୟ କରି ଆସୁଛି।

ସମ୍ବନ୍ଧିତ ଖବର