ଜାମିନ ରଦ୍ଦ, ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ହାଇକୋର୍ଟରେ ଭୁଲ ତଥ୍ୟ ଉପସ୍ଥାପନ କରି ଫସିଲେ ଅଭିଯୁକ୍ତ

କଟକ: ଭୁଲ ତଥ୍ୟ ଉପସ୍ଥାପନ ସହିତ ଚଞ୍ଚକତା କରିଥିବା ବ୍ୟକ୍ତିଙ୍କୁ ପୂର୍ବରୁ ୨୦୧୭, ମେ’ ୨୪ରେ ପ୍ରଦାନ କରାଯାଇଥିବା ନିୟମିତ ଜାମିନ ହାଇକୋର୍ଟ ରଦ୍ଦ କରିଛନ୍ତି। ଏକ ସପ୍ତାହ ଭିତରେ ସେକ୍ ମୋଜି ଓରଫ ମିଆଜାନ୍ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ। ଯଦି ଏଥିରେ ଅବହେଳା କରାଯାଏ ତେବେ ତାଙ୍କ ଗିରଫଦାରୀ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂଜିଦା ବିବି ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜାଲିଆତି କରି ଓ ତଥ୍ୟ ଲୁଚାଇ ହାସଲ କରାଯାଇଥିବା ଜାମିନ ନିର୍ଦ୍ଦେଶ ରଦ୍ଦ କରାଯିବା ଉଚିତ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ‌େଯୗତୁକ ପାଇଁ ଜଣେ ମହିଳାଙ୍କ ଉପରେ ସେକ୍ ମୋଜି କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ଭଦ୍ରକ ପୁରୁଣାବଜାର ଥାନା ମାମଲାରେ ସେକ୍ ମୋଜିଙ୍କୁ ଗିରଫ କରାଯିବା ପରେ ସେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୭, ଏପ୍ରିଲ ୧୩ରେ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଏହା ପରେ ପୁଣି ସେ ୨୦୧୭, ମେ’ ୨୨ରେ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ୨୦୧୭, ମେ’୨୪ରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ୨୦୧୭, ମେ’୨୪ର ଜାମିନ ମଞ୍ଜୁର ନିର୍ଦ୍ଦେଶକୁ ରଦ୍ଦ କରିବା ପାଇଁ ପୀଡିତାଙ୍କ ପରିବାର ପକ୍ଷରୁ ୨୦୧୮ରେ ରାଜ୍ୟ ସରକାର ଓ ସେକ୍ ମୋଜିଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରାଯାଇଥିଲା। ଆବେଦନରେ ଦର୍ଶାଯାଇଥିଲା‌ଯେ ପୂର୍ବରୁ ୨୦୧୭, ଏପ୍ରିଲ ୧୩ରେ ସେକ୍ ମୋଜିଙ୍କ ଜାମିନ ହାଇକୋର୍ଟରେ ଖାରଜ ହୋଇଥିବା ‌ବେଳେ ପରବର୍ତ୍ତୀ ସମୟରେ ସେ ଦାୟର କରିଥିବା ଦ୍ବିତୀୟ ଆବେଦନରେ ଏ ନେଇ କିଛି ଉ‌େଲ୍ଲଖ କରି ନଥିଲେ। ଦ୍ବିତୀୟ ଜାମିନ ଆବେଦନର ଶୁଣାଣି ସମୟରେ ୨୦୧୬, ଜୁଲାଇ ୮ରେ ‌ସେକ୍ ମୋଜି ଗିରଫ ହୋଇଥିବା ଦର୍ଶାଯାଇଥିଲା। କିନ୍ତୁ ପ୍ରକୃତରେ ସେ ୨୦୧୭, ଜାନୁଆରି ୨୪ରେ ଗିରଫ ହୋଇଥିଲେ। ଏପରି ଭାବେ ଭୁଲ ତଥ୍ୟ ଉପସ୍ଥାପନ କରି ତଥା ପୂର୍ବ ଜାମିନ ଖାରଜ ନିର୍ଦ୍ଦେଶ ପ୍ରସଂଗରେ ଉଲ୍ଲେଖ ନ କରି ସେକ୍ ମୋଜି ୨୦୧୭, ମେ’ ୨୪ରେ ଜାମିନ ପାଇଥିଲେ ବୋଲି ଆବେଦନ‌ର ଶୁଣାଣି ସମୟରେ ଦର୍ଶାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏପରି ଜାଲିଆତି କରି ହାସଲ କରାଯାଇଥିବା ଜାମିନ ନିର୍ଦ୍ଦେଶ ରଦ୍ଦ କରାଯିବା ଉଚିତ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର