ବିପଦସଙ୍କେତ ଟପିଲା ବୈତରଣୀ : କଣ୍ଟିଘାଇ ଦେଇ ପଶିଲା ବନ୍ୟାଜଳ

ଭଣ୍ଡାରିପୋଖରୀର ୨୧ ଗ୍ରାମ ପ୍ରଭାବିତ

ଭଣ୍ଡାରିପୋଖରୀ : ବୈତରଣୀ ନଦୀର ବନ୍ୟା ବିପଦସଙ୍କେତ ଟପିଛି। ଆଜି ଅପରାହ୍ନ ୪ଟାରେ ଆଖୁଆପଦା ନିକଟରେ ନଦୀର ବିପଦସଙ୍କେତ ସ୍ତର ୧୭.୮୩ ମିଟରକୁ ଅତିକ୍ରମ କରି ସନ୍ଧ୍ୟା ୬ଟା ସୁଦ୍ଧା ୧୭.୯୦ ମିଟରରେ ବନ୍ୟା ପାଣି ପ୍ରବାହିତ ହେଉଛି। ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବାରୁ ଏହା ୧୮.୦୦ ମିଟରକୁ ଅତିକ୍ରମ କରିପାରେ ବୋଲି ଆଶଙ୍କା କରାଯାଉଛି। ଜଳସ୍ତର କ୍ରମାଗତ ବଢ଼ୁଥିବା ବେଳେ କଣ୍ଟିଘାଇ ଦେଇ ବନ୍ୟା ପାଣି ଜନବସତି ଓ ଚାଷ ଜମିରେ ପଶିଛି। ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି।

ଏହି ଘାଇ ଦେଇ ପଶୁଥିବା ବନ୍ୟାଜଳ ତଳିଆ ଅଞ୍ଚଳ ଷୋଳମପୁର ପଞ୍ଚାୟତର ମଣିନାଥପୁର, ଷୋଳମପୁର, ବରାହନୂଆପଡ଼ା, ମୁଢ଼ାପଦା, ବିନ୍ଧାଣ, ବିରୋଳି, ମାଳଦା ପଞ୍ଚାୟତର ମାଳଦା, ଚତୁୁର୍ଭୁଜପୁର, ସାରଣା, ଜଳହରି, ରାମପୁର, ରହଣିଆ ପଞ୍ଚାୟତର ରହଣିଆ, ଦେଉଳପଦୀ, ନୂଆପୋଖରୀ, ନୌରଙ୍ଗପୁର, କୁରିଗାଁ ପଞ୍ଚାୟତର ନାଉରିଗଡ଼ିଆ, ଷଠଗାଁ, ଗୋବିନ୍ଦଗଡ଼ିଆ, ଚାରବାଟିଆ, ବରିଗଡ଼ିଆ, ନପଙ୍ଗ ପଞ୍ଚାୟତର ଜୋରାଗଡ଼ିଆ, ନପଙ୍ଗ ଆଦି ଗ୍ରାମକୁ ପ୍ରଭାବିତ କରିଛି। ଶହ ଶହ ଏକର ଚାଷଜମିରେ ବନ୍ୟା ପାଣି ମାଡି ଯାଇଛି। ବନ୍ୟା ଯୋଗୁଁ ମୋଟ ୨୧ଟି ଗ୍ରାମ ପ୍ରଭାବିତ ହୋଇଛି।

ସେହିପରି ନଦୀପଠାରେ ଅବସ୍ଥିତ ବନ୍ଦାଳୋ-ମଡ଼ିଆଳି ପଞ୍ଚାୟତର ବଳିପୁର, ଖପୁରିଆପଦା, ବନ୍ଦାଳୋ, ମଢ଼ିଆଳି, ନୂଆପାଟଣା, କାଜିପାଟଣା, ମହେଶପୁର, ଝୁଟୁଣା ପଞ୍ଚାୟତର ବାବଲପୁର, ଝୁଟୁଣା, ଦାଦେଶ୍ୱର ଆଦି ଗ୍ରାମ ଜଳପ୍ଳାବିତ ହୋଇଛି। ଭଣ୍ଡାରିପୋଖରୀ-ମଣିନାଥପୁର ପୂର୍ତ୍ତ ରାସ୍ତାର ସର୍ତ୍ତାନାଳ ସେତୁ, ବାଲିଚତିରି, କରଞ୍ଜିଗଡ଼ିଆ ଆଦି ଖାଲୁଆ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ କରି ଦେଇଛି। ଗତ ୨୪ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ ଚମ୍ପୁଆରେ ୪.୦ ମି.ମି, କେନ୍ଦୁଝରରେ ୧୦.୮ମି.ମି, ସ୍ୱାମୀପାଟଣାରେ ୨୧.୮୦ ମି.ମି, ଆନନ୍ଦପୁରରେ ୫୪.୬୦ ମି.ମି, ଠାକୁରମୁଣ୍ଡାରେ ୨୨.୪୦ ମି.ମି, ଆଖୁଆପଦାରେ ୩୦.୨୦ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ଉପର ମୁଣ୍ଡର ବର୍ଷା ଉପରେ ନଦୀର ଜଳସ୍ତର ନିର୍ଭର କରୁଥିବାରୁ ବନ୍ୟା ଅଧିକ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଲଗାଣ ବର୍ଷା ଯୋଗୁଁ ମାଳଦା ପଞ୍ଚାୟତର ଚତୁର୍ଭୁଜପୁର ଗ୍ରାମରେ ବହୁ କଚ୍ଚାଘର ଭୁଶୁଡି ପଡ଼ିଛି। ଆଜି ବର୍ଷା କମିଥିବାରୁ ଆସନ୍ତା କାଲିଠାରୁ ବନ୍ୟା ପରିସ୍ଥିତିରେ ସୁଧାର ଆସିବ ବୋଲି ଜଳସମ୍ପଦ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧିତ ଖବର