ଉଛୁଳିଲା ସାଳନ୍ଦୀ; ବିପଦ ସଙ୍କେତ ଟପିଲା ବୈତରଣୀ

ଭଦ୍ରକ : ଗତ ତିନି ଦିନର ଲଘୁଚାପ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ସବୁଆଡ଼େ ଜଳମୟ ହୋଇଯାଇଛି। ଜିଲ୍ଲାରେ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ସମେତ ଗେଙ୍ଗୁଟି, କୋଚିଳା, ରେବ କପାଳି, ସରୁସାଗର ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବିଶେଷ କରି ଆଖୁଆପଦାଠାରେ ବୈତରଣୀ ନଦୀ ବିପଦସଂକେତ ଉପରେ ପ୍ରବାହିତ ହେଉଥିବାରୁ ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ଆଦି ବ୍ଲକ୍‌ରେ ପୁଣିଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ମିଟର ହୋଇଥିବାବେଳେ ଆଜି ସଂଧ୍ୟା ସୁଦ୍ଧା ଜଳସ୍ତର ୧୭.୯୪ମିଟର ଉପରେ ପ୍ରବାହିତ ହୋଇଛି। ଏହାଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ନଦୀ କୂଳିଆ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି ଭଦ୍ରକରେ ସାଳନ୍ଦୀ ନଦୀ ମଧ୍ୟ ଉଛୁଳିଛି। ଆଜି ସାଳନ୍ଦୀର ହଦଗଡ଼ଠାରେ ଜଳ ନିଷ୍କାସନ ପାଇଁ ୩ଟି ଗେଟ୍‌ ଖୋଲା ହୋଇଥିବାବେଳେ ସଂଧ୍ୟା ସୁଦ୍ଧା ଜଳସ୍ତର ୧୪.୫୦ ମିଟର ଉପରେ ପ୍ରବାହିତ ହେଉଛି। ତେବେ ଏବେ ବି ଏହା ବିପଦ ସଙ୍କେତ ତଳେ ରହିଛି। ସାଳନ୍ଦୀ ନଦୀ କୂଳ ଲଂଘିବାରୁ ଭଦ୍ରକ ସହର ସମେତ ତିହିଡ଼ି, ଚାନ୍ଦବାଲି ବ୍ଲକରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।

ସୂଚନା ଅନୁଯାୟୀ ବୈତରଣୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀର ବନ୍ୟା ଜଳ ପଶି ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ଅନେକ ପଞ୍ଚାୟତ ଜଳମଗ୍ନ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁଁ ନଦୀକୂଳିଆ ଗାଁ ଲୋକ ଆତଙ୍କିତ ହୋଇଛନ୍ତି। ସେମାନଙ୍କ ଚାଷ ଜମିରେ ବନ୍ୟା ଜଳରେ ବୁଡ଼ି ଯାଇଥିବାବେଳେ ପନିପରିବା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ ନଦବୀନ୍ଧ ଭାଙ୍ଗି ଗାଁରେ ପାଣି ପଶିଲେ ଲୋକଙ୍କୁ ଉଦ୍ଧାର ଓ ରିଲିଫ୍‌ କାଯ୍ୟର୍ ପାଇଁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ସମ୍ବାଦକୁ କହିଛନ୍ତି।

ଯାଜପୁର ଜଳବନ୍ଦୀ

ଯାଜପୁର/ଦଶରଥପୁର/ବିଂଝାରପୁର : ଲଗାଣ ବର୍ଷା ଯୋଗୁଁ ଯାଜପୁର ସ୍ଥିତି ବିଗିଡି ଯାଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାରେ ପ୍ରବାହିତ ବିଭିନ୍ନ ନଦୀ ଓ ଶାଖା ନଦୀ ଫୁଲିବାରେ ଲାଗିଛି। ଆଖୁଆପଦାଠାରେ ବୈତରଣୀ ଏବଂ ଦଶରଥପୁରଠାରେ କାଣୀ ନଦୀ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ସେପଟେ କାନ୍ଥ ପଡ଼ି ବିଂଝାରପୁର ବ୍ଲକ ବାଙ୍ଗରା ଗ୍ରାମର କାଳୀ ଆରୁଖ ଏବଂ ପାଣିରେ ବୁଡ଼ି ବଡ଼ଚଣା କନ୍ଦମପାଳ ଗ୍ରାମର ପୀତେଇ ପ୍ରଧାନ(୮୫)ଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ହଜାର ହଜାର ହେକ୍ଟର ଜମି ଜଳମଗ୍ନ ରହିଥିବା ବେଳେ କମ୍‌ ଦିନିଆ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ପ୍ରଚୁର ପରିମାଣର ପରିବା ଚାଷ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ବିଶେଷ କରି ଜିଲ୍ଲାର ଦଶରଥପୁର, ବରୀ, ରସୁଲପୁର, ବଡ଼ଚଣା, କୋରେଇ ଆଦି ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ, କାଣୀ ଓ ଖରସ୍ରୋତା ନଦୀର ବନ୍ୟା ଜଳ ଆସିବାରୁ ଜିଲ୍ଲାରେ ତଳିଆ ଅଞ୍ଚଳବାସୀ ନାହିଁ ନଥିବା ଦୁର୍ଦଶାର ଶିକାର ହୋଇଛନ୍ତି। ଦଶରଥପୁରର ତଳିଆ ଅଞ୍ଚଳ ଜଳମଗ୍ନ ରହିଥିବା ବେଳେ ଅନେକ ଘର ଭାଙ୍ଗି ଯାଇଛି। ସେହିପରି ବଡ଼ଚଣା ବ୍ଲକରେ କେତେକଙ୍କ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର