ଧସିଲା ୪ଶହ ଫୁଟ୍‌ ବୈତରଣୀ ନଦୀବନ୍ଧ

ଆରଡ଼ି : କୋଚିଳା ଓ ଗେଙ୍ଗଟି ନଦୀବନ୍ଧ ପରେ ପୁଣି ବୈତରଣୀ ନଦୀବନ୍ଧ ବିପଦ ମୁହଁକୁ ଟାଣିହୋଇ ଯାଇଛି। ଗତ ରାତିରେ ୪୦୦ ଫୁଟ୍‌ ବନ୍ଧ ଧସିପଡ଼ିଛି। ବନ୍ଧ ଧସି ନଦୀ ଗର୍ଭରେ ମିଶିଯିବା ପରେ ମୁକୁଳା ବନ୍ଧ ଆଁ କରିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତର ଷାଠିବାଙ୍କୁଡା ନିକଟରେ ଘଟିଛି ଏହି ଘଟଣା। ଏହାକୁ ନେଇ ନଦୀକୂଳବାସୀ ଆତଙ୍କିତ ହୋଇ ପଡ଼ିିଛନ୍ତି।

ପୂର୍ବରୁ କୋଚିଳା ନଦୀବନ୍ଧ ଅକ୍ଟୋବର ୧୦ରେ ଧସିଥିଲା। ସେତେ ବେଳେ ୮୦ ଫୁଟ୍‌ ବନ୍ଧ କ୍ଷତିଗ୍ରସ୍ତ ହୋଇଥିଲା। ପୁଣି ସେହିମାସ ୨୯ରେ ଉକ୍ତ ବନ୍ଧର ୨୦୦ ଫୁଟ୍‌ ଧସି ନଦୀଗର୍ଭରେ ଲୀନ ହୋଇ ଯାଇଥିଲା। ପରେ ଗେଙ୍ଗୁଟି ନଦୀବନ୍ଧ ମଧ୍ୟ ସମାନ କାରଣରୁ ବିପଦ ମୁହଁକୁ ଟାଣିହୋଇ ଯାଇଥିଲା। ଏବେ ବୈତରଣୀ ନଦୀବନ୍ଧକୁ ନେଇ ସାରା ଇଲାକାର ଲୋକେ ଚିନ୍ତାରେ ପଡ଼ିଛନ୍ତି। ଏହି ଘଟଣା ପରେ ଉଭୟ ଚାନ୍ଦବାଲି ଓ ଧାମନଗର ବ୍ଳକର ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ବୈତରଣୀ ନଦୀ ସବୁବେଳେ ଏହି ଦୁଇ ବ୍ଲକବାସୀଙ୍କ ପାଇଁ ବିପଦ ସାଜିଛି। କେତେ ବେଳେ ଲୁଣା ଜୁଆର ଯୋଗୁଁ ନଦୀବନ୍ଧ ଧସୁଛି ତ କେତେ ବେଳେ ବନ୍ୟା ପାଣି ମାଡ଼ରେ ବନ୍ଧ ଦବୁଛି। ଗତ ୬ ତାରିଖ ଦିନ ବୈତରଣୀ ନଦୀବନ୍ଧ ଷାଠିବାଙ୍କୁଡା ନିକଟରେ ୨୦ ଫୁଟ୍‌ ଧସି ଯାଇଥିଲା। ପୁଣି ଗତ ରାତିରେ ଲୁଣା ଜୁଆର ମାଡ଼ରେ ୪ଶହ ଫୁଟ ବନ୍ଧ ବୈତରଣୀ ଗର୍ଭରେ ବିଲୀନ ହୋଇଛି।

ଆଜି ଦିନସାରା ଏନେଇ ଲୋକେ ଚିନ୍ତିତ ଥିବାବେଳେ କେହି ବିଭାଗୀୟ ଅଧିକାରୀ କିନ୍ତୁ ଘଟଣାସ୍ଥଳକୁ ଆସିନାହାନ୍ତି। ଏଣେ ବନ୍ଧର ଅବସ୍ଥା ଦେଖି ନଦୀ ତଟରେ ବାସ କରୁଥିବା ୩୦ ପରିବାର ସାତ ପୁରୁଷର ଭିଟାମାଟି ଛାଡ଼ି ଜୀବନ ବଞ୍ଚାଇବାକୁ ଅନ୍ୟତ୍ର ଚାଲିଯିବାକୁ ଯୋଜନା କରୁଥିବା ଖବର ମିଳିଛି। ସ୍ଥାନୀୟ ନଦୀକୂଳବାସୀଙ୍କ ଅଭିଯୋଗ; ସେଚ ବିଭାଗ ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧ ଯାଜପୁର ପଟେ ମରାମତି ଜାରି ରଖିଛି। ବିଭିନ୍ନ ସ୍ଥାନରେ ଦୁର୍ବଳ ବନ୍ଧକୁ ପଥର ପ୍ୟାଚିଂ କରାଯାଉଛି। ହେଲେ ଭଦ୍ରକ ପାର୍ଶ୍ୱକୁ ବିଭାଗ ସଂପୂର୍ଣ୍ଣ ଅଣଦେଖା କରୁଛି। କେହି ଅଧିକାରୀ ଆସୁନାହାନ୍ତି କି ପରିସ୍ଥିତି ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ବନ୍ୟା ବେଳେ ବାଉଁଶ ଓ ବାଲି ବସ୍ତା ପକାଇ ନିଜ ଦାୟିତ୍ୱ ସାରି ଦେଉଛନ୍ତି। ଏ ସମ୍ପର୍କରେ ସେଚ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଉକ୍ତ ସ୍ଥାନରେ ନଦୀର ୟୁଟର୍ଣ୍ଣ ଥିବାରୁ ସମୁଦ୍ର ଜୁଆର ଓ ଉପରମୁଣ୍ଡରୁ ଆସୁଥିବା ବର୍ଷାଜଳ ସିଧାସଳଖ ବନ୍ଧରେ ମାଡ଼ ହେଉଥିବା ସେ କହିଛନ୍ତି। ଏଥିଯୋଗୁଁ ବନ୍ଧ କ୍ରମେ ଦୁର୍ବଳ ହେଉଛି। ବନ୍ଧ ମରାମତି ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପଠାଯାଇଛି। ଅନୁଦାନ ଆସିଲେ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର