ବଲାଙ୍ଗୀର ଆର୍‌ଆଇ, ଅମିନ ନିଯୁକ୍ତି ଜାଲିଆତି : ୪୫ ଜଣଙ୍କ ନାଁରେ ଚାର୍ଜସିଟ୍‌

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ବହୁଚର୍ଚ୍ଚିତ ଆର୍‌ଆଇ, ଅମିନ ଓ ଏଆର୍‌ଆଇ ନିଯୁକ୍ତି ମାମଲାରେ ଦୀର୍ଘ ୫ ବର୍ଷ ପରେ ଚାର୍ଜସିଟ୍‌ ଦାଖଲ ହୋଇଛି। ଗତ ୩୦ ତାରିଖରେ ଏହି ମାମଲାର ତଦନ୍ତକାରୀ ଡିଏସ୍‌ପି ଅଭିରାମ କର ଚୁଡ଼ାନ୍ତ ଚାର୍ଜସିଟ୍‌ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦାଖଲ କରିଛନ୍ତି। ଏଥିରେ ପୂର୍ବତନ ଜିଲ୍ଲାପାଳ ଦେବରାଜ ମିଶ୍ରଙ୍କ ସହ ପରୀକ୍ଷା ଦାୟିତ୍ୱରେ ଥିବା ତତ୍କାଳୀନ ଡେପୁଟି କଲେକ୍ଟର ଅନୀତା ପଣ୍ଡା, ତତ୍କାଳୀନ ପୁଇଁନ୍ତଲା ବିଡିଓ ରଘୁନାଥ ମୁଣ୍ଡାରୀ, ସଇଁନ୍ତଲା ବିଡିଓ ରିପୁନାଥ ସୁନା, ବଲାଙ୍ଗୀର ବିଡିଓ ବିନୋଦ ବିହାରୀ ଦାଶ, ଅବସର ନେଇ ସାରିଥିବା ଡିଡବ୍ଲ୍ୟୁଓ ବାବୁ ମହାରଣା, ବରିଷ୍ଠ କିରାଣୀ ନିରଞ୍ଜନ ତ୍ରିପାଠୀ, ମକରଧ୍ୱଜ କାଲସାଏ, ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତଗତ ସୁରକ୍ଷାକର୍ମୀ ଅରବିନ୍ଦ ଖମାରୀଙ୍କ ସମେତ ମୋଟ ୪୫ ଜଣଙ୍କୁ ଅଭିଯୁକ୍ତ କରାଯାଇଛି। ନିଯୁକ୍ତି ପ୍ରକ୍ରିୟାରେ କୃତକାର୍ଯ୍ୟ ହୋଇଥିବା ୩୬ଜଣଙ୍କୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କରାଯାଇଛି।

ସୂଚନାଯୋଗ୍ୟ ୨୦୧୧ ଡିସେମ୍ବର ୧୭ ତାରିଖରେ ବଲାଙ୍ଗୀର ଜିଲ୍ଲାରେ ୧୫୩ଜଣ ଆର୍‌ଆଇ, ଏଆରଆଇ ଓ ଅମିନଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଭିନ୍ନ ଯାଞ୍ଚ ପ୍ରକ୍ରିୟା ପରେ ୨୦୧୩ ଜୁନ ୧୩ ତାରିଖରେ ପରୀକ୍ଷା ହୋଇଥିଲା। ପରୀକ୍ଷା ପରେ ଉତ୍ତର ଖାତାକୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଥିବା ପ୍ରକୋଷ୍ଠରେ ସିଲ୍‌ କରି ରଖାଯାଇଥିଲା। ୩ ଦିନ ମଧ୍ୟରେ ପରୀକ୍ଷା ଖାତା ମୂଲ୍ୟାୟନ କରାଯାଇ ଫଳ ପ୍ରକାଶ ପାଇଥିଲା। ତେବେ ଏହି ନିଯୁକ୍ତି ପ୍ରକ୍ର୍ରିୟାରେ ଜାଲିଆତି କରାଯାଇଥିବା ଅଭିଯୋଗ ଉଠିଥିଲା। ବିଭିନ୍ନ ପର୍ଯ୍ୟାୟରେ ନିରାଶ ପରୀକ୍ଷାର୍ଥୀମାନେ ଅଭିଯୋଗ କରିବା ସହ ଆର୍‌ଟିଆଇରେ ପରୀକ୍ଷା ଖାତା ମାଗିଥିଲେ। ମୂଲ୍ୟାୟନ ପୂର୍ବରୁ ପରୀକ୍ଷା ଖାତା ପ୍ୟାକେଟ ସିଲ୍‌ ଖୋଲା ଯାଇଥିବା ଓ ପସନ୍ଦର ପରୀକ୍ଷାର୍ଥୀଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରି ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଥିଲା। କମ୍‌ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କ ଖାତାରେ ଚଞ୍ଚକତା କରି ମାର୍କ ବଢାଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଥିଲା। ପ୍ରଥମେ ମାମଲା ଭିଜିଲାନ୍ସ ନେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ମାମଲା ହାତକୁ ନେଇ ଛାନବିନ କରିବା ସହ ତତ୍କାଳୀନ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ନାଁରେ ମାମଲା କରିଥିଲା କୋର୍ଟରେ। ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାମଲା ପୁଣିଥରେ ଭିଜିଲାନ୍ସକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତତ୍କାଳୀନ ଭିଜିଲାନ୍ସ ଡିଏସ୍‌ପି ଅଭିରାମ କର ହାତକୁ ନେଇଥିଲେ ତଦନ୍ତ। ୨୦୧୬ ମସିହାରେ ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତି କରିଥିବା ଅଭିଯୋଗରେ ତତ୍କାଳୀନ ଜିଲ୍ଲାପାଳ ଦେବରାଜ ମିଶ୍ର, ବରିଷ୍ଠ କିରାଣୀ ନିରଂଜନ ତ୍ରିପାଠୀଙ୍କୁ ଗିରଫ କରିଥିଲେ।

ଅନ୍ୟପକ୍ଷରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଯୁକ୍ତି ପାଇଥିବା ଆର୍‌ଆଇ, ଏଆରଆଇ ଓ ଅମିନଙ୍କ ନିଯୁକ୍ତିକୁ ଅସିଦ୍ଧ ଘୋଷଣା କରିବାକୁ ଦାବି ହୋଇଥିଲା। ଆଇନ ବିଭାଗ ସହ ଆଲୋଚନା କରିବା ପରେ ରାଜସ୍ୱ ବିଭାଗ ୧୫୩ ଜଣଙ୍କ ନିଯୁକ୍ତିକୁ ଅସିଦ୍ଧ ଘୋଷଣା କରିଥିଲେ। ୩ ବର୍ଷ ଧରି ଚାକିରି କରିବା ପରେ ସେମାନଙ୍କ ନିଯୁକ୍ତି ଅସିଦ୍ଧ ହେବାରୁ ସେମାନେ ସ୍ୟାଟ୍‌ର ଦ୍ୱାରସ୍ଥ ହୋଇଥିଲେ ଚାକିରି ହରାଇଥିବା ଯୁବକ, ଯୁବତୀ। ସେଠାରୁ ବି ନିରାଶ ହୋଇଥିଲେ ସେମାନେ।

୩୬ ଜଣଙ୍କୁ ସମନ୍‌

ବଲାଙ୍ଗୀର : ଆର୍‌ଆଇ ଓ ଅମିନ ଭାବେ ନିଯୁକ୍ତି ପାଇ ପରବର୍ତ୍ତୀ ସମୟରେ ଚାକିରି ହରାଇଥିବା ୩୬ଜଣଙ୍କୁ ବି ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି। ସେମାନେ ହେଲେ ସବିତାମଣି ନାୟକ, ରୂପକ ନାୟକ, ବିଜୟ ନାଏକ, ସୁନାଧର ଖଟୁଆ, ହୃଷିକେଶ ସାହୁ, ସୁବାସ ଚନ୍ଦ୍ର ନାୟକ, ଦିଲୀପ ସାହୁ, ଶମ୍ଭୁ ପ୍ରସାଦ ସାହୁ, ନରେଶ ଜାଲ, ପଙ୍କଜ ପଟ୍ଟନାୟକ, ବିଶ୍ୱମ୍ବର ଷାଣ୍ଢ, ପ୍ରେମରଂଜନ ମନହିରା, ଆନନ୍ଦ ତ୍ରିପାଠୀ, ସୁବ୍ରତ ନାଏକ, ରାଜେଶ ବାଗ, ନରୋତ୍ତମ ପ୍ରଧାନ, ବିନତାଞ୍ଜଳି ସ୍ୱାଇଁ, ସଂଜୟ ମଲ୍ଲିକ, ସୁକାନ୍ତ ନନ୍ଦ, ରସାନନ୍ଦ ଭୋଇ, ସନ୍ତୋଷ ସାହୁ, ଯଶୋବନ୍ତ ସିଂ, ଅମର ସୁନା, ଗୌର ବାଗ, ରବିନ୍ଦ୍ର ହୋତା, ରମେଶ ଚନ୍ଦ୍ର ପୁଟେଲ, ବ୍ୟୋମକେଶ ଭୋଇ, ସନ୍ତୋଷ ମେହେର, ସତ୍ୟବ୍ରତ ସାହୁ, ସୁରେଶ ସାହୁ, ରାଜାରାମ ପୁଟେଲ, ବିନୋଦ କାଲସାଏ, ସୁମନ୍ତ ବରାଡ, ସୁକାନ୍ତି ଭୋଇ, ସିଦ୍ଧାର୍ଥ କାଲସାଏ, ପ୍ରଶାନ୍ତ ସାହୁ ପ୍ରମୁଖ। ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସେମାନଙ୍କୁ ସମନ୍‌ କରିଛନ୍ତି। ସେମାନେ ସମନ ପାଇବା ପରେ ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର