ମିସନ ‘ଗଗନଯାନ’ରେ ବଲାଙ୍ଗୀରର ନିଖିଲ, ୧୨ ଜଣିଆ ଟିମ୍‌ ସହ ତାଲିମ୍‌ ପାଇଁ ରୁଷିଆ ଯିବେ

ବଲାଙ୍ଗୀର : ଚନ୍ଦ୍ରଯାନ ପରେ ଆସନ୍ତା ୨୦୨୨ରେ ଭାରତ ମହାକାଶକୁ ଗଗନଯାନ ପଠାଇବ। ଏହି ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ପ୍ରଥମଥର ପାଇଁ ଏହି ମିସନ୍‌ରେ ୩ ଜଣ ମହାକାଶଚାରୀଙ୍କୁ ମଧ୍ୟ ପ୍ରେରଣ କରାଯିବ। ଚୂଡ଼ାନ୍ତ ଚୟନ ପୂର୍ବରୁ ମହାକାଶ ଯାତ୍ରା ତାଲିମ ନେବାକୁ ଭାରତୀୟ ବାୟୁସେନାର ୧୨ ଜଣ ଦକ୍ଷ ପାଇଲଟ୍‌ଙ୍କୁ ଚୟନ କରାଯାଇଛି। ସେମାନେ ଖୁବ୍‌ଶୀଘ୍ର ତାଲିମ ପାଇଁ ରୁଷିଆ ଯିବେ। ଏହି ୧୨ ଜଣିଆ ଟିମ୍‌ରେ ଅଛନ୍ତି ବଲାଙ୍ଗୀରର ପୁଅ ୱିଙ୍ଗ୍‌ କମାଣ୍ଡର ନିଖିଲ ରଥ। ଏହି ଖବର ଜଣାପଡ଼ିବା ପରେ ବଲାଙ୍ଗୀରରେ ଆନନ୍ଦର ଲହରୀ ଖେଳିଯାଇଛି। ସହରର ସୁଦପଡ଼ାରେ ରହୁଥିବା ନିଖିଲଙ୍କ ପରିବାର ଲୋକଙ୍କୁ ବହୁ ବ୍ୟକ୍ତି ବଧାଇ ଜଣାଇଛନ୍ତି। ନିଖିଲ ହେଉଛନ୍ତି ବଲାଙ୍ଗୀରର ଆଇନଜୀବୀ ତଥା ରାଜନେତା ଅଶୋକ ରଥ ଏବଂ ମହିଳା କମିସନ ସଦସ୍ୟା କୁସୁମ ରଥଙ୍କ ଏକମାତ୍ର ପୁଅ। ନିଖିଲଙ୍କ ଏହି ସାଫଲ୍ୟରେ ବାପା ମା’ଙ୍କର ବି ଖୁସିର ସୀମା ନାହିଁ। ତିନି ଜଣଙ୍କ ଭିତରେ ନିଖିଲ ନିଶ୍ଚୟ ସ୍ଥାନ ପାଇ‌େବ ବୋଲି ସେମାନେ ଆଶା ରଖିଛନ୍ତି।

ପ୍ରକାଶଥାଉକି, ଗତ ୨୦୦୪ ମସିହାରେ ନିଖିଲ ବାୟୁସେନାରେ ସାମିଲ ହୋଇଥିଲେ। ବର୍ତ୍ତମାନ ସେ ଚଣ୍ଡୀଗଡ଼ ଏୟାରବେସ୍‌ରେ ୱିଙ୍ଗ୍‌ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି। ସଂଯୋଗବଶତଃ ତାଙ୍କ ସ୍ତ୍ରୀଙ୍କ ନାଁ ଗଗନ ରଥ। ଏୟାରଫୋର୍ସର ଅନେକ କଠିନ ମିସନ୍‌ରେ ନିଖିଲ ସାମିଲ ଥିବାବେଳେ ସଫଳତାର ସହ ତାକୁ ସଂପାଦନ କରି ଅନେକ ଥର ପୁରସ୍କୃତ ମଧ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର