ବିଡିଓ ଅପହରଣ ମାମଲା: ମାଷ୍ଟରମାଇଣ୍ଡ ଫେରାର୍‌, ୩ ଜଣଙ୍କୁ କୋର୍ଟଚାଲାଣ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ବିଡିଓଙ୍କ ଅପହରଣ ମାମଲାରେ ୯ ଜଣ ସାମିଲ ଥିବା ପୁଲିସ କହିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୁଲିସ ଗିରଫ କରିବା ପରେ କୋର୍ଟଚାଲାଣ କରିଛି। ଘଟଣାର ମାଷ୍ଟରମାଇଣ୍ଡ ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡିଙ୍କ ସହ ଅନ୍ୟମାନେ ଫେରାର ମାରିଛନ୍ତି।

ଗତ ୨୯ ତାରିଖ ଦିନ ପୁଇଁତଲା ବ୍ଲକ କାର୍ଯ୍ୟାଳୟରେ ବିଡିଓ କାର୍ଯ୍ୟରତ ଥିବା ସମୟରେ ବ୍ଲକ୍‌ ଉପାଧ୍ୟକ୍ଷ ଶ୍ରୀ ଗୁରାଣ୍ଡି ଓ ଅନ୍ୟମାନେ ତାଙ୍କୁ ଅପହରଣ କରି ନେଇଥିଲେ। ଏହାକୁ ନେଇ ଏବିଡିଓ ପୁଇଁତଲା ଥାନାରେ ଏତଲା ଦେଇଥିଲେ। ଏତଲାକ୍ରମେ ପୁଇଁତଲା ଥାନା କେସ ନଂ-୫୭, ଦଫା- ୩୪୧, ୪୫୨, ୧୮୬, ୩୫୩, ୩୬୪(ଏ) ୩୪ ଆଇପିସିରେ ମାମଲା ରୁଜୁ କରାଯାଇଥିଲା। ପୁଲିସ ତଦନ୍ତ ସମୟରେ ସିସିଟିଭି ଭିଜୁଆଲରୁ ଏହି ମାମଲାରେ ୯ ଜଣ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା। ସେମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ଓରଫ ରଘୁନାଥ ଗୁରାଣ୍ଡି, ମନୋରଞ୍ଜନ ନେଗୀ, ସଚିନ ଗୁରାଣ୍ଡି, ରଞ୍ଜନ ଗୁରାଣ୍ଡି, ଖଏରୁ ଗୁରାଣ୍ଡି, ଖଏରୁ କର୍ମୀ, ସୁବୋଧ ସଲତାର, ପ୍ରଦୀପ ମେର୍ଲି, ବରପାଲିଆ ଗୁରାଣ୍ଡି ବୋଲି ପୁଲିସ ସିସିଟିଭି ଫୁଟେଜରୁ ଚିହ୍ନଟ କରିଥିଲା। ଏପର୍ଯ୍ୟନ୍ତ ସୁଦ୍ଧା ପୁଲିସ୍‌ ଉମରିଆ ଗାଁର ମନୋରଞ୍ଜନ କର୍ମୀ(୨୮), ମନୋରଞ୍ଜନ ନେଗୀ(୩୦) ଓ ଘଟଣାରେ ଏମାନଙ୍କୁ ସହଯୋଗ କରିଥିବା ମେଘନାଥ ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ, ବ୍ଲକ୍‌ ଉପାଧ୍ୟକ୍ଷ ଶ୍ରୀ ଗୁରାଣ୍ଡି ଫେରାର୍‌ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର