ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ଘଟଣା : ରାଜ୍ୟରୁ ରାଜ୍ୟ ଘୂରି ବୁଲୁଛି ମାଷ୍ଟରମାଇଣ୍ଡ!

୨ କୋରିଅର୍‌ ସଂସ୍ଥା କର୍ମଚାରୀ ଅଟକ
ଛାନ୍‌ଭିନ୍‌ ପାଇଁ ଗଲେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି

କଟକ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ରହସ୍ୟ ଅଧିକ ବଢ଼ିବାରେ ଲାଗିଛି। ସାରାଦେଶରେ ଥିବା ବୋମା ଫ୍ୟାକ୍ଟ୍ରିରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଏବେ ଛାନଭିନ୍‌ କରୁଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ଫ୍ୟାକ୍ଟ୍ରିରୁ ବୋମା କିଣାଯାଇଛି, ସେ ସମ୍ପର୍କରେ ବଳିଷ୍ଠ ପ୍ରମାଣ କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିପାରି ନାହିଁ। କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା ପରେ ଛାଡ଼ି ଦେଇଛି। ଏଭଳି ସ୍ଥିତିରେ ପାଟଣାଗଡ଼ରେ ଉକ୍ତ ପାର୍ସଲ ଆସିଥିବା କୋରିଅର୍‌ ସଂସ୍ଥାକୁ ସ୍କାନର୍‌କୁ ଆଣିଛି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି। ଅନ୍ୟପଟେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ପାଟଣାଗଡ଼ ଗସ୍ତରେ ଯାଇଛନ୍ତି। ସେ ଏସ୍‌ଆଇଟିର ଚାରି ଅଫିସରଙ୍କୁ ତଦନ୍ତରେ ସହଯୋଗ କରିବା ସହିତ ଅପରାଧିକ ଦିଗଗୁଡ଼ିକ ଉପରେ ଅନୁଧ୍ୟାନ କରୁଥିବା ସୂଚନା ଦେଇଛନ୍ତି।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ଚାଞ୍ଚଲ୍ୟକର ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମାର୍ଚ୍ଚ ୨୪ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଗଠିତ ଏସ୍‌ଆଇଟି(ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଏବେ ଅଭିଯୁକ୍ତଙ୍କ ପିଛା କରି ରାଜ୍ୟରୁ ରାଜ୍ୟ ଘୂରି ବୁଲୁଛି। ୨୦ ଦିନ ମଧ୍ୟରେ କ୍ରାଇମ୍‌ବ୍ରାଞ୍ଜ ଓଡ଼ିଶା ସମେତ ଛତିଶଗଡ଼ର ରାୟପୁର, କର୍ଣ୍ଣାଟକର ବାଙ୍ଗାଲୁର, ବିହାର, ଉତ୍ତରପ୍ରଦେଶ ସମେତ ଆହୁରି ଚାରିରୁ ପାଞ୍ଚ ରାଜ୍ୟରେ ଚଢ଼ଉ କରାଯାଇଛି। ବିସ୍ଫୋରଣରେ ମୃତ ସୌମ୍ୟ ଶେଖର ସାହୁ, ସ୍ତ୍ରୀ ରିମା ସାହୁ ଏବଂ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ସମେତ ସମ୍ପର୍କୀୟଙ୍କୁ ମିଶାଇ ପାଖାପାଖି ୨୦୦ ଲୋକଙ୍କ ମୋବାଇଲ୍‌ ଫୋନ୍‌ର ସିଡିଆର୍‌ ଆଧାରରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଉକ୍ତ ରାଜ୍ୟରେ ଚଢ଼ଉ କରୁଛି। ପୂର୍ବରୁ ପାଟଣାଗଡ଼ କୋରିଅର୍‌ ସଂସ୍ଥାର ୨୦ ଜଣ ସଦସ୍ୟଙ୍କୁ ଜେରା କରି ଛାଡ଼ି ଦେଇଥିବାବେଳେ ଏବେ ସମ୍ପୃକ୍ତ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ଅଟକ ରଖିବା ଘଟଣା ପାଟଣାଗଡ଼ରେ ଚର୍ଚ୍ଚା ସୃଷ୍ଟି କରିଛି।

ବିସ୍ଫୋରଣ ପଛରେ ଚାକିରି ବିବାଦ!

କିଏ ଓ କାହିଁକି ବୋମା ବିସ୍ଫୋରଣ କରି ପରିବାରକୁ ଛାରଖାର କରିଦେବାର ଏଭଳି ସାଂଘାତିକ ଷଡ଼ଯନ୍ତ୍ର ରଚିଥିଲା, ତାହାର ଉତ୍ତର ଏଯାଏ ମିଳିପାରି ନାହିଁ। କ୍ରାଇମବ୍ରାଞ୍ଚର ଏସ୍‌ଆଇଟି ଅପରାଧୀକୁ ଖୋଜିବା ପାଇଁ ରାଜ୍ୟ ବାହାରେ ଜାଲ ବିଛାଇଛି। ଦୁଇ ଜଣଙ୍କୁ ଅଟକ ରଖିଥିବା ବି ସୂଚନା ମିଳିଛି। କିନ୍ତୁ ସଂପୂର୍ଣ୍ଣ ରହସ୍ୟ ଉନ୍ମୋଚିତ ହୋଇ ନଥିଲେ ବି ରିମାଙ୍କ ଶାଶୂ-ଶ୍ୱଶୁରଙ୍କ ଚାକିରିକୁ ନେଇ ତାଙ୍କ ସହ ବିବାଦରେ ଥିବା କେତେକ ବ୍ୟକ୍ତି ଏଭଳି ଷଡ଼ଯନ୍ତ୍ର କରିଥିବା ସନ୍ଦେହ କରି ଏବେ ତଦନ୍ତ ଆଗକୁ ବଢିଛି। ପ୍ରେମ ବ୍ୟାପାର ଓ ସଂପତ୍ତି ହୁଏତ ଏଭଳି ଘଟଣାର କାରଣ ହୋଇଥାଇ ପାରେ ବୋଲି ପ୍ରଥମରୁ ସନ୍ଦେହ କରାଯାଉଥିବା ବେଳେ ବର୍ତ୍ତମାନ ସେ ଦିଗରେ ଆଉ ତଦନ୍ତ ହେଉ ନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର