ବଲାଙ୍ଗୀର ରାଜପରିବାରର ୫୦୦ ଏକର ସିଲିଂ ଜମି ମାମଲା : ନଭେମ୍ବର ସୁଦ୍ଧା ଫଇସଲା ନିର୍ଦେଶ

୪୨ ବର୍ଷ ଧରି କେସ୍‌ ଗଡ଼ୁଛି

ସମ୍ବଲପୁର : ବଲାଙ୍ଗୀର ରାଜ ପରିବାରର ୫୦୦ ଏକର ସିଲିଂ ବହିର୍ଭୂତ ଜମି ସଂପର୍କୀତ ମାମଲାର ଫଇସଲା ନଭେମ୍ବର ମାସ ସୁଦ୍ଧା କରିବା ପାଇଁ ନିର୍ଦେଶ ହୋଇଛି। ବୁଧବାର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏଡିଏମ୍‌ ସମ୍ମିଳନୀରେ ଉତ୍ତରାଞ୍ଚଳ ରାଜସ୍ୱ କମିସନର ଡିଭି ସ୍ୱାମୀ ବଲାଙ୍ଗୀର ତହସିଲଦାରଙ୍କୁ ଏହି ନିର୍ଦେଶ ଦେଇଛନ୍ତି। ଏଥିସହିତ ୧୯୭୬ ମସିହାରୁ ପଡ଼ି ରହିଥିବା ଏହି ବହୁଚର୍ଚ୍ଚିତ ମାମଲାର ଶିଘ୍ର ଶୁଣାଣି ହେବ ବୋଲି ଆଶା କରାଯାଉଛି।

ରାଜ ପରିବାରର ଏହି ୫୦୦ ଏକର ସିଲିଂ ଜମି ବଲାଙ୍ଗୀର ଏବଂ ପାଟଣାଗଡ଼ରେ ରହିଛି। ଏହାର ସ୍ୱତ୍ୱାଧିକାରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଆର୍‌ଏନ୍‌ ସିଂହଦେଓ, ତାଙ୍କ ଦୁଇ ପୁଅ ରାଜନାଥ ସିଂହଦେଓ ଏବଂ ଅନଙ୍ଗ ଉଦୟ ସିଂହଦେଓ ଅଟନ୍ତି। ୧୯୭୬ ମସିହାରେ ରାଜସ୍ୱ ବୋର୍ଡ ଏହି ମାମଲାର ଶୁଶାଣି କରି ତହସିଲଦାରଙ୍କୁ ଫେରାଇ ଦେଇଥିଲା। ଏହାକୁ ପୁନର୍ବାର ବିଚାର କରି ଗୋଟିଏ ସିଲିଂ କରିବା ପାଇଁ କୁହାଯାଇ ଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଏହାର ଫଇସଲା ହୋଇ ପାରି ନାହିଁ। ଭୂ ସଂସ୍କାର ଆଇନ ଅନୁଯାୟୀ, ଯେଉଁ ଜମି ଉପରେ ସିଲିଂ ମାମଲା ରହିଥିବ, ତାହାର ଭାଗ କିମ୍ବା ବିକ୍ରି କରାଯାଇ ପାରିବ ନାହିଁ। ମାତ୍ର ରାଜପରିବାରର ଏହି ଜମି ଭାଗବଣ୍ଟା ହେବା ସହିତ ବିକ୍ରି କରାଯାଇଥିବା ନେଇ ବିଭିନ୍ନ ସମୟରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରି ଆସିଛନ୍ତି। ପ୍ରାୟ ବର୍ଷେ ପୂର୍ବରୁ ପିଏସି କମିଟି ପକ୍ଷରୁ ଏହାର ତଦନ୍ତ କରାଯାଇ ଥିଲା। ସମସ୍ତ ଆରଡିସିଙ୍କୁ ଏଥିପାଇଁ ଡକାଯାଇ ଥିଲା। ଏଥିରେ ୪୦ ରୁ ୪୨ ବର୍ଷ ଧରି ମାମଲାଗୁଡ଼ିକ କିଭଳି ପଡ଼ି ରହିଛି ବୋଲି ପ୍ରଶ୍ନ କରାଯାଇଥିଲା। ସେତେବେଳେ ଆର୍‌ଡିସିମାନେ ନିର୍ଦିଷ୍ଟ ସମୟ ମଧ୍ୟରେ ଫଇସଲା ପାଇଁ କହିଥିଲେ। ସେହି ସମୟ ସୀମା ଅତିକ୍ରାନ୍ତ ହୋଇ ସାରିଥିବା ପିଏସି କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଛନ୍ତି। ଆରଡିସି ଡିଭି ସ୍ୱାମୀ କହିଛନ୍ତି, କୌଣସି ନିର୍ଦିଷ୍ଟ ବ୍ୟକ୍ତିଙ୍କ ବିରୋଧରେ କିଛି ଫଇସଲା ହୋଇ ନାହିଁ। ବରଂ ସିଲିଂ ଜମି ମାମଲା ଶିଘ୍ର ଫଇସଲା ପାଇଁ କୁହାଯାଇଛି।

୪୦ ରୁ ୪୨ ବର୍ଷ ହେଲା ତହସିଲ କୋର୍ଟରେ ପଡ଼ି ରହିଛି ୮ ଜିଲ୍ଲାର ୩୧ ସିଲିଂ ଜମି ମାମଲା। ଏହାର ତୁରନ୍ତ ଫଇସଲା ପାଇଁ ନିର୍ଦେଶ ଦେଇଛନ୍ତି ଆରଡିସି ଡିଭି ସ୍ୱାମୀ। କିଛି ଦିନ ପୂର୍ବରୁ ସିଲିଂ ଜମି ତୁରନ୍ତ ସମାଧାନ ପାଇଁ ପିଏସି କମିଟି ନିର୍ଦେଶ ଦେଇଥିଲା। ଯେଉଁ ତହସିଲ କୋର୍ଟରେ ଏହାର ସମାଧାନ ହେଉ ନାହିଁ, ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇ ଥିଲା। ସେହି ଆଧାରରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା ଆରଡିସି କହିଛନ୍ତି। ଆଜି ସମ୍ବଲପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଉତ୍ତରାଞ୍ଚଳ ରାଜସ୍ୱ କମିସନ ଅନ୍ତର୍ଗତ ସମସ୍ତ ୧୦ ଜିଲ୍ଲାର ଏଡିଏମ ସମ୍ମିଳନୀ ହୋଇଥିଲା। ଏଥିରେ କେନ୍ଦୁଝର ଏବଂ ଅନୁଗୁଳ ଜିଲ୍ଲାକୁ ବାଦ ଦେଇ ଅନ୍ୟ ୧୦ ଜିଲ୍ଲା ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ରେ ସ୍ଥିତ ତହସିଲଗୁଡ଼ିକରେ ପଡ଼ି ରହିଥିବା ସିଲିଂ ଜମି ନେଇ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର