ପାର୍ସଲ ବୋମା ବିସ୍ଫୋରଣ ମାମଲା : ପୁଞ୍ଜିଲାଲ ଖସିବା ବାଟ ବନ୍ଦ!

ଚୂଡ଼ାନ୍ତ ଚାର୍ଜସିଟ୍‌ରେ ଅଠର ପ୍ରମାଣ

ବଲାଙ୍ଗୀର : ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର ଏବେ ବଲାଙ୍ଗୀର ମେଡିକାଲ କଲେଜ ହସପିଟାଲରେ। ଅନଶନ ଜାରି ରଖିଥିବା ବେଳେ ସେ ଚର୍ଚ୍ଚାକୁ ଆସିଛି। ଏବେ ପୁଞ୍ଜିଲାଲର ଚୂଡ଼ାନ୍ତ ଚାର୍ଜସିଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚୂଡ଼ାନ୍ତ ଚାର୍ଜସିଟରେ ଅଠରଟି ଗଣନା ରହିଛି। ପୂରା ଚାର୍ଜସିଟରେ କେସ ସଂପର୍କରେ ୧୮ଟି ମଜବୁତ ପାରିପାର୍ଶ୍ବିକ ପ୍ରମାଣ ଯୋଗାଡ଼ କରିଛି କ୍ରାଇମବ୍ରାଞ୍ଚ ବୋଲି ଜଣାଯାଇଛି। ବିଭିନ୍ନ ଲେବୋରୋଟାରିର ରିପୋର୍ଟ ସହିତ କେସ ସମ୍ପର୍କରେ ପାରିପାର୍ଶ୍ବିକ ପ୍ରମାଣ ସହ ଚାର୍ଜସିଟ ଦାଖଲ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଚାର୍ଜସିଟରେ ପ୍ରମାଣ ଭାବେ ରହିଛି: ୧- ଭଇଁଷା ଜ୍ୟୋତିବିକାଶ କଲେଜର ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ଓ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଭିତରେ ଅଧ୍ୟକ୍ଷ ପଦକୁ ନେଇ ଥିବା ଶତ୍ରୁତା ସଂପର୍କରେ କର୍ମଚାରୀମାନଙ୍କ ୧୬୧ ବୟାନ। ୨- ପାଟଣାଗଡ ଏସ୍‌ଡଜେଏମ୍‌ ପାଖରେ ମୃତ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁଙ୍କ ୧୬୪ ବୟାନ , ୩- ଘଟଣାର ତଦନ୍ତ ଚାଲିଥିବା ବେଳେ, ତଦନ୍ତକୁ ବାଟବଣା କରିବା ପାଇଁ ବଲାଙ୍ଗୀର ଏସ୍‌ପିଙ୍କ ପାଖକୁ ଅଭିଯୁକ୍ତ ପଠାଇଥିବା ଚିଠି, ୪-ଚିଠି ପଠାଇଥିବା ପୋଷ୍ଟାଲ ଲଫାଫା ଭଳି ୯ଟି ସମାନ ଏନ୍‌ଭଲପ ପୁଞ୍ଜିଲାଲ ଘରୁ ଜବତ ହେବା। ୫- ଚିଠି ପାଇଁ ବ୍ୟବହାର ହୋଇଥିବା ପେନ ଡ୍ରାଇଭ, ଲ୍ୟାପଟପ ଓ ପ୍ରିଣ୍ଟରର ଗୁଜରାଟ ଗାନ୍ଧୀ ନଗରର ଲେରୋରୋଟାରିର ଟେଷ୍ଟ ରିପୋର୍ଟ। ୬- ତଦନ୍ତ ସମୟରେ ରାୟପୁର ସ୍କାଏକିଙ୍ଗ କୋରିଅରରୁ ପଠାଇଥିବା ଗ୍ରହଣ କପି, ପୁଞ୍ଜିଲାଲ ଘରୁ ଜବତ। ୭- ବୋମାରେ ବ୍ୟବହାର ହୋଇଥିବା ବିସ୍ଫୋରକ, କ୍ରେକର, ତାର ଓ ଲିଚୁ ବଲ୍‌ବ ଓ ପେନରେ ବ୍ୟବହାର ହେଉଥିବା ସ୍ପ୍ରିଙ୍ଗ, ପୁଞ୍ଜିଲାଲ ଘରୁ ଜବତ ହେବା। ୮- ବୋମାରେ ବ୍ୟବହାର କରାଯାଇଥିବା ସମାନ ଜିନିଷ ପୁଞ୍ଜିଲାଲ ଘର ଆଗ ଡଷ୍ଟବିନରୁ ଜବତ ହେବା। ୯- ପାଟଣାଗଡ଼ରୁ କଣ୍ଟାବାଞ୍ଜି ଯାଇ ପାର୍କିଂରେ ବାଇକ ରଖି, ଟ୍ରେନ ଯୋଗେ ରାୟପୁର ଯାଇଥିଲା ପୁଞ୍ଜିଲାଲ। ପାର୍କିଂର ରସିଦ୍‌ ସହିତ ପାର୍କିଂ ଦାୟିତ୍ୱରେ ଥିବା କର୍ମଚାରୀ ଓ ବାଇକର ମାଲିକାନା ପ୍ରମାଣ କରିବା ପାଇଁ ଆରଟିଓ ବଲାଙ୍ଗୀର ୧୬୧ ବୟାନ ରେକର୍ଡ। ୧୦- କଷ୍ଟଡିରେ ଥିବା ସମୟରେ ଅଭିଯୁକ୍ତ ପୁଞ୍ଜିଲାଲ ନିଜ ଦୋଷ ସ୍ୱୀକାର କରିବା ଏବଂ ଦରକାର ମୁତାବକ ଜିନିଷ ଦେଲେ, ବୋମା ତିଆରି କରିଦେବ ବୋଲି କହିଥିବା। ତେଣୁ ଏକ୍ସପର୍ଟଙ୍କ ଉପସ୍ଥିତିରେ ରାୟପୁର ସର୍କିଟ ହାଉସ, ରୁମ ନମ୍ବର ୪୦୮ରେ ସମସ୍ତଙ୍କ ସାମ୍ନାରେ ପୁଞ୍ଜିଲାଲ ବୋମା ତିଆରି କରିଥିବାର ପ୍ରମାଣ। ଯାହାକୁ ଫୋରେନସିକ ଲ୍ୟାବ ପ୍ରମାଣିତ କରିଛି ଯେ ସେ ଏହିଭଳି ବୋମା ସହଜରେ ତିଆରି କରି ପାରିବ। ଯାହାର ଭିଡିଓ ରେକର୍ଡିଂ ମଧ୍ୟ ପ୍ରମାଣ ଭାବରେ ରହିଛି। ୧୧- ବିସ୍ଫୋରଣରେ ବ୍ୟବହାର ହୋଇଥିବା ପ୍ରେସର ବମ୍, ପୁଞ୍ଜିଲାଲ ବ୍ୟବହାର କରିଥିବା ସମସ୍ତ ଜିନିଷରେ ତିଆରି କରାଯାଇ ପାରିବ ବୋଲି ଏକ୍ସପର୍ଟ ଓପିନିଅନ। ୧୨- ଏକ୍ସପର୍ଟଙ୍କ ଦ୍ୱାରା ପୁଞ୍ଜିଲାଲର ଭଏସ ଟେଷ୍ଟ, ଯେଉଁଥିରେ ସେ ଏହିଭଳି କ୍ରାଇମ କରାଯାଇ ପାରିବ ବୋଲି ଏକ୍ସପର୍ଟ ଓପିନିୟନ ରହିଛି। ୧୩- ପୁଞ୍ଜିଲାଲ ହସ୍ତାକ୍ଷର ଟେଷ୍ଟ କରାଯାଇଛି। ଯେଉଁଥିରେ ସିଏ ପ୍ରତିଶୋଧ ପରାୟଣ ଲୋକ ବୋଲି ପ୍ରମାଣ ଦେଇଛନ୍ତି ଏକ୍ସପର୍ଟ। ୧୪- ବୋମାରେ ତିଆରି ହୋଇଥିବା ବୋର୍ଡର ଆଉକିଛି କାର୍ଡ ବୋର୍ଡ ଭଇଁଷା କଲେଜରୁ ଜବତ କରି, ତାକୁ ରସୁଲଗଡ଼ସ୍ଥିତ ଫୋରେନସିକ ଲ୍ୟାବକୁ ପଠାଯାଇଥିଲା, ଯାହା ସମାନ ବୋଲି ପ୍ରମାଣ ମିଳିଛି। ୧୫- ପୁଞ୍ଜିଲାଲ ତାର ପୈତୃକ ଘର ରାମପୁରକୁ ବାରମ୍ବାର ଯାଉଥିଲା ଓ ପ୍ରଥମ ମହଲାରେ କିଛି ସମୟ ବିତାଉଥିଲା। ଦୀପାବଳି ସମୟରେ, ଗୋଟିଏ ବ୍ୟାଗ ଭର୍ତ୍ତି ବାଣ ନେଇଥିବା ଜଣାପଡ଼ିଛି। ଯେଉଁଠି ସେ ତିଆରି କରିଥିଲା ପାର୍ସଲ ବମ। ୧୬- ବଲାଙ୍ଗୀର ଜିଲ୍ଲାପାଳ ପୁଞ୍ଜିଲାଲ ବିରୋଧରେ ୟୁ/ଏସ ୩ ଓ ୪ ଇ.ଏସ ଆକ୍ଟରେ ମାମଲା ରୁଜୁ କରିବା ପାଇଁ ଅନୁମତି ହେବା। ୧୭- ବୋମା ବିସ୍ଫୋରଣରେ ଦୁଇଜଣଙ୍କର ମୃତ୍ୟୁ ହେବା ଓ ଅନ୍ୟ ଜଣେ ଗୁରୁତର ହେବା। ୧୮-ବୋମାରେ ବ୍ୟବହାର ହୋଇଥିବା ବିସ୍ଫୋରକ ପୁଞ୍ଜିଲାଲ ଘରୁ ଜବତ ହେବା। ଏହି ୧୮ ଟି ପାରିପାର୍ଶ୍ବିକ ପ୍ରମାଣ ବାଦ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହେଉଛି, ଜେଲ ଭିତରେ ଟି.ଆଇ ପରେଡରେ ପୁଞ୍ଜିଲାଲକୁ ରାୟପୁର ସ୍କାଏକିଙ୍ଗ କୋରିଅରର କର୍ମଚାରୀ ଚିହ୍ନଟ କରିବା।

ତଥାପି ଏବେ ପ୍ରଶ୍ନ ଉଠୁଛି, ପୁଞ୍ଜିଲାଲ ମାମଲାରୁ ଖସିଯିବନି ତ? କୌଣସି ସିଧାସଳଖ ପ୍ରମାଣ ଦାଖଲ ହୋଇ ନଥିବା ବେଳେ କିଛି ମଜବୁତ ପ୍ରମାଣ କିନ୍ତୁ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଯାହାକି, ପୁଞ୍ଜିଲାଲର ଖସିବା ବାଟ ବନ୍ଦ କରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର