ଜାତୀୟ ଗ୍ରୀନ ଟ୍ରିବୁନାଲରେ ପହଞ୍ଚିଲା ବଳରାମପୁର ବିୟର ବଟଲିଂ ପ୍ଲାଣ୍ଟ ଲାଗି ଗଛକଟା ମାମଲା, ୨୭ରେ ଶୁଣାଣି

ଭୁବନେଶ୍ୱର : ଢେଙ୍କାନାଳର ଓଡ଼ାପଡା ବ୍ଲକ ବଳରାମପୁରରେ  ଜଙ୍ଗଲ ଜମିରେ ବିୟର ବଟଲିଂ ପ୍ଲାଣ୍ଟ ସ୍ଥାପନ  ନେଇ ପାଖାପାଖି ୧୦୦୦ ଗଛ କଟାଯିବା  ମାମଲା ଏବେ ଜାତୀୟ ଗ୍ରୀନ ଟ୍ରିବୁନାଲ (ଏନଜିଟି) ରେ ପହଞ୍ଚିଛି । ଏହି ବିୟର କାରଖାନା ପାଇଁ ଗଛକଟା ବିରୋଧରେ ଜନୈକ ବିଜୟ କୁମାର ମାଝି ଏନଜିଟିରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି ଏନଜିଟି ଆସନ୍ତା ୨୭ ତାରିଖରେ ନିଜର ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

ଅନ୍ୟପକ୍ଷରେ ଆଜି ଏହି  ବିୟର ବଟଲିଂ ପ୍ଲାଣ୍ଟ ଲାଗି ଆବଣ୍ଟିତ ଜମିକୁ ରାଜ୍ୟ ସରକାର ବାତିଲ କରିଛନ୍ତି। ବଟଲିଂ ପ୍ଲାଣ୍ଟ ଲାଗି ଆବଣ୍ଟିତ ଜମିରେ ହଜାର ହଜାର ସଂଖ୍ୟାରେ ଗଛ ଥିବାରୁ ପ୍ଲାଣ୍ଟ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ମାଣ ଲାଗି ଏହାକୁ କାଟିବାକୁ ଆରମ୍ଭ କରିଥିଲେ। ଏହାକୁ ବଳରାମପୁର ଗାଁର ଲୋକେ ପ୍ରବଳ ବିରୋଧ କରିଥିଲେ। ପୁଲିସ ସହାୟତାରେ ଗଛକଟା ଜାରି ରଖିଥିଲେ ପ୍ଲାଣ୍ଟ ମ୍ୟାନେଜମେଣ୍ଟ। ୯୫୮ଟି ଗଛ କଟାଯିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆରଡିସିଙ୍କୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ।

ଆରଡିସିଙ୍କ ତଦନ୍ତ ରିପେୋର୍ଟ  ଅାଧାରରେ ସୋମବାର ବଟଲିଂ ପ୍ଲାଣ୍ଟକୁ ଆବଣ୍ଟିତ ଜମିକୁ ସରକାର ବାତିଲ୍ କରିବା ସହ ଅନ୍ୟତ୍ର ଜମି ଆବଣ୍ଟନ ଲାଗି ପ୍ରଶାସନକୁ କହିଛନ୍ତି। ଏଥିସହ ବଳରାମପୁରରେ ପୁନଃ ବୃକ୍ଷରୋପଣ ଲାଗି ନିର୍ଦ୍ଦେଶ ଦିଆଯାଇଛି।

 

ସମ୍ବନ୍ଧିତ ଖବର