ବାଲେଶ୍ୱର: ଚାରି ବର୍ଷୀୟ ବାଳିକା ସହ ଦୁଷ୍କର୍ମ

ନୀଳଗିରି: ଶନିବାର ଅପରାହ୍ଣରେ ନୀଳଗିରି ଥାନା ଅନ୍ତର୍ଗତ ହାଟସାହି ଗ୍ରାମରେ ଜଣେ ଚାରି ବର୍ଷୀୟ ଝିଅ ସହ ଜଣେ ପଡ଼ୋଶୀ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅପରାହ୍ଣ ସାଢ଼େ ତିନିରୁ ଚାରିଟା ସମୟରେ ଗୋଟିଏ ୪ ବର୍ଷୀୟ ଟିକି ଝିଅ ଘର ସାମ୍ନା ଦାଣ୍ଡରେ ଖେଳୁଥିବା ବେଳେ ପଡ଼ୋଶୀ ୨୫ ବର୍ଷିୟ ନିତ୍ୟାନନ୍ଦ ତାକୁ ଚକ୍‌ଲିଟ୍‌ ଦେବ କହି ଘରକୁ ଡାକି ନେଇ ତା’ ସହ ଦୁଷ୍କର୍ମ କରିଥିଲେ ବୋଲି କୁହାଯାଉଛି।

ପରେ ଝିଅଟି ପୀଡ଼ା ସହି ନ ପାରି ଘରକୁ ଆସି କାନ୍ଦି କାନ୍ଦି ମାଆ ଆଗରେ ଏ କଥା ପ୍ରକାଶ କରିବାରୁ ଚିକିତ୍ସା ପାଇଁ ପରିବାର ଲୋକେ ତାକୁ ନୀଳଗିରି ଡାକ୍ତରଖାନାକୁ ନେଇଥିଲେ।

ଆଜି ସକାଳେ ପୀଡ଼ିତାର ବାପା ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବାକୁ ଯିବା ପରେ ଘଟଣାର ଆପୋସ ବୁଝାମଣା ପାଇଁ ଉଦ୍ୟମ କରାଯାଇଥିଲା। ଉଭୟ ପରିବାର ମଧ୍ୟରେ ପୂର୍ବରୁ ବୈବାହିକ ସମ୍ପର୍କ ଥିବାରୁ ସେମାନେ ଏ ଭଳି ନିଷ୍ପତ୍ତି ନେବାକୁ ମନବଳାଇଥିବା ବେଳେ ବିଜେପି ପଞ୍ଚଲିଙ୍ଗେଶ୍ୱର ମଣ୍ଡଳ ସଭାପତି ମନୋରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଥାନାରେ ପହଞ୍ଚି ମାମଲା ସମ୍ପର୍କରେ ବିହିତ ପଦକ୍ଷେପ ଗ୍ରହଣ ପାଇ ଦାବି କରିଥିଲେ। ଦୁଷ୍କର୍ମ ପୀଡ଼ିତା ନାବାଳିକା ସେ ପରିବାରର ପୋଷ୍ୟା କନ୍ୟା ହୋଇଥିବାରୁ ମାମଲା ଚପାଇ ଦେବାକୁ ଉଦ୍ୟମ ହେଉଛି ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ।

ନୀଳଗିରି ଥାନା ଆଇଆଇସି ରମେଶ ସିଂହ ବାଲେଶ୍ୱର ଏସ୍‌ପି ପାନଥ୍‌ ଯୁଗଳ କିଶୋର କୁମାରଙ୍କ ସହ ମାମଲା ସଂକ୍ରାନ୍ତରେ ଆଲୋଚନା କରିବା ପରେ ତାଙ୍କ ନିର୍ଦେଶକ୍ରମେ ଅଭିଯୁକ୍ତଙ୍କ ବିରୋଧରେ (କେସ୍‌ ନମ୍ବର ୭୨/୧୮) ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର