ନୟନଜୋରିକୁ ଓଲଟିଲା କାର : ବୃଦ୍ଧ ବଞ୍ଚାଇଲେ ୫ ଜୀବନ

ସୋର : ସୋର ଟାଉନ୍‌ ନିକଟ ଜାତୀୟ ରାଜପଥ ଛପୋଲିଆ ଠାରେ ଆଜି ଭୋରରୁ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ କାର୍‌ଟି ରାସ୍ତାକଡ଼ ନୟନଯୋରୀକୁ ଖସିପଡ଼ିଛି। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆହତମାନଙ୍କ ଜୀବନ ରକ୍ଷା ହୋଇ ପାରିଛି। ଆହତମାନେ ହେଲେ ଜଳେଶ୍ୱର ପାଉଁଶକୁଲି ଗାଁର ଭରତ ସାହୁ (୩୦), ପତ୍ନୀ ନିକିତା (୨୮), ଶଶୁର ଅମୂଲ୍ୟ (୬୦) ଓ ୭ ମାସର ଶିଶୁ କନ୍ୟା ମାମା। ଭରତ ମାମକୁ କଟକ ଶିଶୁ ଭବନରେ ଚିକିତ୍ସା କରାଇ କାର ଯୋଗେ ଫେରୁଥିଲେ। ହେଲେ ଡା୍ରଇଭର ଭାରସାମ୍ୟ ହରାଇବାରୁ କାର୍‌ ରାଜପଥ ପାର୍ଶ୍ୱ ନୟନଯୋରୀରେ ଥିବା ୨୦ଫୁଟ୍‌ ତଳକୁ ଓଲଟି ପଡି ପାଣିରେ ବୁଡି ଯାଇଥିଲା। ଦୁର୍ଘଟଣା ବେଳେ ହାଟଡିହି ଅଂଚଳର ଲକ୍ଷ୍ମୀଧର ବେହେରା (୬୦) ସେଠାରେ ଉପସ୍ଥିତ ଥିଲେ। କାର୍‌ଟି ପାଣି ଭିତରେ ପ୍ରାୟ ବୁଡିଯିବା ଅବସ୍ଥାରେ ଥିବା ବେଳେ ଅସହ୍ୟ ଥଣ୍ଡାକୁ ଭ୍ରୁୃକ୍ଷେପ ନ କରି ସେ ୮ଫୁଟ ପାଣିରେ ପଶି କାର୍‌ କାଚ ଭାଙ୍ଗି ୫ ଜଣଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ ସମସ୍ତେ ଅଳ୍ପବହୁତ ଆହତ ହୋଇଛନ୍ତି। ଶିଶୁ ମାମାର ମୁଣ୍ଡରେ ଆଘାତ ଲାଗିଛି। ଏହି ପରିବାର ବାଲେଶ୍ୱର ଯିବା ପୂର୍ବରୁ ଜୀବନ ବଞ୍ଚାଇଥିବାରୁ ଲକ୍ଷ୍ମୀଧରଙ୍କୁ କୃତଜ୍ଞତା ଜଣାଇଥିଲେ। ପ୍ରବଳ ଥଣ୍ଡା ସତ୍ତ୍ୱେ ବି ଲକ୍ଷ୍ମୀଧର ନିଜ ଦେହରୁ ଚାଦର କାଢ଼ି ସେମାନଙ୍କୁ ଘୋଡାଇ ନିଜ ମଣିଷ ପଣିଆର ପରିଚୟ ଦେଇଥିଲେ।

ବାଇକ୍‌ ସ୍କୁଟି ଧକ୍କା, ୪ ଗୁରୁତର

ବାଲେଶ୍ୱର/କାଂଶ : ରେମୁଣା ଥାନା ଅଧୀନ ମିତ୍ରପୁର ନୂଆପାଢ଼ୀ ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ ସ୍କୁଟି ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକ୍‌ ଆରୋହୀଙ୍କ ସମେତ ସ୍କୁଟିରେ ଯାଉଥିବା ୨ଜଣ ମହିଳା ଓ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଆହତ ବାଇକ ଚାଳକ ହେଲେ ଅଜୟ ଭୂୟାଁ (୨୨)। ସେ ରେମୁଣା ଅସ୍ତପୁରା ଗାଁର ଗୌରହରି ଭୂୟାଁଙ୍କ ପୁଅ। ଅନ୍ୟ ଦୁଇ ଆହତ ହେଲେ ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ବାଲିଆର ସୁଶାନ୍ତ କରଙ୍କ ପତ୍ନୀ ଜ୍ୟୋସ୍ନାରାଣୀ (୩୫), ତାଙ୍କ ପୁଅ ରୌନକ (୭) ଓ ତାଙ୍କ ଘରେ ଭଡ଼ାରେ ରହୁଥିବା ଶଶିରେଖା ବେହେରା।

ମିଳିଥିବା ଖବରରୁ ପ୍ରକାଶ ଯେ, ଆଜି ସକାଳୁ ଜ୍ୟୋସ୍ନାରାଣୀ, ତାଙ୍କ ପୁଅ ରୌନକ ଓ ଶଶୀରେଖା ସ୍କୁଟି ଓଡି-୦୧-କ୍ୟୁ-୭୧୧୨ରେ ମିତ୍ରପୁର ଆଡ଼କୁ ପିକନିକ୍‌ ପାଇଁ ଯାଉଥିଲେ। ନୂଆପାଢ଼ୀ ପେଟ୍ରୋଲ ପମ୍ପ ପିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ରେମୁଣା ଆଡ଼କୁ ଆସୁଥିବା ଏକ ନମ୍ବରବିହୀନ ଧଳା ଆପାଚିରେ ଆସୁଥିବା ଅଜୟ ସ୍କୁଟିକୁ ଧକ୍କା ଦେଇଥିଲେ। ଫଳରେ ଉଭୟ ବାଇକ୍‌ ଓ ସ୍କୁଟିରେ ଥିବା ସମସ୍ତେ ଛିଟ୍‌କି ଯାଇଥିଲେ। ଆଖପାଖ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାକୁ ଆଣିଥିଲେ। ଜ୍ୟୋସ୍ନାରାଣୀ, ଶଶୀରେଖା ଓ ରୌନକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅଜୟ ଏଠାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଓ ସ୍କୁଟିକୁ ରେମୁଣା ପୁଲିସ୍‌ ଜବତ କରିଛି।

ସମ୍ବନ୍ଧିତ ଖବର