ମତ୍ସ୍ୟଜୀବୀଙ୍କ ଜାଲରେ ବିରଳ ସାଙ୍କୁଚ, ୩୫ ହଜାର ଟଙ୍କାରେ ବିକି ଦେଲେ

ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ସଦର ବ୍ଲକ ବଳରାମଗଡ଼ି ସାମୁଦ୍ରିକ ଥାନା ଅଞ୍ଚଳରୁ ଆଜି ଏକ ବିରାଟ ସାଙ୍କୁଚ ଧରାଯାଇଛି। ସ୍ଥାନୀୟ ଅଞ୍ଚଳର କିଛି ମତ୍ସ୍ୟଜୀବୀ ଆଜି ସକାଳେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବାବେଳେ ସେମାନଙ୍କ ଜାଲରେ ଏହି ବିରଳ ପ୍ରଜାତିର ମାଛଟି ପଡ଼ିଥିଲା। ପାଖାପାଖି ୧୫ ଫୁଟ୍‌ ଲମ୍ବ, ୫ ଫୁଟ୍‌ ଓସାର ଓ ୨ କୁଇଣ୍ଟାଲରୁ ଅଧିକ ଓଜନ ଥିବା ଏହି ବିଶାଳ ଜୀବଟିକୁ ଦେଖି ମତ୍ସ୍ୟଜୀବୀମାନେ ବି ତଟସ୍ଥ ହୋଇ ଯାଇଥିଲେ। ବିରାଟକାୟ ଆକାର ପାଇଁ ଉକ୍ତ ସାଙ୍କୁଚକୁ ଟ୍ରଲର୍‌ରୁ ଏକ ଟ୍ରଲି‌ ସାହାଯ୍ୟରେ ଗୋଦାମକୁ ଅଣାଯାଇଥିଲା। ତେବେ ଏଭଳି ବିରଳ ଓ ଆକାରରେ ଏତେ ବଡ଼ ସାଙ୍କୁଚକୁ ଧରିବା ପରେ ମତ୍ସ୍ୟଜୀବୀମାନେ ବନ ବିଭାଗ କିମ୍ବା ମତ୍ସ୍ୟ ବିଭାଗକୁ ସୂଚନା ନଦେଇ ତାକୁ ୩୫ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଜଣାପଡ଼ିଛି।
ଏ ସଂପର୍କରେ ସେଠାକାର ଲୋକ ସ୍ଥାନୀୟ ମତ୍ସ୍ୟ ଅଧିକାରୀଙ୍କୁ ଜଣାଇବା ସତ୍ତ୍ବେ ସେ ଏଥିପ୍ରତି ଗୁରୁତ୍ବ ଦେଇନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଜିଲ୍ଲା ଅତିରିକ୍ତ ମତ୍ସ୍ୟ ଅଧିକାରୀ ଚିତ୍ତରଂଜନ ସାହୁଙ୍କୁ ଏ ବିଷୟରେ ପଚରାଯିବାରୁ ବଳରାମଗଡ଼ିରେ ଆଜି ଏକ ବିରାଟ ସାଙ୍କୁଚ ମାଛ ଧରାଯାଇଥିବା ସେ ସୂଚନା ପାଇଛନ୍ତି ବୋଲି କହିଥିଲେ। ପୂର୍ବରୁ ଏତେବଡ଼ ସାଙ୍କୁଚ ଧରାପଡ଼ି ନଥିଲା। କିଛି ପ୍ରଜାତିର ସାଙ୍କୁଚ ମାଛ ଧରିବା ଉପରେ ସରକାର ନିଷେଧାଦେଶ ଜାରି କରିଛନ୍ତି। ତେବେ ଧରାଯାଇଥିବା ସାଙ୍କୁଚ କେଉଁ ପ୍ରଜାତିର ତାହା ଜାଣିଲେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର