ଏକାଠି ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ ମାଆ ଓ ପୁଅ, ଭଲ ନମ୍ବର ରଖି ହୋଇଛନ୍ତି ଉତ୍ତୀର୍ଣ୍ଣ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଗବରଘାଟ ପଞ୍ଚାୟତରେ ମାଆ ଓ ପୁଅ ଦୁହେଁ ଏକାଠି ମାଟ୍ରିକ ପରୀକ୍ଷା ଦେଇଥିଲେ। ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମାଆ ଓ ପୁଅ ଦୁହେଁ ଭଲ ନମ୍ବର ରଖି ପାସ୍‌ କରିଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ପରିସ୍ଥିତି ଖରାପ ଯୋଗୁଁ ତଅପୋଇ ଖଟୁଆଙ୍କୁ ପାଠପାଢ଼ା ଛାଡ଼ିବାକୁ ପଡ଼ିଥିଲା। ତେବେ ତଅପୋଇ ତାଙ୍କ ସ୍ୱାମୀ ଓ ପୁଅ ବିକାଶଙ୍କଠାରୁ ପ୍ରେରଣା ପାଇ ଚଳିତବର୍ଷ ନିଷ୍ଠାପର ଭାବେ ପାଠପଢ଼ି ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଆଉ ମାଆ ଓ ପୁଅ ଦୁହେଁ ଏଥିରେ ସଫଳତାର ସହିତ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି। ତଅପୋଇ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ପଢୁଥିବା ବେଳେ ତାଙ୍କ ପୁଅ ଅଗ୍ରାୟାଲୁ ସୀମାନ୍ତ ନୋଡ଼ାଲ ହାଇସ୍କୁଲରେ ପଢୁଥିଲେ।

ତଅପୋଇଙ୍କ ପୁଅ ବିକାଶ କହନ୍ତି, ମାଆଙ୍କ ପାଠ ପଢ଼ା ଦେଖି ମୋର ବି ଉତ୍ସାହ ବିଢ଼ିଥିଲା। ମୁଁ ପୂର୍ବରୁ ଅଳ୍ପ ସମୟ ପଢୁଥିଲି। ତେବେ ମା’ଙ୍କୁ ପଢ଼ିବା ଦେଖି ମୁଁ ଅଧିକ ସମୟ ପଢ଼ିଲି ଓ ଆମେ ଦୁହେଁ ଭଲ ମାର୍କ ରଖି ପାସ୍‌ କରିଛୁ।

ତେବେ ଏହି ଘଟଣା ପୂର୍ବରୁ ଗତକାଲି ବାଲେଶ୍ୱର ଜିଲ୍ଲାରେ ୫୮ ବର୍ଷ ବୟସ୍କ ଅରୁଣ କୁମାର ବେଜ ଓ ତାଙ୍କ ୩୦ ବର୍ଷ ବୟସ୍କ ପୁଅ ବିଶ୍ୱଜିତ ବେଜ୍‌ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କଥା ଜଣାପଡ଼ିଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଉଭୟଙ୍କ ବାପା ଓ ପୁଅ ସମାନ ୩୪୨ ନମ୍ବର ରଖିଥିଲେ। ଉଭୟେ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟରୁ ପରୀକ୍ଷା ଦେଇ ପାସ୍ କରିଛନ୍ତି ।

ସମ୍ବନ୍ଧିତ ଖବର