ବଳିଆ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି, କମୁଛି ସଂକ୍ରମଣ, ପରିବାରକୁ ଫେରିବ ଜଗା

କଟକ : କଟକ ବଡ଼ ମେଡିକାଲରେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବା ବଳିଆର ସ୍ବାସ୍ଥ୍ୟାବସ୍ଥାରେ କିଛିଟା ଉନ୍ନତି ଆସିଛି। ନିମୋନିଆ ବା ସଂକ୍ରମଣ ଧୀରେଧୀରେ କମୁଛି। ତଥାପି ବିଭିନ୍ନ ସମୟରେ ହଠାତ୍‌ ଜ୍ବର ଆସୁଛି। ତେଣୁ ତାର ଆଣ୍ଟିବାୟୋଟିକ୍‌ରେ କିଛିଟା ପରିବର୍ତ୍ତନ କରାଯାଇଛି। ବିଭିନ୍ନ ସମୟରେ ଆବଶ୍ୟକତା ଅନୁସାରେ ତାକୁ ଭେଣ୍ଟିଲେଟରରେ ରଖାଯାଉଛି। ଅନେକ ସମୟରେ ବି ସେ ସ୍ବାଭାବିକ ଭାବେ ନିଃଶ୍ବାସ, ପ୍ରଶ୍ବାସ ନେଇପାରୁଛି ବୋଲି ଏସ୍‌ସିବି ନ୍ୟୁରୋସର୍ଜରି ବିଭାଗର ମୁଖ୍ୟ ତଥା ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଗଠିତ ହୋଇଥିବା ଟିମ୍‌ର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ଜଗା କିନ୍ତୁ ଫିଟ୍‌ ଅଛି। ତେଣୁ ସେ ତା’ ବାପା, ମା’ଙ୍କ ସହ ଘରକୁ ଯାଇପାରିବ ଓ ଏଥିପାଇଁ ତାଙ୍କ ପରିବାରବର୍ଗଙ୍କୁ ମଧ୍ୟ ସୂଚନା ଦିଆଯାଇଥିବା ପ୍ରଫେସର ମିଶ୍ର କହିଛନ୍ତି।

ପ୍ରଫେସର ମିଶ୍ର ଦେଇଥିବା ସୂଚନା ଅନୁଯାୟୀ, ଏମ୍ସରେ ବଳିଆର ଶ୍ବାସନଳୀରେ ଛିଦ୍ର କରାଯାଇଥିଲା। ଏଠାରେ ମଧ୍ୟ ସେହି ସମାନ ସ୍ଥାନରେ ଛିଦ୍ର କରାଯାଇ ‌ଭେଣ୍ଟିଲେଟରରେ ରଖାଯାଇଥିଲା। ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଉପାଧ୍ୟାୟ, ଡାକ୍ତର ଜ୍ଞାନରଂଜନ ବେହେରା, ଡାକ୍ତର ସରୋଜ ଶତପଥୀ ପ୍ରମୁଖଙ୍କ ନେତୃତ୍ବରେ ତା’ର ଚିକିତ୍ସା ଚାଲିଛି। କିଛିଦନ ଭିତରେ ତା’ର ଜ୍ବର କମିଯିବ ବୋଲି ଆଶା କରାଯାଉଛି। ଏମ୍‌ସ କର୍ତ୍ତପକ୍ଷଙ୍କ ସହ ବିଭିନ୍ନ ସମୟରେ ଭିଡିଓ କନ୍‌ଫରେନ୍ସିଂରେ ଚିକିତ୍ସା ସଂପର୍କରେ ଆଲୋଚନା କରାଯାଉଛି। ଏପରିକି ହ୍ବାଟ୍‌ସ୍‌ ଅପ୍ ଗ୍ରୁପ୍‌ରେ ମଧ୍ୟ ବଳିଆର ଚିକିତ୍ସା ସଂପର୍କରେ ଆଲୋଚନା ଜାରି ରହିଛି। ଯେହେତୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ସମୟରେ ଟିମ୍‌ରେ ଓଡିଆ ଡାକ୍ତର ଆଶୋକ ମହାପାତ୍ର ଥିଲେ, ତେଣୁ ତାଙ୍କ ସହିତ ଯୋଗାଯୋଗ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ ଦୀର୍ଘଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବା ପରେ ସେପ୍ଟେମ୍ବର ୮ ତାରିଖରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାରେ ରଖାଯାଇ ଚିକିତ୍ସା କରାଯାଉଛି। ଗତମାସ ୨୬ ତାରିଖ ରାତିରୁ ହଠାତ୍‌ ବଳିଆର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା। ନିମୋନିଆ ସହ ଛାତିରେ ସଂକ୍ରମଣ, ଶ୍ବାସକ୍ରିୟାରେ ଅସୁବିଧା ଆଦି ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ବିଶେଷଜ୍ଞ କମିଟି ନିଷ୍ପତ୍ତି ଅନୁସାର ତାକୁ ଭେଣ୍ଟି‌ଲେଟରକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର