ବାଲିକୁଦା-ଏରସମା ପାଇଁ ବିଜେଡି ଖୋଲିଲା କାର୍ଡ଼ : ବିଜେପି ପ୍ରାର୍ଥୀ ଦାମ ରାଉତଙ୍କୁ ଟକ୍କର ଦେବାକୁ ରଘୁନନ୍ଦନ ଦାସଙ୍କୁ ପ୍ରାର୍ଥୀ କଲା ବିଜେଡି

ଜଗତସିଂହପୁର : ବାଲିକୁଦା-ଏରସମା ପାଇଁ ବିଜେଡି ଖୋଲିଲା କାର୍ଡ଼ । ଦୀର୍ଘ ଦିନର ଛକାପଞ୍ଝା ପରେ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ । ଚଳିତ ନିର୍ବାଚନରେ ଏହି ବିଧାନସଭା କ୍ଷେତ୍ରରୁ ବିଜେଡିରେ ଯୋଗଦେଇଥିବା ରଘୁନନ୍ଦନ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ । ତେବେ ବିଜେପି ପ୍ରାର୍ଥୀ ଦାମ ରାଉତଙ୍କୁ ଏହି ବିଧାନସଭା କ୍ଷେତ୍ରରେ କିଏ ଟକ୍କର ଦେବ ବୋଲି ମାନସ ମନ୍ଥନ କରୁଥିଲେ ବିଜେଡି ସୁପ୍ରିମୋ । ସେପଟେ ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ଏହି ଭରସା ନପାଇବାରୁ ରଘୁନନ୍ଦନଙ୍କୁ ଏହି ଆସନରେ ଦାମଙ୍କ ବିରୋଧରେ ପ୍ରାର୍ଥୀ କରିଛନ୍ତି ସୁପ୍ରିମୋ ନୀବନ ପଟ୍ଟନାୟକ ।

ଅନ୍ୟପଟେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଥଇଥାନ କରାଇବା ପାଇଁ ଜଗତସିଂହପୁର ଆସନରେ ଲଢ଼ିବାକୁ ଘୋଷଣା କରିଛନ୍ତି ନବୀନ । ସବୁଠାରୁ ରୋଚକ ବିଷୟ ହେଲା ଯେ, ଦାମ ଏବଂ ପ୍ରଶାନ୍ତଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ଧରିଥିବାବେଳେ ଦାମଙ୍କ ‘ଶତ୍ରୁ’ ବୋଲାଉଥିବା ପ୍ରଶାନ୍ତଙ୍କ ବଦଳରେ ପୁରୁଖା ବିଜେଡି ସଦସ୍ୟ ରଘୁନନ୍ଦନଙ୍କୁ ବାଛିଛି ଦଳ । ଅଭିଜ୍ଞ ରାଜନେତା ଦାମଙ୍କ ବିରୋଧରେ ଏବେ ବିଜେଡି ତରଫରୁ ମୈଦାନକୁ ଓହ୍ଲାଇବେ ରଘୁନନ୍ଦନ ।

ସେପଟେ ୨୦୦୯ରେ ବିଜେଡି ଟିକେଟ୍ ତାଲିକାରୁ ବାଦ୍ ପଡ଼ିଥିବା ରଘୁନନ୍ଦନ ଦଳ ଛାଡ଼ିଥିଲେ । ଏହାପରେ ୨୦୧୪ ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ି ପାଖାପାଖି ୩୨ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଏହାପରେ ୨୦୧୯ ନିର୍ବାଚନରେ ଟିକେଟ ପାଇବା ଅଶା ନେଇ ବିଜେପି ପ୍ରତିଶ୍ରୁତି ଦେବାରୁ ‘ପଦ୍ମ’ ଧରିଥିଲେ କିନ୍ତୁ ଦଳ ବିଜେଡିରୁ ବହିଷ୍କୃତ ହୋଇଥିବା ଦାମଙ୍କୁ ଏହି ନିର୍ବାଚନ ମଣ୍ଡଳୀରୁ ଏଥର ଟିକେଟ୍ ଦେଇଛି । ତେଣୁ ପୁଣି ରଘୁନନ୍ଦନ ପୁରୁଣା ଘର ବିଜେଡିକୁ ଫେରିବା ପରେ ତାଙ୍କୁ ପ୍ରାର୍ଥୀ କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ଅଭିଜ୍ଞ ରାଜନେତା ଦାମଙ୍କ ବିରୋଧରେ ଏବେ ବିଜେଡି ତରଫରୁ ମୈଦାନକୁ ଓହ୍ଲାଇବେ ରଘୁନନ୍ଦନ । ଆଉ ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସମ୍ବନ୍ଧିତ ଖବର