ଦୁଇ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ବାଲିମେଳା ଜଳଭଣ୍ଡାରରୁ ଆନ୍ଧ୍ରକୁ ଅଧିକ ଜଳ ନିଷ୍କାସନ ଘଟଣା

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ଜଳ ଭଣ୍ଡାରରୁ ନିର୍ଧାରିତ ଠାରୁ ଅଧିକ ଜଳ ଆନ୍ଧ୍ରକୁ ଛାଡ଼ିବା ଘଟଣାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିଛି। ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ବିନା ଅନୁମତିରେ ୪୫ବର୍ଷ ପୁରୁଣା ଏପି ଟନଲକୁ ଖୋଲା ଯାଇଥିବାରୁ ଘଟଣାକୁ ଗମ୍ଭିରତାର ସହ ନେଇଛି ପ୍ରଶାସନ। ଉଚ୍ଚ ଅଧିକାରୀଙ୍କ ସହ କୌଣସି ପ୍ରକାର ଆଲୋଚନା କରାଯାଇ ନଥିବା ବେଳେ ବର୍ତମାନ ଜଳଭଣ୍ଡରର ଜଳପତ୍ତନ କମିବାରେ ଲାଗିଛି। ତେଣୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଆର୍ଥ ଡ୍ୟାମ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଏବଂ ନିର୍ମାଣ ଯନ୍ତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେମାନଙ୍କ ଠାରୁ ଉତ୍ତର ମିଳିବା ପରେ ପ୍ରଶାସନ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପ୍ରତି ମାସରେ ଓ୍ଵାଟର ବଡି ବୈଠକ ହୋଇଥାଏ। ଏଥିରେ ଉଭୟ ଆନ୍ଧ୍ର ଓ ଓଡିଶା ଅଧିକାରୀ ବାଲିମେଳା ଜଳ ଭଣ୍ଡାରରୁ କେତେ ଜଳ ଆନ୍ଧ୍ରକୁ ଦୈନିକ ଛଡାଯିବ ସେନେଇ ନିଷ୍ପତ୍ତି ନିଆଯାଏ। ତେବେ ଗତ ଜାନୁଆରି ମାସରେ ଆନ୍ଧ୍ର ପକ୍ଷରୁ ନିଜ ଭାଗର ଜଳ ଏକକାଳୀନ ଛାଡିବା ପାଇଁ ଚିଠି କରାଯାଇଥିଲା। ଏହାପରେ ଓଡିଶା ଅଧିକାରୀ ବିନା ଅନୁମତିରେ ୪୫ବର୍ଷ ପୁରୁଣା ଏପି ଟନେଲକୁ ଖୋଲି ଦେଇଥିଲେ। ଯାହାକୁ ପରବର୍ତୀ ସମୟରେ ବନ୍ଦ କରିପାରି ନଥିଲେ। ତେଣୁ ନିର୍ଧାରିତ ପରିମାଣ ଠାରୁ ଅଧିକ ଜଳ ଆନ୍ଧ୍ରକୁ ବୋହି ଯାଇଥିଲା। ଯାହାକୁ ବିଭାଗୀୟ ଅଧିକାରୀ ଅଣଦେଖା କରିବା ସହ କାହାକୁ କିଛି ସୂଚନା ଦେଇ ନଥିଲେ। ଅପରପକ୍ଷରେ ଜଳଭଣ୍ଡାରରୁ ଅନବରତ ଭାବେ ପାଣି ଆନ୍ଧ୍ରକୁ ଚାଲି ଯାଉଥିବାରୁ ଚିତ୍ରକୋଣ୍ଡା ଜଳଭଣ୍ଡାର ଶୁଖିବାରେ ଲାଗିଛି। ପରିସ୍ଥିତିର ମୁକାବିଲା ପାଇଁ ବର୍ତମାନ କୋରାପୁଟ ଜିଲ୍ଲା ମାଛକୁଣ୍ଡରୁ ଜଳ ଛଡାଯାଉଥିବା ଜଣାପଡ଼ିଛି। ଚିତ୍ରକୋଣ୍ଡା ଡ୍ୟାମ ପାଇଁ ଯେତିକି ଜଳ ଆବଶ୍ୟକ କରୁଛି ସେତିକି ପରିମାଣର ଜଳ ଛଡାଯିବ ବୋଲି ସୂଚନା ମିଳିଛି। ଏନେଇ ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ବ୍ୟସ୍ତ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର