ବାଲିମେଳା ଜଳଭଣ୍ଡାର ଗେଟ୍‌ ଖୋଲିଲା : ଗୁରୁପ୍ରିୟା ସେତୁକୁ ବିପଦ!

ମାଲକାନଗିରି : ତରବରିଆ ଭାବେ ନିଷ୍ପତ୍ତି ନିଆଯାଇ ଆଜି ସକାଳେ ବାଲିମେଳା ଜଳ ଭଣ୍ଡାରର ୨ଟି ଗେଟ୍‌ ଖୋଲା ଯାଇଛି। ସକାଳ ୧୦ଟାରେ ୪ ଓ ୭ନମ୍ବର ଗେଟ୍‌ ଖୋଲି ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨୦ହଜାର କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି।

ଜିଲ୍ଲାପାଳ ମନିଷ ଅଗ୍ରୱାଲ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ବିଜୟ କୁମାର କାଲତା, ବିଡିପି ପ୍ରକଳ୍ପ ଯନ୍ତ୍ରୀଙ୍କ ସମେତ ଆନ୍ଧ୍ର ପ୍ରଦେଶର ବହୁ ଅଧିକାରୀଙ୍କ ଉପସ୍ଥିତିରେ ଗେଟ୍‌ ଗୁଡ଼ିକ ଖୋଲା ଯାଇଛି। ଗେଟ୍‌ ଖୋଲିବା ପରେ କୌଣସି ପ୍ରକାର ବିପଦ ନଥିବା ଏବଂ ଲୋକେ ବ୍ୟସ୍ତ ହେବାର ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିସହ ଦୋରାଗୁଡା, ଗୁଣ୍ଠାୱାଡା ଏବଂ ନୂଆଗୁଡା ପଞ୍ଚାୟତବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି।

ତେବେ, ଏଭଳି ଗେଟ୍‌ ଖୋଲି ଜଳ ନିଷ୍କାସନ କରିବା ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଏହି ଜଳଭଣ୍ଡାରର ସର୍ବୋଚ୍ଚ କ୍ଷମତା ୧୫୧୬ଫୁଟ। ଏହା ଉପରକୁ ଜଳସ୍ତର ବଢ଼ିଲେ ଗେଟ୍‌ ଖୋଲାଯାଇଥାଏ। ପୂର୍ବରୁ ୧୫୧୬ଫୁଟରୁ ଅଧିକ ଜଳସ୍ତର ରହିଲେ ହିଁ ଗେଟ୍‌ ଖୋଲାଯିବାର ନଜିର ରହିଛି। ଯେମିତି ୧୯୯୦ ମସିହାରେ ୧୫୧୭ ଫୁଟ, ୧୯୯୪ ମସିହାରେ ୧୫୧୭ ଫୁଟ, ୨୦୦୬ରେ ୧୫୧୭ ଫୁଟ, ୨୦୧୩ରେ ୧୫୧୮ ଫୁଟ ଜଳସ୍ତର ରହିବାରୁ ଗେଟ ଖୋଲାଯାଇଥିଲା। ଅପରପକ୍ଷରେ ୨୦୧୪ ମସିହାରେ ୧୫୧୬ ଫୁଟ ପାଣି ରହିଥିଲେ ମଧ୍ୟ ଗେଟ ଖୋଲାଯାଇନଥିଲା। ମାତ୍ର, ଚଳିତବର୍ଷ ୧୫୧୧ ଫୁଟରେ ଗେଟ୍‌ ଖୋଲାଯିବା ନେଇ ସନ୍ଦେହ ପ୍ରକାଶ ପାଇଛି।

ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଶୁଣିବାକୁ ମିଳୁଛି ଯେ ବର୍ତମାନ ଜଳଭଣ୍ଡାରରେ ବିପଦ ସଂକେତ ପାଣି ରହିଛି। ହେଲେ ଗୁରୁପ୍ରିୟା ସେତୁର ବେରିଂ ନିକଟ ହୋଇଗଲାଣି ପାଣି। ବେରିଂ ଠାରୁ ମାତ୍ର ୨ରୁ ୩ଫୁଟ ତଳେ ପାଣି ବର୍ତମାନ ରହିଛି। ଯାହାକି ଏହି ସେତୁ ପାଇଁ ବିପଦ ହେବ। ଆଗକୁ ଯଦି ପୁଣି ବର୍ଷା ହୁଏ ତାହାଲେ ସେତୁର ବେରିଂ ବି ବୁଡ଼ିଯିବାର ସମ୍ଭାବନା ରହିଛି। ତେଣୁ ବେରିଂ ବୁଡ଼ିଗଲେ ସେତୁକୁ କ୍ଷତିଗ୍ରସ୍ତ କରିବ ବୋଲି ଅନୁମାନ କରି ପୂର୍ବରୁ ହିଁ ଜଳ ନିଷ୍କାସନ କରି ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଏହା ଏକ ଉଦ୍ୟମ ବୋଲି ବୁଦ୍ଧିଜୀବୀ କହିଛନ୍ତି।

ଅପରପକ୍ଷେ, ଏଭଳି ସମ୍ଭାବନାକୁ ପ୍ରଶାସନ ଏବଂ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ କାଲତା ଅସ୍ୱୀକାର କରିବା ସହିତ ଗୁରୁପ୍ରିୟା ପ୍ରତି କୌଣସି ବିପଦ ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର