ଆନ୍ଧ୍ର ପାଇଁ ବାଲିମେଳା ଗେଟ୍‌ ଖୋଲିଲା, ଜଳଭଣ୍ଡାରର ୨ଟି ଗେଟ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

ମାଲକାନଗିରି/ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଉଛି। ସେଥିପାଇଁ ଆଜି ଦୁଇଟି ଗେଟ୍ ଖୋଲାଯାଇଛି। ଜଳଭଣ୍ଡାର ପାଇଁ କୌଣସି ବିପଦ ନ ଥିଲେ ମଧ୍ୟ ଆନ୍ଧ୍ରପ୍ରଦେଶ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଳଭଣ୍ଡାର କର୍ତୃପକ୍ଷ ଏହିଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୪ ଫୁଟ ରହିଛି। ଆଜି ସୁଦ୍ଧା ଜଳଭଣ୍ଡାରରେ ମୋଟ ୧୪୯୨ ଫୁଟ୍‌ ପାଣି ରହିଛି। ଜିଲ୍ଲାରେ ଚଳିତବର୍ଷ ବାରମ୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଜଳଭଣ୍ଡାରରେ ଜଳପତ୍ତନ ବିପଦସଂକେତ ଅତିକ୍ରମ କରିନଥିଲା। ‌ଆଜି ବି ଜଳଭଣ୍ଡାର ଗେଟ୍‌ ଖୋଲା ହୋଇନଥିଲେ କୌଣସି ଅସୁବିଧା ହୋଇନଥା’ନ୍ତା। ତେବେ, ଆନ୍ଧ୍ରପ୍ରଦେଶର ଆବଶ୍ୟକତାକୁ ଦୃଷ୍ଟିରେ ଜଳଭଣ୍ଡାରର ୨ଟି ଖୋଲାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଏହି ପ୍ରକଳ୍ପଟି ଉଭୟ ଆନ୍ଧ୍ର ଓ ଓଡିଶା ସରକାରଙ୍କ ସମଭାଗିତାରେ ନିର୍ମାଣ କରାଯାଇଛି। ଗଚ୍ଛିତ ଜଳକୁ ଉଭୟ ରାଜ୍ୟ ସମାନ ଭାଗରେ ବଣ୍ଟନ କରିବେ। ଚୁକ୍ତି ଅନୁସାରେ ଆନ୍ଧ୍ର ସରକାର ତାଙ୍କର ସମାନ ପାଣିକୁ ନେଇଥା’ନ୍ତି। ତେବେ ଆନ୍ଧ୍ରକୁ ପାଣିର ଆବଶ୍ୟକତା ରହିଥିବାରୁ ଆଜି ମୋଟ ୧୦ଟି ମଧ୍ୟରୁ ଦୁଇଟି ଗେଟ୍‌ ଖୋଲାଯାଇଥିବା ଜଣାପଡ଼ିଛି।

ପୂର୍ବରୁ ଏହି ଜଳଭଣ୍ଡାରରୁ ଏପି ଟନେଲ ଯୋଗେ ଜଳନିଷ୍କାସନ କରି ଆନ୍ଧ୍ରକୁ ପାଣି ଦିଆଯାଉଥିଲା। କିନ୍ତୁ ବର୍ତମାନ ସେହି ଗେଟ୍ ମରାମତି କାମ ଚାଲିଥିବାରୁ ୪ ନମ୍ବର ଗେଟ ଏବଂ ସ୍ଲୁଇସ ଗେଟରୁ ପାଣି ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ୬ ହଜାର କ୍ୟୁସେକ୍‌ ପାଣି ଛଡ଼ାଯାଉଥିବା ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

ପାଣି ଛଡ଼ାଯିବା ପରେ ଜଳଭଣ୍ଡାର ଆଖପାଖ ଅଞ୍ଚଳର ଲୋକ ବନ୍ୟା ହେବାର ଆଶଙ୍କା କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ ଆଦୌ ଭୟଭୀତ ନହେବାକୁ କୁହାଯାଇଛି। ଆନ୍ଧ୍ରକୁ ଯେତିକି ପାଣି ଦରକାର ସେତିକି ଦେବା ପରେ ଗେଟ୍‌ଗୁଡ଼ିକ ବନ୍ଦ କରାଯିବ ବୋଲି କର୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର