ବାଲୁଗାଁ କଲେଜ ଛାତ୍ରୀ ଶିବାନୀ ହତ୍ୟାକାଣ୍ତରୁ ପର୍ଦ୍ଦା ହଟିଲା, ଭାଉଜ ହିଁ କାଟିଥିଲା ତଣ୍ଟି

ସନ୍ଦେହ ଘେରକୁ କେମିତି ଆସିଲା କାବେରୀ

ବାଲୁଗାଁ: ଏକତରଫା ପ୍ରେମ ନୁହେଁ; ନଣନ୍ଦ-ଭାଉଜ କଳିରୁ ଘଟିଗଲା ବୀଭତ୍ସ ହତ୍ୟାକାଣ୍ଡ। ପରିବା କଟା‌ ଛୁରିରେ ଭାଉଜ ହିଁ କାଟି ଦେଇଥିଲା ତଣ୍ଟି। ଆଉ କିଛି ଘଣ୍ଟା ଭିତରେ ଲିଭି ଯାଇଥିଲା କଲେଜ ଛାତ୍ରୀ ଶିବାନୀଙ୍କ ଜୀବନ ଦୀପ। ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ପୁଲିସ ଏହି ରହସ୍ୟ ଉପରୁ ପର୍ଦ୍ଦା ହଟାଇବାରେ ସମର୍ଥ ହୋଇଛି ଏବଂ ଅଭିଯୁକ୍ତ ଭାଉଜ କାବେରୀ ବେହେରାକୁ ଗିରଫ କରିଛି। ଗଙ୍ଗାନଗର ଗାଁର ରାମଚନ୍ଦ୍ର ବେହେରାଙ୍କ ଝିଅ ଶିବାନୀ ବେହେରା(୧୭) ବାଲୁଗାଁ କଲେଜରେ +୨କଳାର ଛାତ୍ରୀ। ଶନିବାର ସନ୍ଧ୍ୟାରେ ସେ ଘରେ ପାଠ ପଢୁଥିଲାବେଳେ ତା’ ଉପରେ ହୋଇଥିଲା ପ୍ରାଣାନ୍ତକ ଆକ୍ରମଣ । ପରିବାର ଲୋକେ ଶିବାନୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାଲୁଗାଁ ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସଂକଟାପନ୍ନ ଅବସ୍ଥାରେ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଥିବା ସମୟରେ ଶିବାନୀର ମୃତ୍ୟୁ ଘଟିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମି ଯାଇଥିଲା। କାବେରୀକୁ ଏକତରଫା ପ୍ରେମ କରୁଥିବା ଜଣେ ଯୁବକ ଧାରୁଆ ଅସ୍ତ୍ରରେ କାବେରୀର ତଣ୍ଟି କାଟି ଫେରାର ହୋଇ ଯାଇଥିଲା ବୋଲି ଭାଉଜ କାବେରୀ ପ୍ରକାଶ କରିଥିଲେ। ଭାଉଜର ବୟାନକୁ ଭିତ୍ତି କରି ବାଲୁଗାଁ ଥାନା ପୁଲିସ ବିଭୁ ବେହେରା ନାମକ ଜଣେ ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଥିଲେ। ଖୋର୍ଦ୍ଧା ଏସ୍‌.ପି ଅଜୟ ପ୍ରତାପ ସ୍ବାଇଁଙ୍କ ସହ ସାଇଣ୍ଟିଫିକ୍ ଟିମ୍ ରବିବାର ସକାଳେ ଘଟଣାସ୍ଥଳରେ ପହ‌ଞ୍ଚି ତଦନ୍ତକୁ ତ୍ବରାନ୍ବିତ କରିଥିଲେ। ତେବେ ଭାଉଜ କାବେରୀଙ୍କ କଥାବାର୍ତ୍ତା ଏବଂ ଅନ୍ୟାନ୍ୟ ପାରିପାର୍ଶ୍ବିକ ପ୍ରମାଣରୁ ପୁଲିସର ସନ୍ଦେହ ହୋଇଥିଲା। ତେଣୁ ପୁଲିସ କାବେରୀକୁ ଥାନାକୁ ଆଣି ଜେରା କରିଥିଲା। ଜେରା ବେଳେ କାବେରୀ ନଣନ୍ଦ ଶିବାନୀର ତଣ୍ଟି କାଟି ହତ୍ୟା କରିଥିବା ସ୍ବୀକାର କରିଥିଲା। କାବେରୀ ନିକଟରୁ ଜବତ ହୋଇଥିବା ରକ୍ତ ଲଗା ଛୁରିରେ ମଧ୍ୟ କାବେରୀର ଅଙ୍ଗୁଳି ଛାପ ଥିବା ସାଇଣ୍ଟିଫିକ୍ ଟିମ୍‌ର ପ୍ରାଥମିକ ଅନୁସନ୍ଧାନରୁ ସ୍ପଷ୍ଟ ହୋଇ ଯାଇଥିଲା। ପୁଲିସ ତଦନ୍ତକୁ ବାଟବଣା କରିବା ପାଇଁ କାବେରୀ ଜାଣିଶୁଣି ପ୍ରେମିକ ବିଭୁ ଶିବାନୀକୁ ହତ୍ୟା କରିଥିବା ନେଇ ମିଛ କାହାଣୀ ଶୁଣାଇଥିଲା ବୋଲି ମଧ୍ୟ ପୁଲିସ ଆଗରେ ମାନି ଯାଇଥିଲା। ତେଣୁ ଏସ୍‌ପି ଶ୍ରୀ ସ୍ବାଇଁ ଆଜି କାବେରୀକୁ ଗିରଫ କରିବା ସହ ସନ୍ଦେହରେ ଅଟକ ଥିବା ଯୁବକ ବିଭୁକୁ ଛାଡ଼ି ଦିଆଯାଇଛି ବୋଲି ସୂଚନା ଦେଇଥିଲେ।

ହତ୍ୟା ପଛର କାରଣ
ଶିବାନୀଙ୍କୁ ଏଭଳି ବୀଭତ୍ସ ଭାବେ ହତ୍ୟା ପଛର କାରଣ ଯେ ନଣନ୍ଦ-ଭାଉଜ କଳି ତାହା ମଧ୍ୟ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡ଼ି ହାଟ ସାହିର ବୈକୁଣ୍ଠ ବେହେରାଙ୍କ ଝିଅ କାବେରୀ ଶିବନୀର ଭାଇ ଦିଲ୍ଲୀପକୁ ପ୍ରେମ କରୁଥିଲେ। ପ୍ରାୟ ଏକ ମାସ ତଳେ କାବେରୀ ଘରୁ ଲୁଚି ପଳାଇ ଆସିଥିଲେ ଏବଂ ଦିଲ୍ଲୀପକୁ ପ୍ରେମ ବିବାହ କରିଥିଲେ। ମାତ୍ର ଏହି ପ୍ରେମ ବିବାହଙ୍କୁ ଦିଲ୍ଲୀପଙ୍କ ପରିବାର ଗ୍ରହଣ କରୁ ନ ଥିବା ବେଳେ ନଣନ୍ଦ ଶିବାନୀ ସହିତ କାବେରୀଙ୍କର ବାରମ୍ବାର କଳହ ଲାଗି ରହିଥିଲା। ନଣନ୍ଦ-ଭାଉଜଙ୍କ ସଂପର୍କ ଏତେ ତିକ୍ତ ହୋଇ ଯାଇଥିଲା ଯେ ସୁଯୋଗ ପାଇବା ମାତ୍ରେ ଶିବାନୀ ଭାଉଜ କାବେରୀକୁ ଖଟାମିଠା ଶୁଣାଇ ଦେଉଥିଲେ। ଶନିବାର ସନ୍ଧ୍ୟାରେ ଶିବାନୀ ଟିଭି ଦେଖୁଥିବା ସମୟରେ କାବେରୀ ରୁଟି ତିଆରି କରୁଥିଲେ। ରୁଟି କରି ସାରିବା ପରେ ଟିଭି ଦେଖିବା ପାଇଁ କାବେରୀ ଶିବାନୀ ନିକଟରେ ପହ‌ଞ୍ଚିବାରୁ ଶିବାନୀ ତାଙ୍କୁ ଟିଭି ଦେଖିବାକୁ ନ ଦେଇ ଘରର ଚାକରାଣୀ ବୋଲି କହି ଗାଳିଗୁଲଜ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କାବେରୀ ରୋଷେଇ ଘରୁ ପରିବା କଟା ଛୁରି ଆଣି ଶିବାନୀର ତଣ୍ଟି କାଟି ଦେଇଥିଲେ। ଯାହାଦ୍ବାରା ଶିବାନୀର ଖାଦ୍ୟ ନଳୀଟି କଟିଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଯାଇଥିଲା।

ସନ୍ଦେହ ଘେରକୁ କେମିତି ଆସିଲା କାବେରୀ
ହତ୍ୟାକାଣ୍ଡ ପରେ କାବେରୀ ନିଜ ଦୋଷ ଲୁଚାଇବା ପାଇଁ ଘଟଣାକୁ ଭିନ୍ନ ରୂପ ଦେଇଥିଲେ। ଶିବାନୀକୁ ପ୍ରେମ କରୁଥିବା ବିଭୁ ବେହେରା ନାମକ ଜଣେ ଯୁବକ ଶିବାନୀର ତଣ୍ଟି କାଟି ପଳାଇଗଲା ବୋଲି ସେ ସମସ୍ତଙ୍କୁ କହିଥିଲେ। ତେଣୁ ପୁଲିସ ତୁରନ୍ତ ବିଭୁକୁ ଅଟକ ରଖି ପଚରାଉଚରା କରିଥିଲା। ମାତ୍ର ଘଟଣା ଘଟିଲାବେଳେ ବିଭୁ ବେଶ୍ କିଛି ପିଲାଙ୍କୁ ନିଜ ଘରେ ଟିଉସନ୍ କରୁଥିଲା ଏବଂ ଟିଉସନ୍‌ରୁ ଉଠି କୁଆଡ଼େ ଯାଇ ନ ଥିଲା ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ତେଣୁ କାବେରୀର ବୟାନ ଉପରେ ପୁଲିସର ସନ୍ଦେହ ହୋଇଥିଲା। ରବିବାର ସକାଳେ ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କାବେରୀକୁ ଥାନାକୁ ଆଣି ଜେରା କରିବା ପରେ ସେ ସବୁ ସତ ମାନି ଯାଇଥିଲେ। ସାଇଣ୍ଟିଫିକ୍ ଟିମ୍ ଛୁରି, ରକ୍ତଭିଜା ଲୁଗାପଟା ସହ ସେଥିରେ ଲାଗି ରହିଥିବା ଫିଙ୍ଗରପ୍ରିଣ୍ଟକୁ ତଦାରଖ କରିଥିଲା। ଶିବାନୀ ପରିବାରର ସମସ୍ତ ସଦସ୍ୟଙ୍କର ଫିଙ୍ଗରପ୍ରିଣ୍ଟ୍ ଆଣି ପୂର୍ବରୁ ଛୁରି ଲାଗିଥିବା ଫିଙ୍ଗରପ୍ରିଣ୍ଟ୍ ସହିତ ମେଳ କରିବାରୁ କାବେରୀ ଓ ଛୁରିରେ ଲାଗିଥିବା ଫିଙ୍ଗରପ୍ରିଣ୍ଟ୍ ମିଶିଯିବାରୁ ଏହା ସ୍ପଷ୍ଟ ହୋଇ ଯାଇଥିଲା।

ପରେ ଏସ୍‌ପି ଶ୍ରୀ ସ୍ବାଇଁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଶିବାନୀ ହତ୍ୟାକାଣ୍ତ ସଂପର୍କରେ ସମସ୍ତ ତଥ୍ୟ ପ୍ରକାଶ କରିଥିଲେ। ବାଲୁଗାଁ ଥାନା ପୁଲିସ କେସ୍‌ ନଂ ୧୬୦/୨୦୧୯ରେ ଏକ ମାମଲା ରୁଜୁ କରିବା ସହିତ ମୁଖ୍ୟ ଅଭିଯୁକ୍ତ କାବେରୀ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ରିପୋର୍ଟ ଲେଖା ହେବା ବେଳକୁ ଶିବାନୀର ମୃତଦେହ ଗ୍ରାମରେ ପହ‌ଞ୍ଚିଥିବାବେଳେ ଏକ ଶୋକାକୁଳ ପରିବେଶରେ ପରିବାର ଲୋକ, ଆତ୍ମୀୟସ୍ବଜନ ଓ ସାଙ୍ଗସାଥୀ ଶବ ସତ୍କାର କରିଥିଲେ।

ସମ୍ବନ୍ଧିତ ଖବର