ବମିଖାଲ ଓଭରବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି

ନବୀନ ନିବାସ ଘେରିବ ଯୁବ କଂଗ୍ରେସ

ଭୁବନେଶ୍ୱର : ବମିଖାଲ ଓଭରବ୍ରିଜ୍‌ ଭୁଶୁଡ଼ିବା ଘଟଣାକୁ ଦୁଇ ସପ୍ତାହ ବିତିଥିଲେ ମଧ୍ୟ କେତେଜଣ ତଳତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବଡ଼ ଅଧିକାରୀମାନେ ଖସି ଯିବାକୁ ବସିଛନ୍ତି। ସେହିପରି ବରଗଡ଼ରେ ନିର୍ମାଣଧୀନ ବିଜୁ ସେତୁ, ଗୁରୁପ୍ରିୟା ସେତୁ, ନେତପୁର ସେତୁ, ଜାତମୁଣ୍ଡିଆ ସେତୁ, ଗୁମୁଡ଼ା ସେତୁ, ନୂଆପାଟଣା ସେତୁ, ଭଟଲି ଏବଂ ତ୍ରିଶୂଳିଆ ସେତୁ କ୍ଷେତ୍ରରେ ବି ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ସବୁ ବେଳେ ପୂର୍ତ୍ତ ବିଭାଗର ଛୋଟ ଅଧିକାରୀଙ୍କୁ ବଳି ପକାଇ ମୁଖ୍ୟ କାର୍ପଟଦାର ଖସି ଯିବାକୁ ବସିଛନ୍ତି। ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଆସନ୍ତା ୧୦ ଦିନ ମଧ୍ୟରେ ଯଦି ପୁର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ନବୀନ ନିବାସ ଘେରାଉ କରାଯିବ ବୋଲି ରାଜ୍ୟ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ଚେତାବନୀ ଦେଇଛନ୍ତି।

କଂଗ୍ରେସ ଭବନଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାରଥୀ କହିଲେ, ବ୍ରିଜ୍‌ ନିର୍ମାଣ ଟେଣ୍ଡର୍‌ ପ୍ରକ୍ରିୟାରେ ବ୍ୟାପକ ଅର୍ଥ ହେରଫେର୍‌ ହେଉଛି। ଯେଉଁଥିପାଇଁ ନିମ୍ନମାନର କାର୍ଯ୍ୟ ହେଉଥିବା ଜାଣିବା ପରେ ବି ପୁର୍ତ୍ତ ବିଭାଗର ଅଧିକାରୀମାନେ କାଗଜ କଲମରେ ସମସ୍ତ କାର୍ଯ୍ୟକୁ ଠିକ୍‌ ବୋଲି ଦର୍ଶାଉଛନ୍ତି। ବାହାର ରାଜ୍ୟର ସଂସ୍ଥାଙ୍କୁ ଅନୁକମ୍ପା ଦେଖାଯାଉଛି। ସ୍ୱାସ୍ଥ୍ୟ କେନ୍ଦ୍ର ବିଲ୍‌ଡିଂ ନିର୍ମାଣରେ ବି ଅନିୟମିତତା ହେଉଛି। ଘରୋଇ ସଂସ୍ଥାକୁ ୨୦୦ ପ୍ରତିଶତ ଅଧିକ ବ୍ୟୟ ବରାଦରେ ଟେଣ୍ଡର୍‌ ଧାର୍ଯ୍ୟ କରି ବଡ଼ବଡ଼ିଆ ବାବୁମାନେ ପକେଟ ଗରମ କରୁଛନ୍ତି। ଦୁର୍ଘଟଣା ପରେ ରାଜ୍ୟ ସରକାର କେବଳ ଠିକା ସଂସ୍ଥାକୁ ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ପ୍ରୟାସ କରୁଛନ୍ତି। ଫଳରେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରୁ ନାହିଁ। ରାଜ୍ୟର ସମସ୍ତ ବ୍ରିଜ ଦୁର୍ଘଟଣା ଓ ବିଭିନ୍ନ ବିଭାଗରେ ହଜାର ହଜାର କୋଟି ଟଙ୍କାର କାର୍ଯ୍ୟକୁ ୫ ଲକ୍ଷରୁ କମ୍‌ ବଜେଟରେ ଯେଉଁଭଳି ବିନା ଟେଣ୍ଡରରେ ଦିଆଯାଉଛି ତା’ର ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଡ. ସ୍ମୃତିରଞ୍ଜନ ଲେଙ୍କା, ଅଜୟ କୁମାର ସାହୁ, ଜ୍ୟୋତି ପ୍ରକାଶ ଆଚାର୍ଯ୍ୟ ଓ ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର