ମହାପ୍ରଭୁଙ୍କ ବନକଲାଗି ସାଢ଼େ ୩ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିଲା। ୩ ଘଣ୍ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଆଜି ଅପରାହ୍‌ଣ ୨ଟା ୪୫ ମିନିଟ୍‌ରେ ମଧ୍ୟାହ୍ନ ଧୂପ ଶେଷ ହୋଇଥିଲା। ଅପରାହ୍‌ଣ ୩ଟା ୪୦ ମିନିଟ୍‌ରେ ଦ୍ଵିତୀୟ ଭୋଗମଣ୍ଡପ ନୀତି ସମ୍ପନ୍ନ ହୋଇଥିଲା। ଆଜି ସାଢ଼େ ୩ଟାରୁ ବନକଲାଗି ନୀତି ଆରମ୍ଭ ହେବାର ଥିବାବେଳେ ବି ଘଣ୍ଟାଏ ବିଳମ୍ବରେ ଏହା ଆରମ୍ଭ ହୋଇଥିଲା। ଅପରାହ୍‌ଣ ପ୍ରାୟ ୪ଟା ୪୫ ମିନିଟ୍‌ରେ ବନକଲାଗି ନୀତି ଆରମ୍ଭ ହୋଇଥିଲା। ରାତି ୭ଟା ୨୫ ମିନିଟ୍‌ରେ ବନକଲାଗି ନୀତି ସମ୍ପର୍ଣ୍ଣ ହୋଇଥିଲା। ଏହି ସମୟରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କୁ ଶ୍ରୀମୁଖ ଶ୍ରୀଙ୍ଗାର କରିଥିଲେ। ବନକଲାଗି ନୀତି ସମ୍ପର୍ଣ୍ଣ ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା। ମହାସ୍ନାନ ନୀତି ସଂପର୍ଣ୍ଣ ପରେ ବନକଲାଗି ନୀତି ସମ୍ପନ୍ନର ପ୍ରାୟ ଘଣ୍ଟାଏ ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତମାନେ ରାତି ପ୍ରାୟ ୮ଟା ୨୫ ମିନିଟ୍‌ରେ ମନ୍ଦିର ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ଛତିଶା ନିଯୋଗ ବୈଠକ ଆଜି

ପୁରୀ : ହାଇକୋର୍ଟ ଶ୍ରୀମନ୍ଦିର ଜଗମୋହନ ଖୋଲାଯିବା ଓ ଗର୍ଭଗୃହ ପ୍ରବେଶ ଉପରେ କଟକଣା ଜାରି କରିବା ପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗ ବୈଠକ ତାରିଖରେ ପରିବର୍ତନ କରିଛି। ପୂର୍ବରୁ ଏପ୍ରିଲ୍‌ ୧୬ରେ ବୈଠକ ପାଇଁ ତାରିଖ ଚୂଡ଼ାନ୍ତ ହୋଇଥିଲାବେଳେ ଏହାକୁ ଆସନ୍ତାକାଲିକୁ ପରିବର୍ତନ କରାଯାଇଛି। ଏ ମର୍ମରେ ଗର୍ଭଗୃହ ଦାୟିତ୍ଵରେ ଥିବା ପୂଜାପଣ୍ଡା ନିଯୋଗ, ପୁଷ୍ପାଳକ ନିଯୋଗ, ପ୍ରତିହାରୀ ନିଯୋଗ, ମହାଜନ ନିଯୋଗକୁ ନେଇ ଆଜି ସଂଧ୍ୟାରେ ଗୁପ୍ତ ଭାବେ ଏକ ପ୍ରାରମ୍ଭିକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ହାଇକୋର୍ଟଙ୍କ ଆଦେଶ ଉପରେ ସମସ୍ତଙ୍କୁ ଅବଗତ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲିର ବୈଠକରେ ଜଗମୋହନ ଖୋଲିବା ତାରିଖ ଓ ସେବାୟତଙ୍କ ରଥପାଉଣା ମୁଖ୍ୟ ପ୍ରସଙ୍ଗ ରହିବ। ଗର୍ଭଗୃହ ଓ ପାରିମାଣିକ ଦର୍ଶନ ଉପରେ ବି ବିସ୍ତୃତ ଆଲୋଚନା ହେବ। ହାଇକୋର୍ଟଙ୍କ ନିର୍ଦେଶ ପରେ ସାହାଣମେଲା ଓ ପାରିମାଣିକ ଦର୍ଶନ ବନ୍ଦ ହୋଇଯିବା ସମ୍ଭାବନା ଥିବାରୁ ଏ ଉପରେ ବି ବିସ୍ତୃତ ଆଲୋଚନା ହେବ।

ସମ୍ବନ୍ଧିତ ଖବର