ଭୁବନେଶ୍ବର : ଜମ୍ମୁ- କଶ୍ମୀରର ପୁଲଓ୍ଵାମା ଠାରେ ଆତଙ୍କବାଦୀଙ୍କ ବର୍ବରୋଚିତ ହାମ୍ଲାରେ ୪୦ ଜଣ ସିଆରପିଏଫ୍ ଯବାନ ଶହୀଦ ହେବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଭାରତୀୟ ବ୍ୟବସାୟୀ ମହାସଂଘ। ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପ୍ରତିବାଦରେ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ବନ୍ଦ ପାଳନ ହୋଇଥିଲା । ଏଥିପାଇଁ ଆଜି ଓଡ଼ିଶାର ବିଭିନ୍ନ ସହରରେ ଦୋକାନ-ବଜାର ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିଥିଲା । ଏହି ବନ୍ଦ ପାଳନକୁ ଓଡ଼ିଶାରେ ଲୋକଙ୍କ ସମର୍ଥନ ମିଳିଥିବା ସୂଚନା ହସ୍ତଗତ ହୋଇଛି । ଶହୀଦ ଯବାନଙ୍କ ସମ୍ମାନାର୍ଥେ ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବା ସହ ଦିନବ୍ୟାପୀ ଉପବାସ ପାଳନ କରିବା ସହ ଶହୀଦମାନଙ୍କ ପାଇଁ ନିଜ ନିଜ ରାଜ୍ୟରେ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ବାହାର କରିଛନ୍ତି ।
ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଦିଆ ଯାଇଥିବା ଏହି ବନ୍ଦ ଡାକରା ପ୍ରତି ଦେଶର ଅଧିକାଂଶ ରାଜ୍ୟ ନିଜ ନିଜର ସମର୍ଥନ ଜଣାଇଥିବା ମହାସଂଘର ସଭାପତି ବି ସି ଭର୍ତ୍ତିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବ୍ୟବସାୟୀ ମହାସଂଘର ଏହି ବନ୍ଦ ଡାକରା ପ୍ରତି ସମର୍ଥନ ଜଣାଇଥିବା ରାଜ୍ୟଗୁଡ଼ିକ ହେଲେ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ରାଜସ୍ଥାନ, ତାମିଲନାଡ଼ୁ, ପଞ୍ଜାବ, ହରିୟାଣା, ଜମ୍ମୁ- କଶ୍କରୀ ଓ ଓଡ଼ିଶା ସମେତ ଅନ୍ୟ ବହୁ ରାଜ୍ୟ। ତେବେ, ଆଜି ରାତି ସୁଦ୍ଧା ଦେଶର ଆଉ ବହୁ ରାଜ୍ୟ ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇବେ ବୋଲି ଗଣମାଧ୍ୟମକୁ କହିଛନ୍ତି ଭାରତୀୟ ବ୍ୟବସାୟୀ ମହାସଂଘର ସଭାପତି ଶ୍ରୀ ଭର୍ତ୍ତିଆ।