କୋଶଲ ମହାବନ୍ଦ ଶାନ୍ତିପୂର୍ଣ୍ଣ, ଜୀବନ ଯାତ୍ରା ଠପ୍‌

ସମ୍ବଲପୁରରେ ପ୍ରଭାବ ନାହିଁ, କଳାହାଣ୍ଡିରେ ଆଂଶିକ ସଫଳ

ସମ୍ବଲପୁର : ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବିରେ କୋଶଲ ରାଜ୍ୟ ସମନ୍ବୟ ମସିତି ପକ୍ଷରୁ ଦିଆ ଯାଇଥିବା ମହାବନ୍ଦ ସଫଳ ହୋଇଛି। ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ଦେବଗଡ଼, ସୋନପୁର, କଳହାଣ୍ଡି, ନୂଆପଡ଼ା, ବୌଦ୍ଧ ଜିଲ୍ଲାରେ ସ୍ବତଃସ୍ଫୁର୍ତ୍ତ ବନ୍ଦ ହୋଇଥିଲା। ସମସ୍ତ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ କଲେଜ, ବ୍ୟାଙ୍କ ପ୍ରଭୃତି ବନ୍ଦ ରହିଥିବାବେଳେ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ବିଭିନ୍ନ ଅଞ୍ଚଳରେ ବନ୍ଦ ସପକ୍ଷବାଦୀ ପିକେଟିଂ କରିଥିଲେ। ‌ଏହା ସହିତ ପଶ୍ଚିମାଞ୍ଚଳ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଦର୍ଶାଇ କେତେକ ଅଞ୍ଚଳରେ ପ୍ରତିବାଦ ସଭା ମଧ୍ୟ ହୋଇଥିଲା।

ବରଗଡ଼ ପ୍ରତିନିଧିଙ୍କ ଠାରୁ ପ୍ରକାଶ ଯେ, ବନ୍ଦ ଯୋଗୁଁ ବରଗଡ଼ ସଦର ଠାରୁ ଆରମ୍ଭ କରି ସମସ୍ତ ବ୍ଲକ ଏବଂ ଗ୍ରାମାଞ୍ଚଳରେ ଜନଜୀବନ ଠପ୍ ରହିଥିଲା। ବନ୍ଦ ଡାକରାକୁ ଜିଲ୍ଲାରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ମହାବନ୍ଦ ଯୋଗୁଁ ସକାଳ ୬ଟାରୁ ସନ୍ଧ୍ୟା ଯାଏ ଦୋକାନ,ବଜାର, ସରକାରୀ ଓ ‌ଘରୋଇ ଅନୁଷ୍ଠାନ ବନ୍ଦ ରହିଥିଲା। ବ୍ୟାଙ୍କସେବା ମଧ୍ୟ ପ୍ରଭାବିତ ରହିଥିଲା। ବସ୍ ଚଳାଚଳ ସଂପୂର୍ଣ୍ଣ ଠପ୍ ରହିଥିଲା। କେବଳ ଜରୁରୀକାଳୀନ ସେବା ଏବଂ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦୃଷ୍ଟିରୁ ଟ୍ରେନ୍ ଚଳାଚଳ ସ୍ବାଭାବିକ ରହିଥିଲା।

ଆମ ବଲାଙ୍ଗୀର ପ୍ରତିନିଧିଙ୍କ ଠାରୁ ପ୍ରକାଶ ଯେ, ମହାବନ୍ଦ ପରିପ୍ରେକ୍ଷୀରେ କୋଶଲ ରାଜ୍ୟ ସମନ୍ବୟ ସମିତିର ଯୁବ ସଂଗଠନର ସଦସ୍ୟମା‌ନେ ବାଇକ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ। ଅତ୍ୟାବଶ୍ୟକ ସୁବିଧା ଛାଡି ଦେଲେ ବସ, ଟ୍ରକ, ଚାରି ଚକିଆ, ବ୍ୟାଙ୍କ, ସରକାରୀ ଓ ଘରୋଇ ଅଫିସ, ଡାକ ଘର, ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା।

କୋଶଲ ମହାବନ୍ଦର ପ୍ରଭାବ‌େର ଦୋକାନ ବଜାର, ପେଟ୍ରୋଲ ପମ୍ପ, ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ ରହିଥିଲା। କୋଶଳ ସମର୍ଥକ ମାନେ ଷ୍ଟେସନ ଛକ, ବସଷ୍ଟାଣ୍ଡ, ବାଇପାସ ରୋଡ଼୍, ବମ୍ବେ ଛକ, ବିଟିଏମ୍ ଛକ, ବଡ଼ମାଳ ଛକ ଠାରେ ରାସ୍ତା ଅବରୋଧ କରି କୋଶଲ ରାଜ୍ୟ ସପକ୍ଷରେ ବିଭିନ୍ନ ସ୍ଲୋଗାନ ଦେଇ ଆମ ଝାରସୁଗୁଡ଼ା ପ୍ରତିନିଧିଙ୍କ ଠାରୁ ପ୍ରକାଶ।

ସୋନପୁରରେ ମହାବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି। ସରକରୀ, ବେସରକାରୀ ଅଫିସ, କୋର୍ଟ, ବ୍ୟାଙ୍କ, ପୋଷ୍ଟ ଅଫିସ, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ତଥା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଫଳରେ ସାଧାରଣ ଜୀବନଯାତ୍ରା ଠପ ହୋଇଯାଇଥିବା ଆମ ପ୍ରତିନିଧିଙ୍କ ଠାରୁ ପ୍ରକାଶ।

ବୌଦ୍ଧ ପ୍ରତିନିଧିଙ୍କ ଠାରୁ ପ୍ରକାଶ ଯେ, ମହାବନ୍ଦ ଆହ୍ବାନକ୍ରମେ ବୌଦ୍ଧ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ହୋଇଛି। ଜିଲ୍ଲାର ତିନି ବ୍ଲକ ବୌଦ୍ଧ, କଣ୍ଟାମାଲ ଓ ହରଭଙ୍ଗା ବ୍ଲକରେ ସ୍ବତଃସ୍ଫୁର୍ତ୍ତ ବନ୍ଦ ଦେଖାଯାଇଛି। ବୌଦ୍ଧ ସହର ସମେତ କଣ୍ଟାମାଲ, ଘଣ୍ଟାପଡା, ମନମୁଣ୍ତା, ଶଗଡ଼ା, ପଲସାଗୋରା, ବାଉଁଶୁଣି, ପୁରୁଣାକଟକ, ଚାରିଛକ ପ୍ରମୁଖ ଅ˚ଚଳରେ ମହାବନ୍ଦକୁ ପୂର୍ଣ୍ଣ ସମର୍ଥନ ମିଳିଛି। ଜାତୀୟ ରାଜପଥ ୫୭ରେ ଗାଡ଼ି ଚଳାଚଳ ସ˚ପୂର୍ଣ୍ଣ ଠପ୍‌ ରହିଥିଲା।

ସେହିପରି ନୂଆପଡ଼ା ଜିଲ୍ଲାରେ ବନ୍ଦ ଶାନ୍ତିପୂର୍ଣ୍ଣର ସହିତ ସଫଳ ହୋଇଥିବା ଆମ ପ୍ରତିନିଧି ଜଣାଇଛନ୍ତି। ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସମସ୍ତ ବ୍ୟାଙ୍କ, ବୀମା ଓ ଡାକଘର ବନ୍ଦ ରହିଥିଲା। ସ୍ଥାନୀୟ ଏକତା ଛକ ଠାରେ ସକାଳ ୬ଟାରେ ଜାତୀୟ ରାଜପଥ ୩୫୩କୁ ଅବରୋଧ କରିଥିଲେ।

ଦେବଗଡ଼ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଥିଲା। ଟ୍ରାଫିକ ଛକରେ କୋଶଳ ସମନ୍ବୟ ସମିତି ଦେବଗଡ଼ ଶାଖା ସଦସ୍ୟମାନେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ଦ୍ବାରା ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ସ୍କୁଲ, କଲେଜ, ବ୍ୟାଙ୍କ ସହ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଆମ ପ୍ରତିନିଧିଙ୍କ ଠାରୁ ପ୍ରକାଶ।

କୋଶଲ ରାଜ୍ୟ ଦାବିରେ କଳାହାଣ୍ଡି ଜିଲ୍ଲାରେ ମହାବନ୍ଦ ଡାକରା ଆଜି ଆଂଶିକ ପ୍ରଭାବ ପଡିଥିଲା। ଜିଲ୍ଲାର ଭବାନୀପାଟଣା ଓ କେସିଙ୍ଗାରେ ଯାନବାହାନ ଚଳାଚଳ ବନ୍ଦ ଥିବା ବେଳେ ଅନ୍ୟ ଅଞ୍ଚଳ ମାନଙ୍କରେ ଏହାର ପ୍ରଭାବ କମ ପଡିଥିଲା। କଳାହାଣ୍ଡି ଜିଲ୍ଲାରେ ଗୋଟିଏ ଗୋଷ୍ଠୀ କୋଶଳ ରାଜ୍ୟ ଦାବି ନେଇ କଳାହାଣ୍ଡି ବନ୍ଦ ଡାକରା ଦେଇଥିବାବେଳେ ଅନ୍ୟ ଏକ ଗୋଷ୍ଠୀ କଳାହାଣ୍ଡିକୁ ମହାକାନ୍ତାର ରାଜ୍ୟ ଦାବି ନେଇ କୋଶଲ ମହାବନ୍ଦକୁ ବିରୋଧ କରିଥିଲେ। ଜିଲ୍ଲାରେ ସକାଳ ୮ଟାରୁ ପ୍ରାୟ ୧ଟା ପର୍ଯ୍ୟନ୍ତ ବସ ଚଳାଚଳ ଠପ ହୋଇଥିଲା। ସେହିଭଳି ଭବାନୀପାଟଣା ସହରର ପେଟ୍ରୋଲ ପମ୍ପ ଗୁଡିକ ମଧ୍ୟ ବନ୍ଦଥିବା ଦେଖିବାକୁ ମିଳିଥିଲା।

ସମ୍ବଲପୁର ଜିଲ୍ଲାରେ କୋଶଲ ମହାବନ୍ଦ ପ୍ରଭାବଶୂନ୍ୟ ରହିଛି। ଗାଡ଼ି ମଟର ଚଳାଚଳ ସ୍ବାଭାବିକ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ଖୋଲା ରହିଥିଲା। ତେବେ ସକାଳୁ ଲଗାଣ ବର୍ଷା ଓ ପ୍ରବଳ ଶୀତ ଯୋଗୁଁ କିଛି ଦୋକାନ ବନ୍ଦ ରହିଥିଲା। ସମ୍ବଲପୁର ବିଶ୍ବବିଦ୍ୟାଳୟ ସମ୍ମୁଖରେ ୨୦ରୁ ଊର୍ଦ୍ଧ୍ବ ଛାତ୍ର ବର୍ଷାରେ ଭିଜି ଭିଜି ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ ପ୍ଲାକାର୍ଡ ପ୍ରଦର୍ଶନ କରିବା ସାଙ୍ଗକୁ ସ୍ଳୋଗାନ ମଧ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର