ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ ବନ୍ଦ ଶାନ୍ତିପୂର୍ଣ୍ଣ

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି

ବଲାଙ୍ଗୀର/ସୋନପୁର : କୋଶଲ ରାଜ୍ୟ ସମନ୍ଵୟ ସମିତି ପକ୍ଷରୁ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ଶୁକ୍ରବାର ବନ୍ଦ ପାଳନ କରାଯାଇଛି। କୋଶଲ ରାଜ୍ୟ ପ୍ରତିଷ୍ଠା ଦାବିରେ ବଲାଙ୍ଗୀର- ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଉଭୟ ଜିଲ୍ଲାରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଥିଲା। ସବୁ ବର୍ଷ ଅଗଷ୍ଟ ମାସରେ କୋଶଲ ରାଜ୍ୟ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ବନ୍ଦ ପାଳନ ହେଉଥିଲା। କିନ୍ତୁ ଏଥର ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାକୁ ୫ଟି ସଂସଦୀୟ କ୍ଷେତ୍ର ଅନୁସାରେ ବନ୍ଦ ପାଳନ ସହ ଶେଷରେ ମହାବନ୍ଦ ପାଳନ ପାଇଁ ସ୍ଥିର କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର- ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି। ଶୁକ୍ରବାର ସକାଳେ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ବନ୍ଦ ପାଳନରେ ସାମିଲ ହୋଇଥିଲେ। ବାଇକ୍‌ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ। ଏଥିସହିତ ସହରର ବିଭିନ୍ନ ଅଫିସ, ବ୍ୟାଙ୍କ, ଘରୋଇ ସଂସ୍ଥା ସମ୍ମୁଖରେ ପ୍ରତୀକାତ୍ମକ ଧାରଣା ଦେଇ ବନ୍ଦକୁ ସମର୍ଥନ କରିବା ପାଇଁ ଆହ୍ଵାନ ଦିଆଯାଇଥିଲା। ବଲାଙ୍ଗୀର ଠାରେ କୋଶଲବାଦୀ ନେତା ପ୍ରମୋଦ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବନ୍ଦରେ ପ୍ରାୟ ୪୨ଟି ସଂଗଠନରର କର୍ମକର୍ତ୍ତା ଓ ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଦଳ ଓ ମତ ନିର୍ବିଶେଷରେ ସମସ୍ତେ କୋଶଲ ପ୍ରଦେଶ ଦାବିରେ ଏହି ଆନ୍ଦୋଳନରେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା।

ସକାଳେ ଶୋଭାଯାତ୍ରା ଓ ବନ୍ଦ ପରେ କଚେରି ଛକରେ କୋଶଲ ରାଜ୍ୟ ସମନ୍ଵୟ ସମିତି ପକ୍ଷରୁ ଆହୂତ ଧାରଣାରେ ବହୁ ବକ୍ତା ସାମିଲ ହୋଇ କୋଶଲ ରାଜ୍ୟ ସମର୍ଥନରେ ଦୃଢ଼ ଦାବି ରଖିବା ସହ ଯେଉଁ ଦଳ କୋଶଲକୁ ସମର୍ଥନ ଦେଉ ନାହିଁ ସେହି ଦଳକୁ ଦୂରେଇ ଦେବା ଆବଶ୍ୟକ ବୋଲି ମତ ଦିଆଯାଇଥିଲା। ଆଉ ପାର୍ଟି, ନେତା ଓ ନୋଟ୍‌ ଆଗରେ ମାଟିକୁ ଗୁରୁତ୍ୱ ଦିଆଯିବାକୁ ଏହି ଅବସରରେ ବକ୍ତାମାନେ ମତ ଦେଇଥିଲେ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସଦର ସମେତ, ତରଭା, ଡୁଙ୍ଗୁରିପାଲି, ଉଲୁଣ୍ଡା, ବୀରମହାରାଜପୁର, ବିନିକା ଆଦି ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, କୋର୍ଟ, ବ୍ୟାଙ୍କ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଯାନବାହନ ଚାଳଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ସାଧାରଣ ଜୀବନ ଯାତ୍ରା ଠପ୍‌ ହୋଇଯାଇଥିଲା। ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି ସମର୍ଥକମାନେ ଏକ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ପିକେଟିଂ କରିଥିଲେ।

ସମ୍ବନ୍ଧିତ ଖବର