୧୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ

ସ୍ୱଦେଶକୁ ଫେରି ପାରୁନାହାନ୍ତି ୪ ବାଂଲାଦେଶୀ
ଅଢ଼େଇ ମାସହେଲା ଜେଲ ବାରାକ୍‌ରେ ରହୁଛନ୍ତି
ହସ୍ତାନ୍ତର ପାଇଁ ସମସ୍ତ ପ୍ରସ୍ତୁତି ସାରିଛି ଜିଲ୍ଲା ପୁଲିସ
ତୁରନ୍ତ ଫେରାଇନେବା ପାଇଁ ନିଜ ଦେଶର ସରକାରଙ୍କୁ ନିବେଦନ

ବାଲେଶ୍ବର : ଏକ ଡକାୟତି ମାମଲାରେ ବାଲେଶ୍ବର ଜିଲ୍ଲା ପୁଲିସ ହାତରେ ଗିରଫ ହୋଇ ଦୀର୍ଘ ବର୍ଷ ଜେଲଦଣ୍ଡ ଭୋଗିବା ପରେ ଏବେ ନିଜଦେଶକୁ ଫେରିବା ନେଇ ଚିନ୍ତାରେ ଦିନ କାଟୁଛନ୍ତି ୪ ବାଂଲାଦେଶୀ ନାଗରିକ। ସେମାନଙ୍କୁ ବାଂଲାଦେଶ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ମାତ୍ର ବାଂଲାଦେଶ ସରକାର ସେମାନଙ୍କୁ ଗ୍ରହଣ କରିବା ନେଇ କୌଣସି ସୂଚନା ପ୍ରଦାନ କରି ନ ଥିବାରୁ ଜିଲ୍ଲା ପୁଲିସ ସେମାନଙ୍କୁ ପୁଣିଥରେ ନିଜ ହେପାଜତରେ ରଖିବାକୁ ବାଧ୍ୟ ହୋଇଛି। ସେମାନଙ୍କୁ ବାଲେଶ୍ବର ଜିଲ୍ଲା ଜେଲ୍‌ ପରିସରରେ ଥିବା ଏକ ବାରାକ୍‌ରେ ରଖାଯାଇଥିବା ବେଳେ ଖାଇବା ଓ ରହିବା ବ୍ୟବସ୍ଥା ମଧ୍ୟ କରାଯାଇଛି।

ଡକାୟତି ମାମଲାରେ ଜେଲ୍‌ଦଣ୍ଡ ଭୋଗିଥିବା ସମ୍ପୃକ୍ତ ବନ୍ଦୀମାନେ ହେଲେ ବାଂଲାଦେଶର ଫରିଦପୁର ଜିଲ୍ଲା ଭାଙ୍ଗା ଥାନା ଅନ୍ତର୍ଗତ ହାମିର୍ଦି ଗ୍ରାମର ମହମ୍ମଦ ନୱାବ ଅଲ୍ଲୀ ଖାନ୍‌ଙ୍କ ପୁଅ ଅରିଫ୍‌ ଖାନ୍‌(୩୨), ମହମ୍ମଦ ଜିନ୍ନାତ ଖାନ୍‌ଙ୍କ ପୁଅ ପୌଶା ଖାନ୍‌(୩୩), ଶେଖ୍‌ ସତ୍ତାରଙ୍କ ପୁଅ ସେଖ୍‌ ଜାହିର(୩୧), ଲିୟାକତ ଅଲ୍ଲି ମୁଲ୍ଲାଙ୍କ ପୁଅ ମହମ୍ମଦ ଆଦାଦୁଲ ମୁଲ୍ଲା(୩୧), ମହମ୍ମଦ କବୀର ଖାନ୍‌ଙ୍କ ପୁଅ ବାବୁ ଖାନ(୩୨) ଓ ମହମ୍ମଦ ସଫିଜୁଦ୍ଦିନ ମୁଲ୍ଲାର ପୁଅ ମହମ୍ମଦ ଆବୁଲ ବସର୍‌ ମୁଲ୍ଲା(୩୮)। ତେବେ ବାବୁ ଖାଁ ଏବେ କଟକ ଚୌଦ୍ବାର ଜେଲ୍‌ରେ ଥିବା ବେଳେ ଆସାଦୁଲ ମୁଲ୍ଲା ଢେଙ୍କାନଳ ଜେଲରେ ଅଛି। ସମସ୍ତଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ ଜେଲ୍‌ ଦଣ୍ଡାଦେଶ ହୋଇଥିବା ବେଳେ ବାଲେଶ୍ବର ଜେଲ୍‌ରେ ଥିବା ସମ୍ପୃକ୍ତ ୪ ଜଣ ବାଂଲାଦେଶୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ୧୨ ବର୍ଷ ଦଣ୍ଡ ପରେ ଖଲାସ କରାଯାଇଥିବା ଜେଲ୍‌ ଅଧୀକ୍ଷକ କୁଳମଣି ବେହେରା କହିଛନ୍ତି।

ପ୍ରକାଶଥାଉକି, ୨୦୦୭ ମସିହା ମେ ମାସ ୨୮ ତାରିଖ ଏକ ସିରିଜ୍‌ ଡକାୟତି ଘଟଣାରେ ଏମାନେ ସମ୍ପୃକ୍ତ ଥିଲେ। ତେବେ ସେମାନେ ଟାଉନ୍‌ ଥାନା ଅଧୀନ ସୁନହଟସ୍ଥିତ ଏକ ଘରେ ଲୁଚିଥିବା ପୁଲିସକୁ ଖବର ମିଳିବା ପରେ ପୁଲିସ ସେଠାରେ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଥିଲା। ଏହାପରେ ସେମାନେ ସମସ୍ତେ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି ଜଣାପଡ଼ିଥିଲା। ‌ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ୧୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଥିଲା।

ସମ୍ବନ୍ଧିତ ଖବର