ବିନିକା ଅଗ୍ନିଶମ କର୍ମଚାରୀଙ୍କୁ ତଣ୍ଟିକାଟି ହତ୍ୟା ଘଟଣା: ଭିଡିଓ କଲେ, ରକ୍ଷା କଲେନି

ସୋନପୁର: ଗତ ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିନିକାରେ ସେଠିକାର ଅଗ୍ନିଶମ ବିଭାଗର କର୍ମଚାରୀ ଦୁଷ୍ମନ୍ତ କିଶାନ(୨୭)ଙ୍କୁ ବିନିକାର ଏକ ବିୟର ପାର୍ଲରରେ ତଣ୍ଟିକାଟି ବିନିକା ଗାନ୍ଧୀନଗର ପଡ଼ାର ଟିକୁ ଅଜଗର ନାମକ ଜଣେ ହତ୍ୟା କରିଥିଲା। ବୁଧବାର ସକାଳ ‌ସାଢ଼େ ୯ଟାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଏହି ଘଟଣାରେ ହତ୍ୟାକାରୀ ହତ୍ୟାରେ ବ୍ୟବହୃତ କଟୁରୀ ସହିତ ଥାନାରେ ଆତ୍ମ ସମର୍ପଣ କରିଥିଲା। ଏହି ହତ୍ୟାକାଣ୍ଡ ଘଟଣାର ଭିଡିଓ ଗୁରୁବାର ଭାଇରାଲ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରଥମେ ହତ୍ୟାକରୀ ଟିକୁ ହତ୍ୟାକାଣ୍ଡର ଶିକାର ହୋଇଥିବା ଦୁଷ୍ମନ୍ତଙ୍କୁ ଏକ ଠେଙ୍ଗାରେ ବାଡ଼ଉଥିବା ଭିଡିଓରେ ଦେଖାଯାଉଛି। ପରେ ଟିକୁ କିଛି ସମୟ ବାହାରକୁ ଯାଇ ପୁଣି ଘଟଣାସ୍ଥଳକୁ ଆସି କଟୁରୀରେ ତଣ୍ଟି କାଟି ଦୁଷ୍ମନ୍ତଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ‌ଏକ ବାଇକରେ ଯାଉଥିବାର ଦେଖାଯାଉଛି। ପ୍ରଥମେ ଠେଙ୍ଗାରେ ବାଡ଼ଉଥିବା ବେଳେ କେହି ଜଣେ କାହିଁକି ବାଡ଼ଉଛୁ ବୋଲି କହୁଥିବାର ଶୁଭୁଛି। ହେଲେ ଛଡ଼ାଇବାକୁ କେହି ଆସି ନାହାନ୍ତି। ଏପରିକି କଟୁରୀରେ ତଣ୍ଟି କାଟି ହତ୍ୟାକାରୀ ବେଧଡ଼କ ଭାବରେ ଘଟଣାସ୍ଥଳରୁ ଚାଲିଯାଉଥିଲେ ମଧ୍ୟ କେହି ତାକୁ ଅଟକାଇ ନାହାନ୍ତି। ଏପରିକି କେହି ଜଣେ ହତ୍ୟାକାଣ୍ଡର ଭିଡିଓ ସୁଟିଂ କରିଥିବା ଭିଡିଓ ଭାଇରାଲରୁ ସ୍ପଷ୍ଟ ହୋଇଛି। ଏଠାରେ ମାନବିକତାକୁ ନେଇ ପ୍ରଶ୍ନ ଉଠୁଛି। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ଯୁବକ ବାହରୁଥିବା ମଧ୍ୟ ଭିଡିଓରେ ଦେଖାଯାଉଛି। ଯଦି ଏହି ଯୁବକମାନେ ତଥା ଭିଡିଓ ଉତ୍ତୋଳନ କରୁଥିବା ଯୁବକ ହତ୍ୟାକରୀକୁ ବାରଣ କରିଥାନ୍ତେ ତାହେଲେ ଠେଙ୍ଗାରେ ମାଡ଼ ମାରିବା ସମୟରୁ ହିଁ ଏଭଳି ଏକ ଦୁଃଖଦ ଘଟଣାକୁ ରୋକା ଯାଇପାରିଥାନ୍ତା ଏବଂ ଗୋଟିଏ ଜୀବନ ରକ୍ଷା ହୋଇ ପାରିଥାନ୍ତା। କିନ୍ତୁ ଏଭଳି ଏକ ଘଟଣା କିଛି ବ୍ୟକ୍ତି ଦେଖୁଥିଲେ ମଧ୍ୟ ଜଣଙ୍କ ଜୀବନ ରକ୍ଷା ପାଇଁ ଆଗକୁ ନ ଆସିବା ଘଟଣା ମଣିଷର ମାନବିକତାକୁ ନେଇ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର