ଅନୁଗୁଳ ଓ ନୟାଗଡ଼ ବ୍ୟାଙ୍କରୁ ଡକାୟତି ଘଟଣା : ବ୍ୟାଙ୍କ କାନ୍ଥରେ ଲାଗିବ ଡକାୟତଙ୍କ ଫଟୋ

ଭୁବନେଶ୍ୱର : ୨୦୧୫ରୁ ୨୦୧୭। ଏହି ୩ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩୫ଟି ବ୍ୟାଙ୍କ ଡକାୟତି ହୋଇଛି। ବିଶେଷକରି ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଓ ସମ୍ବଲପୁରରେ ଥିବା ବିଭିନ୍ନ ବ୍ୟାଙ୍କକୁ ଡକାୟତମାନେ ଟାର୍ଗେଟ କରୁଛନ୍ତି। ବିଶେଷକରି ଚଳିତ ମାସ ପ୍ରଥମ ସପ୍ତାହରେ ଅନୁଗୁଳ ଓ ନୟାଗଡ଼ ବ୍ୟାଙ୍କ ଡକାୟତି ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇ ପଡ଼ିଛି। କିଭଳି ବ୍ୟାଙ୍କ ଡକାୟୟତିକୁ ରୋକାଯାଇ ପାରିବ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ପିଲସର ଚିନ୍ତାର ବିଷୟ ହୋଇଛି। ଏଥିପାଇଁ ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ରାଜ୍ୟରେ ଥିବା ୩୦ରୁ ଅଧିକ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କର ଓଡ଼ିଶା ମୁଖ୍ୟମାନଙ୍କୁ ନେଇ ଏକ ବୈଠକ କରିଥିଲେ। ଯେଉଁଥିରେ ବ୍ୟାଙ୍କ କର୍ତୃପକ୍ଷଙ୍କୁ କେତେକ ନିୟମ ପାଳନ କରିବାକୁ ନିର୍ଦେଶ ହୋଇଛି।

ମିଳିଥିବା ସୂଚନା ମୁତାବକ ବ୍ୟାଙ୍କ କର୍ତୃପକ୍ଷଙ୍କୁ କୁହାଯାଇଛି ଯେ, ସେମାନେ ପ୍ରଥମେ ଗତ ୭ ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଡକାୟତି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ଫଟୋ କାନ୍ଥରେ ମାରିବେ। ଡକାୟତମାନଙ୍କ ଫଟୋ ପାଇବା ପାଇଁ ସେମାନେ ଜିଲ୍ଲା ପୁଲିସ କିମ୍ବା ଏସ୍‌ପିଙ୍କୁ ଯୋଗାଯୋଗ କରିବେ। ଏହା ଦ୍ୱାରା ବ୍ୟାଙ୍କକୁ ଆସୁଥିବା ଗ୍ରାହକମାନେ ସଚେତନ ହେବା ସହିତ ବ୍ୟାଙ୍କ କର୍ତୃପକ୍ଷ ମଧ୍ୟ ଡକାୟତମାନଙ୍କୁ ଚିହ୍ନଟ କରି ପାରିବେ। ବଡ଼ କଥା ହେଉଛି ଡକାୟତମାନଙ୍କ ଫଟୋ ବ୍ୟାଙ୍କରେ ଲାଗିବା ପରେ ସେମାନେ ମଧ୍ୟ ଲଜ୍ଜିତ ହେବେ।
ବିଭିନ୍ନ ବ୍ୟାଙ୍କରେ ସିସି କ୍ୟାମେରା ୨୪ ଘଣ୍ଟା ଧରି ଚାଲୁଥିଲେ ମଧ୍ୟ କେହି ତାକୁ ଯାଞ୍ଚ କରିବାକୁ ବ୍ୟାଙ୍କ ପକ୍ଷରୁ ନିଯୁକ୍ତ ହୋଇ ନାହାନ୍ତି। ତେଣୁ ବ୍ୟାଙ୍କ ପକ୍ଷରୁ ଜଣେ ସ୍ୱତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତ କରିବାକୁ ପୁଲିସ ପକ୍ଷରୁ ବ୍ୟାଙ୍କ କର୍ତୃପକ୍ଷଙ୍କୁ କୁହାଯାଇଛି। ବ୍ୟାଙ୍କର ପାର୍କିଂରେ ମଧ୍ୟ ସିସି କ୍ୟାମେରା ଲଗାଇବା ସହିତ କେତେକ ପ୍ରମୁଖ ସ୍ଥାନରେ ହିଡେନ୍‌ କ୍ୟାମେରା ଓ କର୍ମଚାରୀଙ୍କ ଛାତିରେ ବଡି କ୍ୟାମେରା ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି।

ଜିଲ୍ଲା ଏସ୍‌ପିମାନଙ୍କୁ ନିର୍ଦେଶ ହୋଇଛି କି ସେମାନେ ବ୍ୟାଙ୍କର ପିକ୍‌ ସମୟ ୧୦ଟାରୁ ୩ଟା ମଧ୍ୟରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବେ। ୭ ବର୍ଷ ମଧ୍ୟରେ ବିଭିନ୍ନ ବ୍ୟାଙ୍କ ଡକାୟତି ମାମଲାରେ ଗିରଫ ହୋଇଥିବା ଡକାୟତମାନଙ୍କ ଫଟୋକୁ ଥାନାରେ ଲଗାଇବା ସହିତ, ନୂଆ କରି ଜିଲ୍ଲା ପୁଲିସରେ ଯୋଗ ଦେଇଥିବା ଅଫିସରମାନଙ୍କୁ ଚିହ୍ନାଇବେ।
କୌଣସି ସ୍ଥାନରେ ବ୍ୟାଙ୍କ ଡକାୟତି ଘଟିବା ପରେ ପୁଲିସ ଏମିତି ଭାବେ ଚେକ୍‌ପୋଷ୍ଟ କରି ନାକାବନ୍ଦୀ କରିବ ଯେମିତିି ଅପରାଧୀମାନେ ସହରରୁ ବାହାରକୁ ବାହାରିବା କଷ୍ଟକର ହୋଇ ପଡ଼ିବ। ସେଥିପାଇଁ ଜାଗା ଚିହ୍ନଟ କରିବାକୁ ସମସ୍ତ ଏସ୍‌ପିମାନଙ୍କୁ କୁହାଯାଇଛି।

ପ୍ରକାଶଥାଉକି, ଗତ ୭ ତାରିଖରେ ଅନୁଗୁଳ ଆନ୍ଧ୍ରାବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କା ଓ ସୁନଗହଣା, ନୟାଗଡ଼ ରଣପୁର ଗ୍ରାମ୍ୟବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଓ ସୁନାଗହଣା ଆଦି ଡକାୟତି ହୋଇଥିଲା। ୫ରୁ ୬ ଜଣ ଦୁର୍ବୃତ୍ତ ମୁହଁରେ ମୁଖା ପିନ୍ଧି ବ୍ୟାଙ୍କ ଭିତରେ ପଶି ଏଭଳି ଲୁଟପାଟ୍‌ କରିଥିଲେ। ଯାହାର ପର୍ଦାଫାସ କରିବା ରାଜ୍ୟ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।

ସମ୍ବନ୍ଧିତ ଖବର