୧୦ ମିନିଟ୍‌‌ରେ ବ୍ୟାଙ୍କ ଲୁଟ୍‌, ବନ୍ଧୁକ ଦେଖାଇ ନେଇଗଲେ ୪୦ ଲକ୍ଷ

କଲେଜ ୟୁନିଫର୍ମ ପିନ୍ଧି ଆସିଥିଲେ ଦୁର୍ବୃତ୍ତ, ୬ଟି ହାତବନ୍ଧା ବୋମା ଜବତ, ବ୍ୟାଙ୍କରୁ ଦୁଇଥର ଲୁଟ୍‌ ଉଦ୍ୟମ ହୋଇଥିଲା

ଗାନ୍ଧିଛକ : ବାଲେଶ୍ବର ସହରଠାରୁ ଅନତି ଦୂରରେ ଥିବା ହଳଦୀପଦା ବଜାରର ଶ୍ରୀରାମପୁର ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଆଜି ଏକ ବଡ଼ଧରଣର ଲୁଟ୍‌ ହୋଇଛି। ମାତ୍ର ୧୦ ମିନିଟ୍ ମଧ୍ୟରେ ଲୁଟେରାମାନେ ବନ୍ଧୁକ ଦେଖାଇ ପ୍ରାୟ ୪୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପୁଲିସ ତଦନ୍ତ ଜାରି ରଖିଥିଲେ ହେଁ ଏଯାଏ ଲୁଟେରାଙ୍କ ପତ୍ତା ମିଳିନାହିଁ। ତେ‌େବ ପୁଲିସ ଘଟଣାସ୍ଥଳରୁ ୬ଟି ହାତବୋମା ଜବତ କରିଥିବାବେଳେ ଏହି ଲୁଟ୍ ପଛରେ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ଏବଂ କୌଣସି ଇନ୍‌ଫର୍ମରର ସଂପୃକ୍ତି ଥିବା ଚର୍ଚା ହେଉଛି।

ଗୁରୁବାର ଅପରାହ୍ଣ ପ୍ରାୟ ଗୋଟାଏ ୨୦ ମିନିଟ୍‌ ହେବ। ପ୍ରତିଦିନ ପରି ଆଜି ମଧ୍ୟ ସଦର ବ୍ଲକ୍‌ ହଳଦୀପାଳ ବଜାରସ୍ଥିତ ଶ୍ରୀରାମପୁର ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ କାମ ଚାଲିଥିଲା। କର୍ମଚାରୀମାନେ ଯିଏ ଯାହାର କାମରେ ବ୍ୟସ୍ତ ଥିଲେ। ପ୍ରାୟ ୨୦ ଜଣ ଗ୍ରାହକ ଟଙ୍କା ନେଣଦେଣ ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ। ଏତିକିବେଳେ କେହି କିଛି ବୁଝିବା ପୂର୍ବରୁ ହଠାତ୍ ବ୍ୟାଙ୍କ ଭିତରକୁ ୬ ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ଗୁଡ଼ାଇ ପଶି ଆସିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ କଲେଜ ପିଲାଙ୍କ ଭଳି ହାଲକା ନୀଳ ରଙ୍ଗର ସାର୍ଟ ପିନ୍ଧିଥିଲେ। ବ୍ୟାଙ୍କ୍ ଭିତରକୁ ପଶୁ ପଶୁ ଫିଲ୍ମ ଷ୍ଟାଇଲ୍‌ରେ ସେମାନେ ଶାଖା ପରିଚାଳକ ଲିଙ୍ଗରାଜ ସାହୁ, କ୍ୟାସିଅର୍‌ ପ୍ରଦୀପ ବେହେରା ଓ ସୁବ୍ରତ ପାତ୍ରଙ୍କ ସହ କିଛି ଗ୍ରାହକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ।

ଏହାପରେ ଶ୍ରୀ ସାହୁଙ୍କୁ ବ୍ୟାଙ୍କ କ୍ୟାସ୍‌ରୁମ୍‌ରେ ଥିବା ଆଇରନ୍ ଚେଷ୍ଟ୍ ଖୋଲା କରାଇଥିଲେ। ସେଠାରେ ଥିବା ଟଙ୍କା ଓ କ୍ୟାସ୍‌ କାଉଣ୍ଟରରେ ଥିବା ଟଙ୍କା ମିଶାଇ ମୋଟ ପ୍ରାୟ ୪୦ ଲକ୍ଷ ଟଙ୍କା ସହ ଜଣେ ବ୍ୟାଙ୍କ କର୍ମଚାରୀ ଏବଂ ଦୁଇଜଣ ଗ୍ରାହକଙ୍କ ମୋବାଇଲ୍‌ ମଧ୍ୟ ଛଡ଼ାଇ ‌େନଇଥିଲେ। ପ୍ରାୟ ୧୦ ମିନିଟ୍ ମଧ୍ୟରେ ଅପରେସନ ସାରିବା ପରେ ସେମାନେ ଆସିଥିବା ଦୁଇଟି
ପଲ୍‌ସରରେ ସେଠାରୁ ଚମ୍ପଟ ମାରିଥିଲେ।

ବ୍ୟାଙ୍କ୍ ଲୁଟ୍ ଖବର ପାଇବା ପରେ ବାଲେଶ୍ବର ଏସ୍‌ପି ବି ଯୁଗଳ କିଶୋର, ବସ୍ତା ଏସ୍‌ଡିପିଓ ରଣଜିତ ପୃଷ୍ଟି, ସଦର ଏସ୍‌ଡିପିଓ ପ୍ରଭାସ କୁମାର ପାଲ, ବସ୍ତା ଥାନା ଆଇଆଇସି ଧନେଶ୍ବର ସାହୁ, ରୁପ୍‌ସା ଥାନା ଆଇଆଇସି ସୁଚନ୍ଦ୍ର ମହାଳିକ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ଦୁର୍ବୃତ୍ତମାନେ ସାଙ୍ଗରେ ଆଣି ବ୍ୟାଙ୍କ୍‌ରେ ଛାଡ଼ିଯାଇଥିବା‌ ୬ଟି ହାତବୋମା ଜବତ ହୋଇଥିଲା। ସେହିପରି ସେମାନେ ଛଡ଼ାଇ ନେଇଥିବା ମୋବାଇଲ୍‌ ମଧ୍ୟରୁ ଜଣେ କର୍ମଚାରୀଙ୍କ ମୋବାଇଲ୍‌ ଗାନ୍ଧିଛକଠାରେ ଠାବ କରାଯାଇଛି। ଦୁର୍ବୃତ୍ତମାନେ ଲୁଟ୍‌ ପୂର୍ବରୁ ବ୍ୟାଙ୍କର ସିସିଟିଭିକୁ ଅଚଳ କରିବାକୁ ଯାଇ ଭୁଲ୍‌ରେ ଲିଙ୍କ୍‌ ତାରକୁ କାଟି ଦେଇଥିବାରୁ ସିସିଟିଭିରେ ସମସ୍ତ ଦୃଶ୍ୟ ରେକର୍ଡ ହୋଇଥିବା ଜଣାପଡ଼ିଛି। ୬ ଲୁଟେରାଙ୍କ ମଧ୍ୟରୁ ୪ ଜଣ ମୁହଁରୁ କପଡ଼ା ଖୋଲି କଥା ହେଉଥିବାବେଳେ ସିସିଟିଭିରେ ସେମାନଙ୍କ ଚେହେରା ସ୍ପଷ୍ଟ ଦେଖା ଯାଉଥିବାବେଳେ ଅନ୍ୟ ୨ ଜଣଙ୍କ ମୁହଁରେ କପଡ଼ା ବନ୍ଧା ରହିଛି। ୪ ଜଣ ଲୁଟେରାଙ୍କ ବୟସ ୪୦ରୁ ୪୫ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଥିବାବେଳେ ଅନ୍ୟ ୨ ଜଣ ଯୁବକ ଥିବା ଜଣାପଡ଼ିଛି। ଏହାଛଡ଼ା ଘଟଣା ସମୟରେ ବ୍ୟାଙ୍କରେ ଉପସ୍ଥିତ ଥିବା କିଛି ଗ୍ରାହକଙ୍କୁ ପଚରାଉଚରା ପରେ ଲୁଟେରାମାନେ ହିନ୍ଦୀ, ବଙ୍ଗଳା ଓ ଓଡ଼ିଆ ଭାଷାରେ କଥା ହେଉଥିବା ସୂଚନା ମିଳିିଛି। ଯାହା ଫଳରେ ଏହି ଡକାୟତି ପଛରେ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ହାତ ଥିବା ଅନୁମାନ କରାଯାଉଛି।

ଅନ୍ୟପଟେ ଏହି ବ୍ୟାଙ୍କ ଲୁଟ୍‌ ପରେ ପୁଲିସ ଓ ସାଧାରଣ ଜନତାଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ପୂର୍ବାହ୍ନରେ ବ୍ୟାଙ୍କକୁ ବାଲେଶ୍ବର ମୁଖ୍ୟ କାର୍ଯ୍ୟାଳୟରୁ ୩୦ ଲକ୍ଷ ଟଙ୍କା ଆସିଥିଲା। ସେହିପରି ବ୍ୟାଙ୍କ ମ୍ୟାନେଜର ବୁଦ୍ଧରାମ ହେମ୍ବ୍ରମ ବ୍ୟାଙ୍କରେ ନ ଥିଲେ। ଆଉ ଆଜି ହିଁ ‌ଲୁଟ୍‌ ମିସନ୍‌କୁ କାର୍ଯ୍ୟକାରୀ କରାଯାଇଥିଲା। ତେବେ ବ୍ୟାଙ୍କକୁ ଏତେଗୁଡ଼ିଏ ଟଙ୍କା ଆସିବା ଓ ମ୍ୟାନେଜର ଶ୍ରୀ ହେମ୍ବ୍ରମ ଅନୁପସ୍ଥିତ ରହିବା ନେଇ ଲୁଟେରାମାନେ ଜାଣିଲେ କେମିତି? ତେଣୁ ଏପରି ସମୟରେ ଲୁଟେରାଙ୍କ ସହ ଇନ୍‌ଫମରମାନଙ୍କର ଯେ ହାତ ଅଛି, ସେନେଇ ସନ୍ଦେହ ଉପୁଜିଛି।

ସୂଚନାଯୋଗ୍ୟ; ସଂପୃକ୍ତ ଷ୍ଟେଟ୍‌ ବ୍ୟାଙ୍କ ପରିସରରେ ଥିବା ଏଟିଏମ୍‌ରୁ ଦୁଇଥର ‌ଲୁଟ୍‌ ଉଦ୍ୟମ ହୋଇଥିବାବେଳେ ଲୁଟେରାମାନେ ପୂର୍ବରୁ ଦୁଇଥର ବ୍ୟାଙ୍କ ଭିତରକୁ ପଶିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ତେବେ ଏସବୁ ଘଟଣାରୁ ସ୍ପଷ୍ଟ ଯେ ଲୁଟେରାଙ୍କ ଟାର୍ଗେଟ୍‌ରେ ବ୍ୟାଙ୍କଟି ଥିଲା। ହେଲେ ପୂର୍ବ ଘଟଣାରୁ ପୁଲିସ କି ବ୍ୟାଙ୍କ କର୍ତୃପକ୍ଷ, କେହି ବି ଚେତି ନଥିଲେ।

ସମ୍ବନ୍ଧିତ ଖବର