କ୍ଷୁଦ୍ର ଶିଳ୍ପ ପାଇଁ ବ୍ୟାଙ୍କ ସହଯୋଗ କରୁନାହାନ୍ତି : ବିଧାନସଭାରେ ଉଦ୍‌ବେଗ ପ୍ରକାଶ କଲେ ବିଧାୟକ

ଭୁବନେଶ୍ୱର : ରାଜ୍ୟରେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ସହଯୋଗ କରୁଛନ୍ତି ସତ। ଯୁବପିଢ଼ି ମଧ୍ୟ ଏଥି ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ବ୍ୟାଙ୍କଗୁଡ଼ିକ ଆଦୌ ସହଯୋଗ କରୁନାହାନ୍ତି। ଋଣ ଦେବାକୁ ସିଧାସଳଖ ମନା କରିଦେଉଛନ୍ତି। ବ୍ୟାଙ୍କ ଋଣ ନ ଦେଲେ ଶିଳ୍ପ ପ୍ରତିଷ୍ଠା ହେବ କେମିତି?

ଆଜି ପ୍ରଶ୍ନକାଳରେ ଦଳମତ ନିର୍ବିଶେଷରେ ସବୁ ବିଧାୟକ ଏମିତି ଉଦ୍‌ବେଗ ପ୍ରକାଶ କରିଥିଲେ। ମନ୍ତ୍ରୀ ବି ସ୍ୱୀକାର କରିଥିଲେ ଏହି ସମସ୍ୟା। କିନ୍ତୁ ଠୋସ୍‌ ପଦକ୍ଷେପ ନିଆଯିବା ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ପ୍ରତିଶ୍ରୁତି ଦେଇନଥିଲେ। କହିଥିଲେ, କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ବ୍ୟାଙ୍କଗୁଡ଼ିକ ଧ୍ୟାନ ଦେଉନାହାନ୍ତି। ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। କଂଗ୍ରେସ ସଭ୍ୟ କୈଳାସ ଚନ୍ଦ୍ର କୁଲେସିକାଙ୍କ ମୂଳ ପ୍ରଶ୍ନ ଥିଲା, ରାଜ୍ୟରେ ଜଙ୍ଗଲ ପୂର୍ଣ୍ଣ ଅଞ୍ଚଳରେ ଜଙ୍ଗଲଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସ୍ଥାପନ ପାଇଁ ସରକାର ବ୍ୟବସ୍ଥା କରିବେ କି? ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଉତ୍ତର ଥିଲା, ରାଜ୍ୟରେ ଜଙ୍ଗଲପୂର୍ଣ୍ଣ ଅଞ୍ଚଳରେ ସୃଷ୍ଟି ହେଉଥିବା ଜଙ୍ଗଲଜାତ ଦ୍ରବ୍ୟରୁ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଡେଭଲପ୍‌ମେଣ୍ଟ୍‌ ପଲିସି-୨୦୧୬ ଏବଂ ଓଡ଼ିଶା ଫୁଡ୍‌ ପ୍ରୋସେସିଂ ପଲିସି-୨୦୧୬ ମାଧ୍ୟମରେ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ଅଛି।

ଶ୍ରୀ କୁଲେସିକା ଅତିରିକ୍ତ ପ୍ରଶ୍ନ କରିଥିଲେ, ପଲିସି କରିଦେଲେ କ’ଣ ହେବ। ବ୍ୟାଙ୍କ ତ ଋଣ ଦେଉନାହାନ୍ତି। ଏଥି ପାଇଁ ସରକାର ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଅନ୍ତୁ। ଦେବାଶିଷ ନାୟକ, ଗଣେଶ୍ୱର ପାତ୍ର, ପ୍ରିୟାଂଶୁ ପ୍ରଧାନ, ପ୍ରମିଳା ମଲ୍ଲିକ, ରବି ନାରାୟଣ ମହାପାତ୍ର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରିୟଦର୍ଶୀ ମିଶ୍ର, କିଶୋର ତରାଇ ଓ ଲାଲବିହାରୀ ହିମିରିକା ପ୍ରମୁଖ ନିଜ ନିଜ ଜିଲ୍ଲାରେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଥିବା ସୁଯୋଗ ଓ ସମ୍ଭାବନା ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ମନ୍ତ୍ରୀ ଶ୍ରୀ ସାମଲ କହିଲେ, ସରକାର ନିଜେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରିବେ ନାହିଁ। ଏହା ସମ୍ଭବ ନୁହେଁ। ଯଦି କେହି ଉଦ୍ୟୋଗୀ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରି ଆଗେଇ ଆସନ୍ତି, ତେବେ ସରକାର ନିଶ୍ଚିତ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେବେ। ଷ୍ଟାର୍ଟ ଅପ୍‌ ପଲିସିରେ ଓଡ଼ିଶା ଆଗରେ ଅଛି। ୨୦୨୦ ସୁଦ୍ଧା ୧୦୦୦ ଷ୍ଟାର୍ଟ ଅପ୍‌ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର