ପୁଲିସକୁ ବାଟବଣା କରି ବନ୍ଧା ହେଲେ ବ୍ୟାଙ୍କ ଅଧିକାରୀ ଓ ତାଙ୍କ ଟିଣ୍ଡର ପ୍ରେମିକା !

ଭୁବନେଶ୍ୱର: କାମ ଦେଲାନି ପୁଲିସକୁ ବାଟବଣା କରିବାର ଫର୍ମୁଲା | ଟିଣ୍ଡର ଆପରେ ଚାଟିଙ୍ଗ, ଡେଟିଙ୍ଗ ଆଉ ବ୍ଲାକମେଲିଙ୍ଗ ଘଟଣାର ତଦନ୍ତ କରି ହରଡଘଣାରେ ପଡ଼ିଥିବା ପୁଲିସ୍, ଏବେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ବ୍ଲାକମେଲିଙ୍ଗ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ବ୍ୟାଙ୍କ ମ୍ୟାନେଜରକୁ ଗିରଫ କରି ପୁଲିସ ତଦନ୍ତ ଶେଷ କରିଛି । ଅନ୍ୟପଟେ ଯୁବତୀ ଖେଳୁଥିବା ଧମକର ଖେଳ ତାଙ୍କ ପାଇଁ ମହଙ୍ଗା ପଡ଼ିଛି । ଯୁବତୀଙ୍କ ସହ ୩ ପୁରୁଷ ସହଯୋଗୀଙ୍କୁ ବି ପୁଲିସ ଗିରଫ କରିଛି । ତେବେ ଏହି ମାମଲାରେ ଦୁଇପକ୍ଷ ହିଁ ଅଭିଯୁକ୍ତ ବୋଲି ପୁଲିସ୍ ପ୍ରମାଣ ପାଇବା ପରେ ସ୍ପଷ୍ଟ କରିଛି । କାମ ଦେଇନି ବ୍ୟାଙ୍କ ଅଧିକାରୀଙ୍କ ଚାଲାକି । ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ସଂଗୀନ ଦଫା ଲାଗିଛି । ଥଣ୍ଡା ପାନୀୟରେ ନିଶା ଦେବା (ଦଫା ୩୨୮) ଏବଂ ଦୁଷ୍କର୍ମର ଦଫା ୩୭୬ରେ ମାମଲା ରୁଜୁ କରିଛି । ଅନ୍ୟପଟେ ଯୁବତୀଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ଦଫା ୧୨୦-ବି, ଯୁବକଙ୍କୁ ଅପହରଣ କରିନେବା (ଦଫା ୩୬୫), ଠକେଇ ଦଫା ୪୨୦, ହତ୍ୟା ଧମକ ଦେବା ୫୦୬, ଚୋରି କରିବା ୩୭୯ ଏବଂ ଏକାଧିକଙ୍କ ସଂପୃକ୍ତି ଦଫା ୩୪ରେ କମିଶନରେଟ୍ ପୁଲିସ ମାମଲା ରୁଜୁ କରିଛି ।

ଟିଣ୍ଡର ଆପରେ ପ୍ରଥମେ ଚାଟିଂ, ପରେ ଡେଟିଂ ଆଉ ଏହା ପରେ ବ୍ଲାକମେଲିଙ୍ଗ । ସବୁଠୁ ବଡ଼ କଥା ହେଲା ଉଭୟ ପକ୍ଷରୁ ଭୁଲ ଥାଇ ପୁଲିସକୁ ତଦନ୍ତରେ ବାଟବଣା କରିବାର କାହାଣୀ ଦୁଇ ଚରିତ୍ରଙ୍କୁ ମହଙ୍ଗା ପଡ଼ିଛି । ଘଟଣା ଅନୁଯାୟୀ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ବ୍ୟାଙ୍କର ପରିଚାଳକଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖି ୫ଲକ୍ଷ ଟଙ୍କା ମଗାଯାଉଥିବା ଅଭିଯୋଗ ହୋଇଥିଲା। ଏନେଇ ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ କଲେଜ୍‌ର ଅଧ୍ୟାପିକା ବ୍ୟାଙ୍କ ପରିଚାଳକଙ୍କ ନାମରେ ପାଲଟା ଅଭିଯୋଗ ଆଣିଥିଲେ। ବ୍ୟାଙ୍କ ଅଧିକାରୀ ସୋସିଆଲ୍ ମିଡିଆରେ ତାଙ୍କ ସହ ବନ୍ଧୁତା କରିଥିଲେ।

କିଛି ଦିନ ପରେ ବିଭିନ୍ନ ପାର୍କରେ ‌ଦେଖାକରି ଏକ ହୋଟେଲ୍ ନିଶା ପିଆଇ ଦୁର୍ଷ୍କମ କରିଥିଲେ। ଶାରୀରିକ ସମ୍ପର୍କର ଭିଡିଓ ମଧ୍ୟ ଉତ୍ତୋଳନ କରି ଧମକାଉଥିଲେ। ଯୁବତୀ ଜଣକ ବିବାହ କରିବା ପାଇଁ ତାଙ୍କୁ ଚାପ ପକାଇବାରୁ ସେ ଧୋକା ଦେଇଥିଲେ। ଏହି ଘଟଣା ବିଷୟରେ ଜାଣି ଯୁବତୀଙ୍କ ପୁରୁଷ ବନ୍ଧୁମାନେ ସମ୍ପୃକ୍ତ ବ୍ୟାଙ୍କ ଅଧିକାରୀଙ୍କୁ ଅପହରଣ କରି ୫ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ଯୁବତୀ ଓ ତାଙ୍କ ୪ଜଣ ବନ୍ଧୁଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଯୁବତୀଙ୍କ ଅଭିଯୋଗ କ୍ରମେ ପୁଲିସ ମଧ୍ୟ ସମ୍ପୃକ୍ତ ବ୍ୟଙ୍କ ଅଧିକାରୀଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା । ଏହା ପରେ ସମ୍ପୂର୍ଣ୍ଣ କାହାଣୀ ବାବଦରେ ଜଣାପଡିଥିଲା |

ସମ୍ବନ୍ଧିତ ଖବର