ଲକ୍ଷାଧିକ ଟଙ୍କା ହରାଇ ଘଟାଇଲା ଏମିତି କାଣ୍ଡ : ବ୍ୟାଙ୍କରେ ନିଆଁ ଲଗାଇଲା ଜୁଆଡ଼ି

ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ପାଇଲିପଡ଼ା ବ୍ୟାଙ୍କ ଅଗ୍ନିକାଣ୍ଡ ଘଟଣାର ରୋଚକ ତଥ୍ୟ ସାମ୍‌ନାକୁ ଆସିଛି। ଜଣେ ଜୁଆଡ଼ି ହିଁ କାଣ୍ଡ ଘଟାଇଥିବା ଜଣାପଡ଼ିଛି। ବ୍ୟାଙ୍କରୁ ଟଙ୍କା ଲୁଟି ନପାରି ସେ ନିଆଁ ଲଗାଇ ଦେଇଥିବା ପୁଲିସ୍‌ ନିକଟରେ ସ୍ବୀକାର କରିଛି। ପରେ, ପୁଲିସ୍‌ ତାକୁ ଗିରଫ କରି କୋର୍ଟଚାଲାଣ କରିଛି। ଗତକାଲି ପାଇଲିପଡ଼ା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖା କାର୍ଯ୍ୟାଳୟରେ ଗତକାଲି ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୫ ଲକ୍ଷରୁ ଅଧିକ ଟଙ୍କାର ଆସବାବପତ୍ର ପାଉଁଶ ହୋଇଯାଇଥିଲା। ଏହି ଘଟଣା ପରେ ପୁଲିସ୍‌ ଖୋଳତାଡ଼ କରି ଯାହାକୁ ଗିରଫ କରିଛି, ସେ ହେଉଛି ଜଣେ ଜୁଆଡ଼ି। ତା’ ନାଁ ସନିଆ ସାହୁ।

ପୁଲିସ୍‌ର ସୂଚନା ଅନୁସାରେ, ସନିଆ ମିସ୍ତ୍ରୀ କାମ କରୁଥିଲେ ବି ଜୁଆ ଖେଳିବା ତା’ର ନିଶା। ଗତ ଦୁଇ ଦିନ ହେଲା ବିଭିନ୍ନ ଜାଗାକୁ ଯାଇ ଜୁଆ ଖେଳି ସର୍ବସ୍ବ ହରାଇଥିଲା। ଲକ୍ଷାଧିକ ଟଙ୍କା ହାରିବା ପରେ ମିସ୍ତ୍ରୀ କାମରେ ଆଉ ମନ ଲାଗି ନଥିଲା। କିଛି ସାଙ୍ଗସାଥୀଙ୍କୁ ଧାର କରଜ ମାଗିଥିଲେ ମଧ୍ୟ କେହି ଦେଇ ନଥିଲେ। ୮ ଓ ୯ ତାରିଖରେ ଦୁଇ ଦିନ ସର୍ବଭାରତୀୟ ଧର୍ମଘଟ ଥିବାରୁ ବ୍ୟାଙ୍କ ବନ୍ଦ ରହିଥିଲା। ଏହାକୁ ସୁବର୍ଣ୍ଣ ସୁଯୋଗ ବୋଲି ଭାବି ନେଇଥିଲା। ରାତିରେ ଏକ ନିଶୁଣି ସାହାଯ୍ୟରେ ବ୍ୟାଙ୍କ ଭେଣ୍ଟିଲେସନ ଭାଙ୍ଗି ପଶିଥିଲା। ବ୍ୟାଙ୍କରେ ପଶି ଚୋରି ଉଦ୍ୟମ କରିଥିଲେ ମଧ୍ୟ ଷ୍ଟ୍ରଙ୍ଗରୁମ୍ ଭାଙ୍ଗି ନପାରି ଫେରି ଆସିଥିଲା। ହେଲେ ସିସିଟିଭି କ୍ୟାମେରାରେ ଧରାପଡିଯିବା ଭୟରେ ସେ ସାଙ୍ଗରେ ନେଇଥିବା ଛୁରୀ ସାହାଯ୍ୟରେ କ୍ୟାମେରାର ତାର ସବୁ କାଟି ଦେଇଥିଲା। ତଥାପି ଆଶଙ୍କା ବଢିବାରୁ ବ୍ୟାଙ୍କରେ ନିଆଁ ଲଗାଇବା ଯୋଜନା କରିଥିଲା। ରାତି ୧୧ଟା‌ରେ କିରୋସିନି ନେଇ ଗଲାବେଳେ ପୁଲିସ ପାଟ୍ରୋଲିଂ ଭାଡ଼ି ଦେଖି ପଳାଇ ଆସିଥିଲା। ହେଲେ ପୁଣି ରାତି ୩ଟା ବେଳେ ବ୍ୟାଙ୍କକୁ ଯାଇ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା। ସକାଳୁ ବ୍ୟାଙ୍କରେ ନିଆଁ ଲାଗିଥିବା ଲୋକେ ଦେଖିଥିଲେ। ପୁଲିସ୍‌ ଏହି ଘଟଣାରେ କିଛି ଲୋକଙ୍କୁ ଆଣି ପଚରାଉଚରା କରିବା ପରେ ସନିଆ ପାଖରେ ପହଞ୍ଚିଥିଲା। ତାକୁ ଜେରା କରିବା ପରେ ସେ ସତ କଥା ମାନି ଯାଇଥିଲା। ପୁଲିସ୍‌ ତାକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର