ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ: କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ ତଥା ପଞ୍ଚୁକର ଦ୍ବିତୀୟ ଦିନରେ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଛି। ରତ୍ନ ସିଂହାସନରେ ଅନୁଷ୍ଠିତ ଠାକୁରଙ୍କ ଏହି ମନଲୋଭା ବେଶକୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି। ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ଼ଖୋସା‌ ପକାଯାଇଥିଲା। ଅ‌ାଡ଼ଖୋସାରେ ଏକ ସୁବର୍ଣ୍ଣ କିଆ ଖୋସା ଯାଇଥିବା ବେଳେ ମହାପ୍ରଭୁଙ୍କ କପାଳର ଶୀର୍ଷ ଭାଗ‌ରେ ସ୍ବର୍ଣ୍ଣ କିରିଟି ଶୋଭା ପାଇଥିଲା। କିମ୍ବଦନ୍ତୀ ମୁତାବକ ଅକ୍ରୁର ମଥୁରାରୁ ଗୋପ ଆସିଥିବା ବେଳେ ଶ୍ରୀକୃଷ୍ଣ ତାଙ୍କୁ ବାଙ୍କଚୂଡ଼ା ବେଶ‌ରେ ଦର୍ଶନ ଦେଇଥିଲେ। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ଏହି ବେଶ ଅନୁଷ୍ଠିତ ହୋଇଆସୁଛି। ଲକ୍ଷ୍ମୀ ନାରାୟଣ ବା ଠିଆକିଆ ଓ ବାଙ୍କଚୂଡ଼ା ବେଶରେ ସାମଞ୍ଜସ୍ୟ ରହିଛି। କେବଳ ମୁକୁଟରେ ସାମାନ୍ୟ ପରିବର୍ତ୍ତନ କରାଯାଇଥାଏ। ଆସନ୍ତାକାଲି ମହାପ୍ରଭୁ ରତ୍ନ ସିଂହାସନରେ ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ସମ୍ବନ୍ଧିତ ଖବର