ମେଲୁଛି ବାଙ୍କୀ ମୁହାଣ, ମୁହାଣ ଦେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମୁଦ୍ର

ପୁରୀ : ବେଳାଭୂମି ପ୍ରଦୂଷଣମୁକ୍ତ ହେବ, ସୁରକ୍ଷିତ ରହିବ। କିଛି ଦିନ ତଳେ ମେଗା ସଫେଇ କାର୍ଯ୍ୟକ୍ରମ ଆୟୋଜନ କରି ଏମିତି କିଛି ବାର୍ତ୍ତା ଦେଇଥିଲା ଜିଲ୍ଲା ପ୍ରଶାସନ। ଏ ନେଇ ମନ୍ତ୍ରୀ, ଅଧିକାରୀ, ସ୍ବେଚ୍ଛାସେବୀମାନେ ସମୂହ ଶପଥ ନେଇଥିଲେ। କିନ୍ତୁ ବାଙ୍କୀ ମୁହାଣର ସ୍ଥିତି ଦେଖିଲେ, ଏହି ସଂକଳ୍ପ ଅଟ୍ଟହାସ୍ୟ ସଦୃଶ ହୋଇଛି। ପ୍ରଦୂଷଣମୁକ୍ତ ବେଳାଭୂମିର ନାରା ଦେଉଥିବା ପ୍ରଶାସନ ସତେ ଯେପରି ବାଙ୍କୀ ମୁହାଣକୁ ସଂପୂର୍ଣ୍ଣ ଭୁଲିଯାଇଛି। ପରିଣାମ ସ୍ବରୂପ ବାଙ୍କୀ ମୁହାଣର ଦୂଷିତ ପାଣି ସମୁଦ୍ରରେ ମିଶିବା ସହ ଏହାର ମାର୍ଗ ମେଲିବାରେ ଲାଗିଛି। ଯେତିକି ସ୍ଥାନ ଦେଇ ଦୂଷିତ ଜଳ ସମୁଦ୍ରରେ ମିଶୁଥିଲା, ସେହି ସ୍ଥାନ ପ୍ରଶସ୍ତ ହେବା ସହ ବେଳାଭୂମିକୁ ଖାଇବାରେ ଲାଗିଛି। ସେପଟେ ବେଳାମାର୍ଗ ପ୍ରଶସ୍ତ ଦ୍ବାର ଦେଇ ସମୁଦ୍ର ବି ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବାରେ ଲାଗିଛି। ଯଦି ଏଥି ପ୍ରତି ଦୃଷ୍ଟି ଦିଆନଯାଏ, ଆଖପାଖ ଅଞ୍ଚଳ ପ୍ରତି ଏହା ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ଦେଖାଦେଇଛି।

ସେପଟେ ଏହି ଦୂଷିତ ଜଳ ସମୁଦ୍ର କୂଳ ଦେଇ ଅନ୍ୟ ଆଡ଼କୁ ବି ବ୍ୟାପୁଛି। ଯେଉଁଥି ପାଇଁ ସମୁଦ୍ର ଜଳ ପ୍ରଦୂଷିତ ହେବା ସହ ସ୍ନାନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବିପଦ ସୃ‌ଷ୍ଟି କରିଛି। ବର୍ଷା ଦିନରେ ଏହି ସ୍ଥାନରେ ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ କଠିନ ବର୍ଜ୍ୟବସ୍ତୁ ବି ସମୁଦ୍ରରେ ସିଧାସଳଖ ମିଶୁଛି। ବାଙ୍କି ମୁହାଣ ଦେଇ ସିଧାସଳଖ ସହରର ପ୍ରଦୂଷିତ ନାଳନର୍ଦ୍ଦମାର ଜଳ ସମୁଦ୍ରରେ ମିଶୁଥିବାରୁ ସାମୁଦ୍ରିକ ଜୀବ, ଜନଜୀବନ ପ୍ରତି ବିପଦ ସୃଷ୍ଟି କରିବା ପୂର୍ବରୁ ଏହାର ପ୍ରତିକାର ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର