ବଂଶଧାରାରେ ଭାସିଗଲେ ମା’, ଝିଅ

ରାୟଗଡ଼ା/ ଗୁଣପୁର: ଶିବରାତ୍ରର ଦିନକ ପୂର୍ବରୁ ରାୟଗଡା ଜିଲ୍ଲାର ପ୍ରସିଦ୍ଧ ଶୈବପୀଠରେ ଅଘଟଣ। ପ୍ରଶାସନର ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବଂଶଧାରା ନଦୀରେ ଭାସିଗଲେ ମା’, ଝିଅ। ସୂଚନା ଅନୁଯାୟୀ, ଜାଗର ଯାତ୍ରା ଦେଖିବା ପାଇଁ ଗଜପତି ଜିଲ୍ଲା ଅନ୍ତର୍ଗତ ହାଡ଼ୁଭାଂଗି ଗାଁର ଗୋଟିଏ ପରିବାର ଗତକାଲି ରାତିରେ ମୀନାଝୋଲା ଅଭିମୁଖେ ବାହାରିଥିଲେ। ଆଜି ସକାଳେ ଏଠାରେ ପହଞ୍ଚିବା ପରେ ସକାଳ ପ୍ରାୟ ୧୧ଟାରେ ଶୈବପୀଠ ଉପର ମୁଣ୍ଡ ବଂଶଧାରା ନଦୀରେ ଗାଧୋଉଥିଲେ। ତେବେ ନଦୀର ପ୍ରଖର ସ୍ରୋତରେ ପ୍ରଥମେ ଝିଅ ଏମ. ବେଣୁ(୨୬) ଭାସି ଯାଇଥିଲେ। ଝିଅ ଭାସିଯିବା ଦେଖି ମା’ ଶେଷଆମ୍ମା (୬୦) ଉଦ୍ଧାର କରିବାକୁ ନଦୀ ମଧ୍ୟକୁ ଚାଲି ଯାଇଥିଳେ। ନିୟନ୍ତ୍ରଣ ହରାଇ ସେ ବି ସ୍ରୋତରେ ପଡି ଯାଇଥିଲେ। ପୀଠପାର୍ଶ୍ୱ ନଦୀର ପଥରଝୋଲା ମଧ୍ୟରେ ଚାପି ହୋଇ ବାହାରକୁ ବାହାରି ପାରିନଥିଲେ। ଉପସ୍ଥିତ ଲୋକ ହୋହଲ୍ଲା କରିଥିଲେ ହେଁ ସ୍ରୋତରେ ବେଗ ଏତେ ଅଧିକ ରହିଥିଲା ଯେ ନଦୀ ଭିତରକୁ ପଶିବାକୁ କେହି ସାହସ କରିପାରିନଥିଲେ। ଅପରପକ୍ଷରେ ମୀନାଝୋଲା ଅଞ୍ଚଳରେ ମୋବାଇଲ ଫୋନ ସେବା ନଥିବାରୁ ବିଳମ୍ବରେ ମୁନିଗୁଡ଼ା ଅଗ୍ନିସେବା ଦଳ, ମୁନିଗୁଡ଼ା ଏସଡ଼ିପିଓ ଅନନ୍ତ ପ୍ରସାଦ ମଲ୍ଲିକ ଏବଂ ଆଇଆଇସି ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଖବର ଲେଖା ହେବା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଉଭୟ ମା’ ଓ ଝିଅର ମୃତ୍ୟୁ ହୋଇ ହୋଇଯାଇଥିବା ବେଳେ ଶବ ପଥର ଖୋଲରେ ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର